ଭୁବନେଶ୍ୱର : ରାଜଧାନୀରେ ବର୍ଜ୍ୟବସ୍ତୁକୁ ନେଇ ବିଏମ୍ସିର ଚିନ୍ତା ବଢୁଥିବାବେଳେ ବିଭିନ୍ନ ୱାର୍ଡ ସଫେଇ ବାବଦରେ ୫ଟି ସଂସ୍ଥା କୋଟି କୋଟି ଟଙ୍କା ନେଉଛନ୍ତି । କେବଳ କଠିନ ବର୍ଜ୍ୟସ୍ତୁ ସଫେଇ ପାଇଁ ଗତ ଚାରିବର୍ଷରେ ବିଏମ୍ସି ୩୦୩ କୋଟିର ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ବିଏମ୍ସି ବର୍ଷକୁ ହାରାହାରି ୧,୨୪,୧୦୦ ଟନ୍ ପରିମାଣର ବର୍ଜ୍ୟବସ୍ତୁ ପରିଚାଳନା କରୁଛି । ଏହି ଅଳିଆକୁ ବିଏମ୍ସି କେତେକ ୱାର୍ଡରେ ପରିଚାଳନା କରୁଥିବାବେଳେ ୫ଟି ଘରୋଇ ସଂସ୍ଥାକୁ ବିଭିନ୍ନ ୱାର୍ଡର ସଫେଇ ଦାୟିତ୍ୱ ଦିଆଯାଇଛି । ଏଥି ମଧ୍ୟରେ ସର୍ବାଧିକ ୨୦ଟି ୱାର୍ଡର ସଫେଇ କାର୍ଯ୍ୟ ଆୱାରଲ୍ୟାଣ୍ଡ ଇଞ୍ଜିନିୟରିଂ ସଂସ୍ଥା ନେଇଛି । ସଫେଇ ବାବଦରେ ଏହି ସଂସ୍ଥା ବାର୍ଷିକ ୧୬.୦୬୩ କୋଟି ଟଙ୍କା ନେଉଛି ।
ସେହିଭଳି ଜାଗୃତି ୱେଲଫାର ୮ଟି ୱାର୍ଡର ସଫେଇ ଦାୟିତ୍ୱ ନେଇଥିବାବେଳେ ଏହି ସଂସ୍ଥା ବର୍ଷକୁ ୧୦.୪୮୫ କୋଟି ଟଙ୍କା ନେଉଛି । ୭ଟି ୱାର୍ଡର ସଫେଇ ଦାୟିତ୍ୱ ପ୍ରତ୍ୟୁଷ ନାମକ ସଂସ୍ଥାକୁ ଦିଆଯାଇଥିବାବେଳେ ଏହି ସଂସ୍ଥା ବାର୍ଷିକ ୭.୮୭୭୨ କୋଟି ଟଙ୍କା ନେଉଛି । ଆଉ ୬ଟି ୱାର୍ଡର ସଫେଇ କାର୍ଯ୍ୟ ଗ୍ରିନ୍ ସର୍କଲ ଏନଭାର୍ଣ୍ଣମେଣ୍ଟ ନାମକ ସଂସ୍ଥା ନେଇଥିବାବେଳେ ଏ ବାବଦରେ ଉକ୍ତ ସଂସ୍ଥାକୁ ବାର୍ଷିକ ୪.୪୨୩ କୋଟି ଟଙ୍କା ଦିଆଯାଉଛି । ସବୁଠାରୁ କମ୍ ୩ଟି ୱାର୍ଡର ସଫେଇ କାର୍ଯ୍ୟ ପି.ହର୍ଷବର୍ଦ୍ଧନ ରେଡ୍ଡୀ ନାମ ସଂସ୍ଥା ନେଇଥିବାବେଳେ ଉକ୍ତ ସଂସ୍ଥାକୁ ବାର୍ଷିକ ୧୦.୪୯୪ କୋଟି ଟଙ୍କା ପ୍ରଦାନ କରାଯାଉଛି ।
ସେହିଭଳି ୨୦୧୮-୧୯ ରୁ ୨୦୨୧-୨୨ ବର୍ଷ ପର୍ଯ୍ୟନ୍ତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବାବଦରେ ବିଏମ୍ସି ୩୦୩ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛି । ଏହି ଖର୍ଚ୍ଚ ବର୍ଷକୁ ବର୍ଷ ବଢୁଥିବାବେଳେ ୨୦୨୧-୨୨ ରେ ସର୍ବାଧିକ ୯୬.୭୮୪ କୋଟି ଟଙ୍କା ବ୍ୟୟ କରାଯାଇଛି ।
ତେବେ କୋଟି କୋଟି ଟଙ୍କା ସଫେଇ ପାଇଁ ବ୍ୟୟ ହେଉଥିବାବେଳେ ଏବେ ସଫେଇ ପରେ ଉଠୁଥିବା ଅଳିଆ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଠାରେ ରାଜଧାନୀର ବର୍ଜ୍ୟ ପକାଇବା ବନ୍ଦ ହେବାପରେ ଏବେ ସୈନିକସ୍କୁଲ ପାଶ୍ୱର୍ରେ ଥିବା ଅଳିଆଗଦାକୁ ନେଇ ବିବାଦ ସୃଷ୍ଟି ହେଲାଣି । ରାଜଧାନୀ ସହରରୁ ଦୈନିକ ହାରାହାରି ୩୫୦ ଟନ୍ର ବର୍ଜ୍ୟବସ୍ତୁ କେଉଁଠି ପକାଯିବ ତାହାକୁ ନେଇ ବିଏମ୍ସି ଚିନ୍ତାରେ ଥିବାବେଳେ ସହରର ବର୍ଜ୍ୟ ଗଦା ହେଉଥିବା ଅଞ୍ଚଳବାସୀ ଏବେ ବଡ ଆନ୍ଦୋଳନ ପାଇଁ ସଜବାଦ ହେଉଥିବା ସୂଚନା ମିଳିଲାଣି । (ତଥ୍ୟ)