ଭୁବନେଶ୍ୱର : ବଜାରରେ ମିଳୁଥିବା ଶସ୍ତା ଚିପସ୍ ଭଳି ପ୍ୟାକେଟ ଖାଦ୍ୟ ଖାଇ ଶିଶୁମାନେ ମୃତ୍ୟୁମୁଖରେ ପଡୁଥିଲେ ମଧ୍ୟ ଏହାର କଡାକଡି ଯାଞ୍ଚ ହେଉନାହିଁ । ପିଲାଙ୍କୁ ଆକୃଷ୍ଟ କରିବାପାଇଁ ବିଭିନ୍ନ କମ୍ପାନୀ ଖାଦ୍ୟ ପୁଡିଆ ଭିତରେ ପ୍ଲାଷ୍ଟିକ ଖେଳଣା ଭର୍ତ୍ତିକରି ବଜାରକୁ ଛାଡିବା ସହିତ ଏହିସବୁ ପ୍ୟାକେଟରେ କି ପ୍ରକାର ଖାଦ୍ୟ ରହିଛି ତାହା ବି ଉଲ୍ଲେଖ କରୁନାହାନ୍ତି ।
ବଜାରରେ ଏବେ ପ୍ୟାକେଟରେ ମିଳୁଥିବା ଆଳୁ ଚିପସ୍, ମକ୍କା ପ୍ରସ୍ତୁତ ସାମଗ୍ରୀ ଓ ଅନୁରୂପ ଖାଦ୍ୟ ପ୍ୟାକେଟ ବିକ୍ରିରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି । କିଛି ରାଜ୍ୟ ବାହାରର କମ୍ପାନୀ ସହିତ ରାଜ୍ୟ ଭିତରର କମ୍ପାନୀମାନେ ବ୍ୟବସାୟିକ ପ୍ରତିଦ୍ୱନ୍ଦିତା ଚଳାଉଛନ୍ତି । ଏହି ଖାଦ୍ୟ ପ୍ରତି ପିଲାମାନେ ଅଧିକ ସଂଖ୍ୟାରେ ଆକୃଷ୍ଟ ହେଉଥିବାରୁ ସେମାନଙ୍କୁ ନଜରରେ ରଖି ରଙ୍ଗ ବେରଙ୍ଗର ପ୍ୟାକେଟ ପ୍ରସ୍ତୁତ ହେଉଛି ।
ତେବେ କିଛି କମ୍ପାନୀ ଖାଦ୍ୟ ସାମଗ୍ରୀ ପ୍ୟାକେଟ ଭିତରେ ପ୍ଲାଷ୍ଟିକ ଖେଳଣା ଭର୍ତ୍ତିକରି ବିକ୍ରି କରୁଛନ୍ତି । ଏହାକୁ ପିଲାମାନେ କିଣି ପ୍ରଥମେ ଖେଳଣା ଖୋଜୁଛନ୍ତି । କିଛି ପିଲା ଖାଦ୍ୟ ସହିତ ଏହି ପ୍ଲାଷ୍ଟିକକୁ ଖାଇ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ବି ଆସିଲାଣି । ତେବେ ସବୁଠାରୁ ବଡକଥା ହେଉଛି ରଙ୍ଗ ବେରଙ୍ଗର ଏହି ଜରି ମୁଣା ଭିତରେ କେଉଁ ପ୍ରକାର ଖାଦ୍ୟ ରହିଛି ତାହା ବହୁ କମ୍ପାନୀ ଉଲ୍ଲେଖ କରୁନାହାନ୍ତି । ଯେଉଁସବୁ ସ୍ଥାନରେ ଖାଦ୍ୟର ପ୍ରକାର, ମାନ, ବ୍ୟବହାର ଅବଧି ଆଦି ଉଲ୍ଲେଖ ରହିଛି ତାହାକୁ ଖାଲି ଛାଡି ଦେଉଛନ୍ତି । ଏପରିକି କେତେକ କମ୍ପାନୀ ନିଜର ଠିକଣା ମଧ୍ୟ ସ୍ପଷ୍ଟଭାବେ ଉଲ୍ଲେଖ କରୁନାହାନ୍ତି ।
ଫଳରେ ଏହାକୁ ଖାଉଥିବା ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ କେହି ହେଲେ ଜାଣିପାରୁ ନାହାନ୍ତି ସେମାନେ ୫/୧୦ ଟଙ୍କା ଖାଉଥିବା ସାମଗ୍ରୀ କେଉଁଥିରୁ ପ୍ରସ୍ତୁତ ହେଉଛି । ଲକ୍ଷ୍ୟ କରାଯାଇଛି ଯେ ଏଭଳି ବେଆଇନ୍ ରଙ୍ଗବେରଙ୍ଗର ଜରି ମୁଣାରେ ମିଳୁଥିବା ଚିପସ୍ରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ, ରଙ୍ଗ ଓ ଅନ୍ୟାନ୍ୟ ରସାୟନିକ ସାମଗ୍ରୀ ବ୍ୟବହାର ହେଉଛି । ଠିକଣା ଓ ପ୍ରସ୍ତୁତ ଖାଦ୍ୟ ବିଷୟରେ ଠିକଣା ଭାବେ ଉଲ୍ଲେଖ କଲେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାର ସମ୍ଭାବନା ଥିବାରୁ କମ୍ପାନୀମାନେ ଚତୁରତାର ସହିତ ଏଥିରୁ ଦୂରେଇ ରହୁଛନ୍ତି ।
ବର୍ତ୍ତମାନ ଗାଁ ଠାରୁ ସହର ପର୍ଯ୍ୟନ୍ତ ଏଭଳି ଜରି ମୁଣା ଖାଦ୍ୟ ବେଧଡକ ଭାବେ ବିକ୍ରି ହେଉଥିବାବେଳେ ଖାଦ୍ୟ ନିରୀକ୍ଷକମାନେ କିନ୍ତୁ ଏଥିପ୍ରତି ଆଖିବୁଜି ଦେଇଥିବା ଲକ୍ଷ୍ୟ କରାଯାଉଛି । ଏହି ଜରି ପୁଡିଆକୁ ଯାଞ୍ଚ କରାଗଲେ ରାଜ୍ୟରେ କାରବାର ହେଉଥିବା ନିମ୍ନମାନର ଖାଦ୍ୟ ଲୋକ ଲୋଚନକୁ ଆସିପାରନ୍ତା । ଯେହେତୁ ଏହିସବୁ ଖାଦ୍ୟର ସିଂହଭାଗ ଛୋଟ ଛୋଟ ପିଲାମାନେ ଖାଉଛନ୍ତି ଓ ଏଗୁଡିକ ବିଦ୍ୟାଳୟ ଆଖପାଖରେ ଅଧିକ ଭାବେ ବିକ୍ରି ହେଉଛି ତେଣୁ ତାହାର କଡାକଡି ଯାଞ୍ଚ ପାଇଁ ମତପ୍ରକାଶ ପାଉଛି ।
ଖାଦ୍ୟ ନିରୀକ୍ଷକମାନେ ମଝିରେ ମଝିରେ ଛୋଟ ଛୋଟ ହୋଟେଲ, ଫାଷ୍ଟଫୁଡ୍ ଦୋକାନ ଯାଞ୍ଚ କରୁଥିବାବେଳେ ଏଭଳି ଠିକଣା ହୀନ ପ୍ୟାକେଟ୍ ଖାଦ୍ୟକୁ କାହିଁକି ଯାଞ୍ଚ ତାଲିକାରୁ ବାଦ୍ ଦେଉଛନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହା ଉପରେ ଯଦି ନଜର ରଖାନଯାଏ ତେବେ ପିଲାମାନେ ବହୁଳଭାବେ ଖାଉଥିବା ଏହି ନିମ୍ନମାନର ଖାଦ୍ୟ ଆଗାମୀ ଦିନରେ ରାଜ୍ୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜାଇବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)

