Home Judiciary ସୁପ୍ରିମକୋର୍ଟ ଯିବେ ସରକାର

ସୁପ୍ରିମକୋର୍ଟ ଯିବେ ସରକାର


ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ଦେବା ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟ ଯେତେସବୁ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି ସେଗୁଡିକ ବିରୁଦ୍ଧରେ ସୁପ୍ରିମ୍‍କୋର୍ଟ ଯିବାଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିଘେନି ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

ଏଠାରେ ଉଲ୍ଲେଖନୀୟ ଯେ, ଗତ ସେପ୍ଟେମ୍ବର ୨୫ ତାରିଖରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ରୁଜୁ ହୋଇଥିବା ୧୬୮ଟି ରିଟ୍‍ ଆପିଲ୍‍କୁ ଖାରଜ କରିଦେଇ ୨୦୨୦ର ନୂଆ ଅନୁକମ୍ପାମୂଳକ ନିଯୁକ୍ତି ଆଇନ ଆସିବା ପୂର୍ବରୁ ଯେତେସବୁ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନ ଆସିଛି ଓ ଯେଉଁ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କର ନୂଆ ଆଇନ ଆସିବା ଆଗରୁ ମୃତ୍ୟୁ ଘଟିଛି ସେ ସବୁ କ୍ଷେତ୍ରରେ ୧୯୯୦ର ପୁରୁଣା ଆଇନ ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହି ରାୟକୁ ଭିତ୍ତିକରି ବର୍ତ୍ତମାନର କାର୍ଯ୍ୟକାରୀ ବିଚାରପତି ବି. ଆର୍‍. ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆଉ କେତେକ ରିଟ୍‍ ଆପିଲ୍‍ର ପରିସମାପ୍ତି ଘଟାଇ ବିନ୍ଦୁ ସାଗର ସାମନ୍ତରାୟ ଓ ଅନ୍ୟ ଆବେଦନକାରୀଙ୍କ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ରିଟ୍‍ ଆପିଲ୍‍ରେ ହାଇକୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଓଡ଼ିଶା ହାଇକୋର୍ଟର ବିଭିନ୍ନ ଜଣିକିଆ ବେଞ୍ଚରେ ବିଚାରପତିମାନେ ସୁପ୍ରିମ୍‍କୋର୍ଟଙ୍କ ମଳୟାନନ୍ଦ ସେଠୀ ମାମଲାର ରାୟ ଆଧାରରେ ପୁରୁଣା ଆଇନ ଭିତ୍ତିରେ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନର ନିଷ୍ପତ୍ତି ନେବାକୁ ଯେତେସବୁ ଆଦେଶ ଦେଇଛନ୍ତି ତାହା ବିରୁଦ୍ଧରେ ପ୍ରାୟ ପ୍ରତିଦିନ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟରେ ରିଟ୍‍ ଆପିଲ୍‍ମାନ ଦାଖଲ କରି ଚାଲିଛନ୍ତି ଏବ ସୁପ୍ରିମ୍‍କୋର୍ଟଙ୍କ ମଳୟାନନ୍ଦ ସେଠୀ ମାମଲାର ରାୟ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ବିନ୍ଦୁସାଗର ସାମନ୍ତରାୟ ମାମଲା ରାୟର ନଜିର୍‍ ଦର୍ଶାଇ ରିଟ୍‍ ଆପିଲ୍‍ ଗୁଡିକର ବିଚାର ସାରୁଛନ୍ତି ।

ବହୁ କ୍ଷେତ୍ରରେ ଓଡ଼ିଶା ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ ହେଉନଥିବାରୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରତ୍ୟାଶୀମାନଙ୍କ ପକ୍ଷରୁ ବହୁ ଅଦାଲତ ଅବମାନନା ମାମଲା ବି ରୁଜୁ ହେଉଛି । ଅଦାଲତ ଅବମାନନା ମାମଲା ରୁଜୁ ହେବା ପରେ ପରେ ସରକାର ରିଟ୍‍ ଅପିଲ୍‍ ଓ ଏସ୍‍ଏଲ୍‍ପି ଦାଖଲ କରୁଛନ୍ତି । ପରିବାରର ରୋଜଗାରକ୍ଷମ ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଭାଙ୍ଗି ପଡିଛନ୍ତି ସେମାନଙ୍କୁ ବର୍ଷ ବର୍ଷେ ଧରି ନିଯୁକ୍ତି ପାଇଁ କର୍ତ୍ତୃପକ୍ଷ ଲିଖିତ ଓ ଅଲିଖିତ ଆଶ୍ୱାସନା ଦେଇ ଭଣ୍ଡାଇବା ପରେ ଅଦାଲତଙ୍କ ରାୟକୁ ବି ଗଡ଼ାଇ ଚାଲୁଛନ୍ତି । ଏ ପ୍ରସଙ୍ଗରେ ଚାକିରିରୁ ବଞ୍ôଚତ ମଳୟାନନ୍ଦ ସେଠୀ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ଅଦାଲତ ଉଭୟ ପକ୍ଷର ବିସ୍ତୃତ ଶୁଣାଣି କରି ଏକ ସୁଦୀର୍ଘ ରାୟ ପ୍ରଦାନ କରିଥିଲେ ଏବଂ ତଦନୁଯାୟୀ ମଳୟାନନ୍ଦ ସେଠୀଙ୍କୁ ସରକାର ନିଯୁକ୍ତି ଦେବାକୁ ବାଧ୍ୟ ହୋଇଛନ୍ତି । ମଳୟାନନ୍ଦ ସେଠୀଙ୍କ ମୃତ ପିତାଙ୍କ ଅନ୍ୟଜଣେ ସହକର୍ମୀଙ୍କ ପୁଅ ଅନିଲ ପାଢି ପ୍ରଥମେ ସ୍ୟାଟ୍‍ ଓ ପରେ ଓଡ଼ିଶା ହାଇକୋର୍ଟରେ ମାମଲା ଲଢି ଯେଉଁ ରାୟ ପାଇଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ଲାଗି ଆଇନ ବିଭାଗ ଦୁଇଥର ଅନୁକୂଳ ମତ ଦେଇଥିବାବେଳେ ଏବେ ଅନ୍ୟସୂତ୍ରରୁ ପରାମର୍ଶ ଆଣି ସରକାର ଅପିଲ୍‍ରେ ଯିବାକୁ ଚାହୁଁଛନ୍ତି ।

ମୋଟାମୋଟି ଭାବେ ଓଡ଼ିଶା ହାଇକୋର୍ଟରେ ଏବେ ଶହ ଶହ ସଂଖ୍ୟାରେ ଅନୁକମ୍ପାମୂଳକ ନିଯୁକ୍ତି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିରୁ ଯେଉଁ ଗୁଡିକ ଫଇସଲା ହେଉଛି ତାହା ବିରୁଦ୍ଧରେ ହେଇଥିବା ରିଟ୍‍ ଅପିଲ୍‍, ଏସ୍‍ଏଲ୍‍ପି ଓ ଏହାର କାର୍ଯ୍ୟକାରିତା ପାଇଁ ରୁଜୁ କରାଯାଉଥିବା ଅଦାଲତ ଅବମାନନା ମାମଲାରେ ଚାକିରି ପ୍ରତ୍ୟାଶୀମାନେ ଅତ୍ୟଧିକ ଖର୍ଚ୍ଚାନ୍ତ ହେଉଥିବାବେଳେ ସରକାରଙ୍କର ମଧ୍ୟ ଶକ୍ତି, ସମୟ ଓ ସମ୍ବଳ ନଷ୍ଟ ହେଉଛି । ସୁପ୍ରିମ୍‍କୋର୍ଟ ପର୍ଯ୍ୟନ୍ତ ମାମଲା ଲଢି ରାୟ ନଆଣିଲେ ଅନୁକମ୍ପାମୂଳକ ନିଯୁକ୍ତି ମିଳିବା ସମ୍ଭବପର ନୁହେଁ ବୋଲି କେତେକ କ୍ଷେତ୍ରରେ ଅଧିକାରୀମାନେ ମଧ୍ୟ ଅସହାୟତା ପ୍ରକାଶ କରି କହୁଛନ୍ତି । (ତଥ୍ୟ)