ଭୁବନେଶ୍ୱର : ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସହିତ ବର୍ଷ ବର୍ଷ ଧରି ଗଡି ଆସୁଥିବା ପୁରୁଣା ମାମଲାଗୁଡିକୁ ସୀମିତ ସମୟ ମଧ୍ୟରେ ସଫା କରିବାଲାଗି ଓଡିଶା ସରକାର ୨୦୧୧ ମସିହାରେ ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିଶ୍ ମୁତାବକ ରାଜ୍ୟ ମାମଲା ନୀତି ଲାଗୁ କରିଥିଲେ ମଧ୍ୟ ଘୋଷିତ ଲକ୍ଷ୍ୟ ସଫଳ ହୋଇପାରୁ ନାହିଁ । ବିଶେଷକରି ଦୁର୍ବଳ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଯୋଗୁଁ ମାମଲା ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବା ସହ ଉଭୟ ସରକାର ଓ ସାଧାରଣ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ କ୍ୟାବିନେଟରେ ଅନୁମୋଦନ ପରେ ରାଜ୍ୟ ମାମଲା ନୀତି ସଂକ୍ରାନ୍ତୀୟ ଗେଜେଟ ବିଜ୍ଞପ୍ତି ୨୦୧୧ ମଇ ୩୦ ତାରିଖରେ ପ୍ରକାଶ ପାଇଥିଲା । ଏଥିରେ ମାମଲା ପରିଚାଳନା ସଂକ୍ରାନ୍ତରେ ଅନେକଗୁଡିଏ ମାର୍ଗଦର୍ଶିକା ରହିଥିଲା । ତେବେ ବହୁ କ୍ଷେତ୍ରରେ ଏହି ମାମଲା ନୀତିର ମାର୍ଗଦର୍ଶିକାକୁ ସରକାରଙ୍କ ପକ୍ଷରୁ ଲଗାତାର ଭାବେ ଉଲ୍ଲଙ୍ଘନ କରାଯାଉଛି । ସରକାରଙ୍କ ବିରୁଦ୍ଧରେ ରୁଜୁ ମାମଲାରେ ଠିକଣା ସମୟରେ ଉତ୍ତର ଦାଖଲ ନକରିବା ଏବଂ ବାରମ୍ବାର ସରକାରୀ ଓକିଲମାନେ ଅଦାଲତରୁ ସମୟ ନେଇ ଚାଲିବା ଏକ ଖରାପ ପରମ୍ପରାରେ ପଡିଯାଇଛି ।
ମାମଲା ନୀତି ପ୍ରଣୟନ ବେଳକୁ ରାଜ୍ୟରେ ବିଚାର ପ୍ରତୀକ୍ଷାରେ ଥିବା ମାମଲା ସଂଖ୍ୟା ୧୨ଲକ୍ଷରୁ କମ୍ ଥିବାବେଳେ ଏବେ ତାହା ୧୯ଲକ୍ଷକୁ ଟପିଗଲାଣି । ଏହାଛଡା ରାଜସ୍ୱ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ରହିଥିବା ମାମଲାକୁ ହିସାବକୁ ନେଲେ ମୋଟ୍ ବାକିଆ ମାମଲା ସଂଖ୍ୟା ୨୫ଲକ୍ଷ ହେବ ବୋଲି ଆଶଙ୍କା କରାଯାଉଛି ।
ଜାତୀୟ ଜୁଡିସିଆଲ ଡାଟା ଗ୍ରିଡ୍ର ତଥ୍ୟ ମୁତାବକ ଚଳିତମାସ ୧୨ତାରିଖ ସୁଦ୍ଧା କେବଳ ଓଡିଶା ହାଇକୋର୍ଟରେ ୧,୪୩,୦୨୪ ଟି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଅବଶ୍ୟ ଗତ ୫ବର୍ଷ ମଧ୍ୟରେ ଓଡିଶା ହାଇକୋର୍ଟରେ ରୁଜୁ ହେଉଥିବା ମାମଲା ତୁଳନାରେ ଫଏସଲା ସଂଖ୍ୟା ଅଧିକ ରହୁଥିବାରୁ ମୋଟ୍ ମାମଲା ସଂଖ୍ୟା ଢେର କମିଛି ।
ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିଯୁକ୍ତି, ପେନ୍ସନ ଓ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତୀୟ ଅନ୍ୟାନ୍ୟ ପ୍ରସଙ୍ଗ ସ୍ୟାଟ୍ରେ ବିଚାର ହେଉଥିଲା । ଏହା ବିରୁଦ୍ଧରେ ସମ୍ପୃକ୍ତ ପକ୍ଷ ହାଇକୋର୍ଟକୁ ଯାଉଥିଲେ । କିନ୍ତୁ ଗତ ସରକାର ସମୟରେ ସ୍ୟାଟ୍ ଉଚ୍ଛେଦ କରି ଦିଆଯିବା ଫଳରେ ଏଠାରେ ପଡି ରହିଥିବା ମାମଲା ଗୁଡିକର ଚାପ ହାଇକୋର୍ଟଙ୍କୁ ମୁଣ୍ଡାଇବାକୁ ପଡିଥିଲା । ଅନ୍ୟ ପକ୍ଷରେ ଓଡିଶା ହାଇକୋର୍ଟ ଲାଗି ଯେତେ ସଂଖ୍ୟକ ବିଚାରପତି ଆବଶ୍ୟକ ତାହା ପୂରଣ କରାଯାଇ ପାରୁନଥିବାରୁ ସମସ୍ୟା ଲାଗି ରହୁଛି ।
ଗ୍ରିଡ୍ର ତଥ୍ୟ ମୁତାବକ ଓଡିଶାରେ ଏବେ ୧୬,୨୫,୨୦୭ଟି ମାମଲା ବିଭିନ୍ନ ଅଦାଲତରେ ବିଚାର ପ୍ରତୀକ୍ଷାରେ ରହିଛି । ସେଥିରୁ ଦେୱାନୀ ମାମଲା ସଂଖ୍ୟା ୨,୮୨,୩୨୧ ହୋଇଥିବାବେଳେ ଫୌଜଦାରୀ ମାମଲା ସଂଖ୍ୟା କିନ୍ତୁ ୧୩,୪୨,୮୮୬ ରହିଛି । ଫୌଜଦାରୀ ମାମଲାଗୁଡିକ ମଧ୍ୟରୁ ୫ରୁ ୩୦ବର୍ଷ ଏବଂ ତଦୁର୍ଦ୍ଧ ସମୟ ଧରି ଗଡି ଚାଲୁଥିବା ମାମଲା ସଂଖ୍ୟା ୫ଲକ୍ଷ ୩୦ହଜାରରୁ ଅଧିକ ।
ଅଭିଜ୍ଞ ଆଇନ୍ଜୀବୀମାନେ କହୁଛନ୍ତି ଯେ ମାମଲା ଫଏସଲାରେ ବିଳମ୍ବ ସହିତ ଦୁର୍ବଳ ତଦନ୍ତ ଏବଂ ଠିକଣା ସମୟରେ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ କରାନଯିବା ଫଳରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଫୌଜଦାରୀ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି । ଯେତିକି ମାମଲାରେ ବି ଦଣ୍ଡବିଧାନ ହେଉଛି ତାହା ବିରୁଦ୍ଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ଉପର ଅଦାଲତଗୁଡିକରେ ଅପିଲ କରିବା ଫଳରେ ସଂଖ୍ୟାଧିକ କ୍ଷେତ୍ରରେ ଅପରାଧିମାନେ ବାହାରେ ବୁଲୁଛନ୍ତି ଓ ଅପରାଧ ବୃଦ୍ଧିର ଏହା ମୁଖ୍ୟ କାରଣ ହେଉଛି । (ତଥ୍ୟ)