ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ ବଡ଼ ଭିତ୍ତିଭୂମି ଉନ୍ନୟନ ଏବଂ ପୁଞ୍ଜିନିବେଶ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ (ସି.ସି.ଆଇ.ପି.ଏମ୍.ଜି) ବୈଠକର ଆଲୋଚନାରୁ ଏହା ଜଣାପଡିଛି ।
ଏହି ମିଳିତ ସମୀକ୍ଷା ବୈଠକରେ ଶିଳ୍ପ ଓ ଆନ୍ତଃ-ବାଣିଜ୍ୟ ବିକାଶ (ଡ଼ି.ପି.ଆଇ.ଆଇ.ଟି.) ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅମ୍ରିତ ଲାଲ ମୀନା, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ପାଣ୍ଡେଙ୍କ ସମେତ କେନ୍ଦ୍ରୀୟ ପ୍ରକଳ୍ପ ତଦାରଖ କମିଟିର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କ୍ଷେତ୍ରସ୍ତରୀୟ ସମସ୍ୟାଗୁଡିକର ବିଭିନ୍ନ ଦିଗକୁ ବିଚାରକରି ସେସବୁର ଆଶୁ ସମାଧାନ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମାଧାନ ପନ୍ଥା ନିର୍ଣ୍ଣୟ କରିଥିଲେ । ଏହିସବୁ ସମାଧାନ ସହ ପ୍ରକଳ୍ପଗୁଡିକର ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟାନ୍ୱୟନ ପାଇଁ ମଧ୍ୟ ଶ୍ରୀ ମହାପାତ୍ର ସମୟ- ସାରଣୀ ନିର୍ଦ୍ଧାରଣ କରିଥିଲେ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟସାରଣୀକୁ ସମୟାନୁବନ୍ଧିତ ଭାବେ କ୍ଷେତ୍ରାନ୍ୱୟନ କରିବାକୁ ଶ୍ରୀ ମହାପାତ୍ର ସଂପୃକ୍ତ ସଂସ୍ଥା, ସରକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କେନ୍ଦ୍ରୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମୀନା ପ୍ରକଳ୍ପ ଗୁଡ଼ିକର ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ଏବଂ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ସମୟୋଚିତ ପ୍ରଚେଷ୍ଟାର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସି.ସି.ଆଇ. ପ୍ରକଳ୍ପ ତଦାରଖ ଗ୍ରୁପ୍ ପୋର୍ଟାଲରେ ଥିବା ଓଡ଼ିଶାର ୧୬୫ ଟି ବୃହତ୍ ପୁଞ୍ଜିନିବେଶ ପ୍ରକଳ୍ପ ମଧ୍ୟରୁ ପ୍ରାୟ ଶତକଡ଼ା ୮୦ ଭାଗ ପ୍ରକଳ୍ପ ବିଶେଷ ଅଗ୍ରଗତି କରିଛି ।
ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ଏହିସବୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନିମନ୍ତେ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ହୋଇପାରିଛି । ଅବଶିଷ୍ଟ ଶତକଡ଼ା ୨୦ ଭାଗ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ବେଳେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପନ୍ଥା ମଧ୍ୟ ତ୍ୱରାନ୍ୱିତ ଭାବେ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇଛି । ଏପରି ସକ୍ରିୟ ସହଭାଗିତା ପାଇଁ ଶ୍ରୀ ମୀନା ରାଜ୍ୟ ସରକାର ଓ ପ୍ରଶାସନଙ୍କୁ ଧନ୍ୟବାଦ ଦେଇଥିଲେ ।
ବୈଠକରେ ୩୩ ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଏ ସବୁ ଦ୍ୱାରା ରେଳବାଇ, ଜାତୀୟ ରାଜପଥ, ତୈଳ ଓ ଗ୍ୟାସ୍, କଅଷି ଖଣି, ସିମେଣ୍ଟ ଉତ୍ପାଦନ ଓ ଟେଲି-ଯୋଗାଯୋଗ ଆଦି କ୍ଷେତ୍ରରେ ପ୍ରାୟ ୧,୨୬,୨୮୯ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପ ଉନ୍ନୟନ ସଂସ୍ଥାମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ସମୁଦାୟ ୮୨ ଟି ସମସ୍ୟାର ସମାଧାନ ପନ୍ଥା ନିର୍ଣ୍ଣୟ କରାଯାଇଥିଲା । ରେଳବାଇ କ୍ଷେତ୍ରରେ ବାଂଶପାଣି-ଜଖପୁରା ରେଳ ଲାଇନ୍ ଦୋହରୀକରଣ, ରାଉରକେଲା-ଝାରସୁଗୁଡ଼ା ରେଳ ଟ୍ରାକ୍ର ୩ୟ ଲାଇନ୍, ଭଦ୍ରକ-ନେରର୍ଗୁଣ୍ଡି ଟ୍ରାକ୍ର ୩ୟ ଲାଇନ୍, ହାତିଆ-ବଣ୍ଡମୁଣ୍ଡା ରେଳ ଲାଇନ୍ର ଦୋହରୀକରଣ, ବୁଢ଼ାପଙ୍କ-ଶାଳଗାଁ ରେଳ ଟ୍ରାକର ୩ୟ ଏବଂ ୪ର୍ଥ ଲାଇନ୍, ବିଜୟ ନଗରମ୍-ଟିଟିଲାଗଡ଼ ଟ୍ରାକର୍ ୩ୟ ଲାଇନ୍, ସମ୍ବଲପୁର-ତାଳଚେର ଲାଇନ୍ର ଦୋହରୀକରଣ, ଖୋର୍ଦ୍ଧା-ବଲାଙ୍ଗିର ବ୍ରୋଡ୍ ଗଜ୍ ଲାଇନ୍, ତାଳଚେର-ବିମଲାଗଡ଼ ନୂଆ ଲାଇନ୍, ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ୍, ଜାରପଡା-ବୁଢ଼ାପଙ୍କ ଲାଇନ୍ ପାଇଁ ତାଳଚେରଠାରେ ଫ୍ଲାଏ ଓଭର, ବଣ୍ଡମୁଣ୍ଡା-ରାଉରକେଲା ୪ର୍ଥ ଲାଇନ୍ଝାରସୁଗୁଡ଼ା-ବିଳାଶପୁର ରେଳ ଟ୍ରାକ୍ର ୪ର୍ଥ ଲାଇନ୍, ଏବଂ ସମ୍ବଲପୁର-ଟିଟିଲାଗଡ଼ ରେଳ ଟ୍ରାକ୍ର ଦୋହରୀକରଣ ଆଦି ପ୍ରକଳ୍ପର ସମୀକ୍ଷାରେ ସ୍ଥାନ ପାଇଥିଲା ।
ସେହିପରି ପାରାଦ୍ୱୀପ-ହାଇଦ୍ରାବାଦ ଉତ୍ପାଦ ପରିବହନ ପାଇପ୍ ଲାଇନ୍, ଏମ୍.ସି. ଏଲ୍ର ୩ଟି କୋଇଲା ଖଣି ପ୍ରକଳ୍ପ, ନାଲ୍କୋର ୨ଟି କୋଇଲା ଖଣି ପ୍ରକଳ୍ପ ଆଦିର ଅଗ୍ରଗତି ସମୀକ୍ଷା ହୋଇଥିଲା । ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କର ୭ଟି ରାଜପଥ ଉନ୍ନୟନ ପ୍ରକଳ୍ପ, ନାଲ୍କୋର ୫ମ ଷ୍ଟ୍ରିମ୍ ରାଇଫାଇନାରୀ ସଂପ୍ରସାରଣ ପ୍ରକଳ୍ପ, ପଟ୍ଟାଙ୍ଗି ବକ୍ସାଇଟ୍ ଖଣି ବିକାଶ, କୋଡାମେଟ୍ଟା ଚୁନପଥର ବ୍ଲକ୍, ଡ଼ାଲ୍ମିଆ ସିମେଣ୍ଟ୍, ଆନନ୍ଦପୁର ସମନ୍ୱିତ ବ୍ୟାରେଜ୍ ଏବଂ ଭାରତ ନେଟ୍ ଆଦି ପ୍ରକଳ୍ପର ଅଗ୍ରଗତି କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରାଯାଇ ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ସବୁ ପ୍ରକଳ୍ପ ନିମନ୍ତେ ଜଙ୍ଗଲ ଜମି ଅନୁମତି, କ୍ଷତିପୁରଣ ଆବଣ୍ଟନ, ସତ୍ତ୍ୱାଧିକାର ପ୍ରମାଣପତ୍ର, ସରକାରୀ ଜମିରେ କାର୍ଯ୍ୟପାଇଁ ଆଗୁଆ ଅନୁମତି, କ୍ଷତିପୂରକ ବନୀକରଣ, ବିଦ୍ୟୁତ୍ ଏବଂ ଫୋନ୍ ସଂଚାର ଲଇନ୍ର ସ୍ଥାନାନ୍ତରୀକରଣ, ପରିବେଶ ଅନୁମତି, ଜମି ହସ୍ତାନ୍ତରକରଣ ଆଦି ପ୍ରାୟ ୮୨ ଟି ବିଭିନ୍ନ ସମସ୍ୟାର ଅନୁଶୀଳନ ହୋଇ ଆଶୁ ସମାଧାନ ପନ୍ଥାମାନ ନିର୍ଦ୍ଧାରଣ କରାଯାଇଥିଲା ।
ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ସିଧା ସଳଖ ନିଜ ନିଜର ସମସ୍ୟା ଓ ଅଗ୍ରଗତି ବିଷୟ ବୈଠକରେ ଜଣାଇଥିଲେ । ସଂପୃକ୍ତ ଜିଲ୍ଲାମାନଙ୍କରୁ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରୀୟ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରକଳ୍ପ ଗୁଡିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମ୍ବନ୍ଧୀୟ ସଦ୍ୟତନ ସ୍ଥିତି ପୋର୍ଟାଲ୍ରେ ନିୟମିତ ଅପ୍ଲୋଡ୍ କରିବା ନିମନ୍ତେ ସଂପୃକ୍ତ କାର୍ଯ୍ୟାନ୍ୱୟନ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।