Home Excise ଅବକାରୀ ରାଜସ୍ୱ ଲକ୍ଷ୍ୟ ୮୬୮୦ କୋଟି

ଅବକାରୀ ରାଜସ୍ୱ ଲକ୍ଷ୍ୟ ୮୬୮୦ କୋଟି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ନିଶା ନିବାରଣ ପାଇଁ ଦେଶବାସୀଙ୍କ ସହଯୋଗ ଲୋଡୁଥିବା ଏବଂ ନିଶା ସଂଙ୍କୋଚନ ଲାଗି ଓଡିଶା ଶାଖା ବିଜେପି ଗତ ର୍ନିବାଚନରେ ତାହାର ସଙ୍କଳ୍ପପତ୍ରରେ ଘୋଷଣା କରିଥିବାବେଳେ ଚଳିତବର୍ଷ କିନ୍ତୁ ଅବକାରୀ ରାଜସ୍ୱ ବିଗତବର୍ଷ ଅପେକ୍ଷା ଢେର ଅଧିକ ହେବ ବୋଲି ସୂଚନା ମିଳୁଛି ।

୨୦୨୪-୨୫ ବର୍ଷ ପାଇଁ ଓଡିଶା ସରକାର ଯେଉଁ ବଜେଟ୍‍ ଆଣିଛନ୍ତି ସେଥିରେ ରାଜ୍ୟ ସରକାର ଅବକାରୀରୁ ୮୬୮୦ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ସରକାର ମୋଟାମୋଟି ଭାବେ ୬୦ହଜାର କୋଟି ଟଙ୍କାର ନିଜସ୍ୱ ଟିକସ ଓ ୫୮ହଜାର କୋଟି ଟଙ୍କାର ଅଣଟିକସ ରାଜସ୍ୱ ସଂଗ୍ରହ ଲାଗି ଲକ୍ଷ୍ୟ ରଖିଥିବାବେଳେ ଚଳିତବର୍ଷର ଅବକାରୀ ରାଜସ୍ୱ ସରକାରଙ୍କ ନିଜର ମୋଟ୍‍ ଟିକସ ରାଜସ୍ୱ ପରିମାଣର ୧୪.୪୭ ପ୍ରତିଶତ ହେବବୋଲି ଦର୍ଶାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୨୩-୨୪ ବର୍ଷରେ ଓଡିଶା ସରକାର ୭୮୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଥିବାବେଳେ ସେତେବେଳେ ବିରୋଧିଦଳରେ ଥିବା ବିଜେପି ଏହାର କଟୁ ସମାଲୋଚନା କରିଥିଲା । ଲଗାତାର ଭାବେ ବିଜେଡି ସରକାରଙ୍କ ଅମଳର ନିଶା ପ୍ରସାରଣ ବ୍ୟବସ୍ଥାକୁ ବିଜେପି ବିରୋଧିଦଳରେ ଥାଇ ବିରୋଧ କରିବା ସହିତ ଦଳର ବହୁ ନେତା ମଦମୁକ୍ତି ଆନ୍ଦୋଳନକୁ ଖୋଲା ସମର୍ଥନ ଦେଉଥିଲେ ।

କେନ୍ଦ୍ର ସରକାର ଦେଶର ୨୭୨ଟି ଜିଲ୍ଲାରେ ନିଶାମୁକ୍ତି ଅଭିଯାନ ଚଳାଇଥିବାବେଳେ ଓଡିଶାର ୩୦ଟି ଜିଲ୍ଲାକୁ ମଧ୍ୟ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ବୃଦ୍ଧିପାଇଁ ଏବେ ଯେଉଁ ପ୍ରସ୍ତାବ ରହିଛି ସେଥିରୁ ନିଶା କାରବାର କମିବା ପରିବର୍ତ୍ତେ ବଢିବ ବୋଲି ନିଶା ବିରୋଧି ଆନ୍ଦୋଳନ ସହ ଜଡିତ ବିଭିନ୍ନ ସଂଗଠନ ଖୋଲା ଅଭିଯୋଗ କରୁଛନ୍ତି । ୨୦୦୨-୦୩ ବେଳକୁ ଓଡିଶାର ବାର୍ଷିକ ଅବକାରୀ ରାଜସ୍ୱ ପରିମାଣ ୨୪୬ କୋଟି ଟଙ୍କା ଥିବାବେଳେ ଏହା ବଢି ବଢି ୨୦୧୨-୧୩ ବର୍ଷ ବେଳକୁ ୧୪୯୯.୯୧ କୋଟି ଟଙ୍କାରେ ପହଞ୍ଚିଥିଲା । ୨୦୧୪-୧୫ ବର୍ଷ ବେଳକୁ ଏହା ୨୦୩୮.୭୯ କୋଟି ଟଙ୍କାକୁ ଟପିଥିଲା ।

୨୦୧୫-୧୬ରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ବୃଦ୍ଧି ପାଇ ୨୫୬୮.୭୯ କୋଟି ଟଙ୍କା ହୋଇଥିବାବେଳେ ୨୦୧୮-୧୯ରେ ତାହା ୩୯୨୫.୪୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଗୋଟିଏ ପଟେ ରାଜସ୍ୱ ପାଇଁ ସରକାର ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ମାଧ୍ୟମରେ ଅଧିକରୁ ଅଧିକ ପରିମାଣର ନିଶା କାରବାର କରାଉଛନ୍ତି ଏବଂ ସେଥିଲାଗି ବର୍ଷ ବର୍ଷ ଧରି ମଦଦୋକାନଗୁଡିକର ମିନିମମ୍‍ ଗ୍ୟାରେଣ୍ଟି କୋଟା (ଏମଜିକ୍ୟୁ) ପରିମାଣ ମଧ୍ୟ ବୃଦ୍ଧି ପାଉଛି ।

ଗୋଟିଏ ଗୋଟିଏ ଲାଇସେନ୍ସପ୍ରାପ୍ତ ମଦଦୋକାନର ଏମଜିକ୍ୟୁ ଏତେଅଧିକ ରହୁଛି ଯେ ସେହି ଦୋକାନ ମାଧ୍ୟମରେ ଏତେ ପରିମାଣର ମଦ ନିର୍ଦ୍ଧାରିତ ସମୟ ମଧ୍ୟରେ ବିକିବା ଅସମ୍ଭବପର । ତେଣେ ଏମଜିକ୍ୟୁ ଠାରୁ କମ୍‍ ପରିମାଣର ମଦ ଉଠାଇଲେ ଜୋରିମାନା ଆଦାୟ ଲାଇସେନ୍ସ କଟିଯିବାର ମଧ୍ୟ ଭୟ ରହିଛି । ତେଣୁ ଅନେକ କ୍ଷେତ୍ରରେ କୁଚିଆ ପ୍ରଥା ମାଧ୍ୟମରେ ଲୋକମାନଙ୍କ ହାତ ପାଆନ୍ତାରେ ମଦ ପହଞ୍ଚାଇବା ଲାଗି ଗାଁ ଗହଳର ଡାଲି ଚାଉଳ ଦୋକାନ ଠାରୁ ଆରମ୍ଭକରି ସହରାଞ୍ଚଳର ପାନ ବିଡି ଦୋକାନ ପର୍ଯ୍ୟନ୍ତ ବି ଚୋରାରେ ମଦ ମିଳୁଛି । ଏ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ନିବେଦନ ଓ ଶାସନଦଳର ସଙ୍କଳ୍ପପତ୍ର ସହିତ ରାଜ୍ୟ ସରକାରଙ୍କ ଅବକାରୀ ବଜେଟ୍‍ ଖାପ ଖାଉନାହିଁ ବୋଲି ମଦମୁକ୍ତି ଅଭିଯାନ ପକ୍ଷରୁ ଅଭିଯୋଗ ଉଠିଛି । (ତଥ୍ୟ)