ଭୁବନେଶ୍ୱର : ହିତାଧିକାରୀ ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର, କୀଟନାଶକ ଔଷଧ, ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରାନଯାଇ ଡିବିଟି ମାଧ୍ୟମରେ ଏହାର ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ ।
ଏହା ଦ୍ୱାରା ଚାଷୀମାନେ ସେମାନଙ୍କ ପସନ୍ଦର କୃଷି ସାମଗ୍ରୀ କିଣିବାକୁ ସ୍ୱତନ୍ତ୍ରତା ମିଳିବା ସହିତ ଏଥିରେ ଅଧିକ ସ୍ୱଚ୍ଛତା ଅଣାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ମନ୍ତ୍ରୀ ଡ. ସାହୁଙ୍କ ନିର୍ଦ୍ଦେଶାନୁସାରେ ବିଭାଗ ପକ୍ଷରୁ ପ୍ରଦର୍ଶନ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଡିବିଟି ପ୍ରଦାନ କ୍ଷେତ୍ରରେ ନୂତନ ଏସ୍ଓପି ଜାରି କରାଯାଇଛି ।
ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାରେ ଯଥା ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ଜାତୀୟ ଉଦ୍ୟାନ କୃଷି ମିଶନ ଆଦିରେ ଅଣୁସାର ଏବଂ କୀଟଦମନ ନିମନ୍ତେ କୀଟନାଶକରେ ରିହାତି ଯୋଗାଇ ଦିଆଯାଉଛି ।
ମାଟିର ଉର୍ବରତା ନିମନ୍ତେ ଅଣୁସାର ପାଇଁ ସର୍ବାଧିକ ୨ ହେକଫର ଜମି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିରେ ଚାଷୀମାନେ ନିଜ ପସନ୍ଦ ମୁତାବକ ଅଣୁସାର, କୀଟନାଶକ, ଜିପସମ୍, ବାୟୋ ଫର୍ଟିଲାଇଜର, ଅର୍ଗାନିକ୍ ସାର ଆଦି କ୍ରୟ କରିବାର ସୁଯୋଗ ପାଉଥିଲେ ଓ ବିଭାଗ ପକ୍ଷରୁ ଏହାର ରିହାତି ଡିବିଟି ମାଧ୍ୟମରେ ପାଉଥିଲେ ।
ଅପର ପକ୍ଷରେ ପ୍ରଦର୍ଶନ କାର୍ଯ୍ୟକ୍ରମର ବିଭିନ୍ନ ଯୋଜନାରେ ଆବଶ୍ୟକୀୟ କୃଷି ସାମଗ୍ରୀ ବିଭାଗ ପକ୍ଷରୁ କ୍ରୟ କରାଯାଇ ଏ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିଲା । କ୍ଷେତ୍ର କୃଷି ଅଧିକାରୀମାନେ ଟେଣ୍ଡର ମାଧ୍ୟମରେ ଅଣୁସାର, କୀଟନାଶକ, ତୃଣନାଶକ କ୍ରୟ କରି ହିତାଧିକାରୀମାନଙ୍କୁ ବଣ୍ଟନର ବ୍ୟବସ୍ଥା ଥିଲା । ମାତ୍ର ଏଥିରେ ଚାଷୀଙ୍କୁ ତାଙ୍କ ପସନ୍ଦର କୃଷି ସାମଗ୍ରୀ ଆଦି କ୍ରୟ ଓ ବ୍ୟବହାର ନିମନ୍ତେ ସୁଯୋଗ ମିଳୁନଥିଲା ।
ନୂତନ ବ୍ୟବସ୍ଥାରେ ଚାଷୀମାନଙ୍କୁ ସେମାନେ ଚାହୁଁଥିବା ଅଣୁସାର, କୀଟନାଶକ ଆଦି କ୍ରୟ କରିବା ନିମନ୍ତେ ସୁଯୋଗ ମିଳିବ ଏବଂ କ୍ରୟ ଅର୍ଥ ଡିବିଟି ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ଏହା ଫଳରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ମିଳୁଥିବା ରିହାତି ଡିବିଟି ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିାଧାସଳଖ ହସ୍ତାନ୍ତର କରାଯିବ ।