ଭୁବନେଶ୍ୱର : ନୂତନ ଜଙ୍ଗଲ ସୃଷ୍ଟି ପାଇଁ ରାଜ୍ୟ ସରକାର ଯେତେସବୁ ଗଛ ଲଗାଉଛନ୍ତି ସେଥିରୁ ୯୦ ପ୍ରତିଶତରୁ ଅଧିକ ବଞ୍ଚିଯାଉଛି । ୨୦୨୩-୨୪ ବର୍ଷରେ ଲଗାଯାଇଥିବା ଗଛର ୯୮ ପ୍ରତିଶତ ବଞ୍ଚିଥିବା ସରକାରୀ ସୂଚନାରୁ ଜଣାପଡିଛି ।
ରାଜ୍ୟ ସରକାର ବର୍ଷକୁ ପ୍ରାୟ ୫ଲକ୍ଷ ନୂତନ ବୃକ୍ଷ ରୋପଣ କରୁଛନ୍ତି । ତେବେ କୋଭିଡ ବ୍ୟାପିଥିବା ବର୍ଷରେ ଏହି ପରିମାଣ ୪ଲକ୍ଷରୁ ସାମାନ୍ୟ ଅଧିକ ରହିଥିଲା । ସେହିବର୍ଷ ମଧ୍ୟ ବଞ୍ଚିଥିବା ଗଛର ହାରାହାରି ୯୨ ପ୍ରତିଶତ ରହିଥିଲା । କିନ୍ତୁ ଅନ୍ୟ ବର୍ଷଗୁଡିକରେ ସରକାର ଅଧିକରୁ ଅଧିକ ବୃକ୍ଷରୋପଣ କରୁଥିବାବେଳେ ୯୦ ପ୍ରତିଶତରୁ ଅଧିକ ଗଛ ବଞ୍ଚୁଥିବା କୁହାଯାଉଛି ।
ତେବେ ବୃକ୍ଷରୋପଣ ପାଇର୍ ସରକାର ଯେତିକି ବ୍ୟୟ ଅଟକଳ କରୁଛନ୍ତି ସେହି ପରିମାଣରେ ଅର୍ଥ ବ୍ୟୟ କରିପାରୁ ନାହାନ୍ତି । ୨୦୨୦-୨୧ ବର୍ଷରେ ଗଛ ଲଗାଇବାପାଇଁ ସରକାର ୩୭କୋଟି ୨୭ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଥିବାବେଳେ ୩୪କୋଟି ୪୭ଲକ୍ଷ ଟଙ୍କା ବ୍ୟୟ କରିବାରେ ସକ୍ଷମ ହୋଇଥିଲେ । ସେହିଭଳି ରାଜ୍ୟର ବ୍ଲକଗୁଡିକରେ ୧ଲକ୍ଷ ୪୪ହଜାର ଗଛ ଲାଗିଥିବାବେଳେ ରାସ୍ତା ପାଶ୍ୱର୍ରେ ୩ଲକ୍ଷ ୩୭ହଜାରରୁ ଅଧିକ ଗଛ ଲାଗିଥିଲା ।
୨୦୨୧-୨୨ ବର୍ଷରେ ରାଜ୍ୟ ସରକାର ନୂତନ ଗଛ ଲଗାଇବାପାଇଁ ୪୦କୋଟି ୧୧ଲକ୍ଷ ଟଙ୍କା ବ୍ୟୟବରାଦ କରିଥିବାବେଳେ ଖର୍ଚ୍ଚ କରିଥିବେଲ ପ୍ରାୟ ୩୯ କୋଟି ଟଙ୍କା । ୨୦୨୨-୨୩ ବର୍ଷରେ ୪୦କୋଟି ୫୩ଲକ୍ଷ ଟଙ୍କାର ଅଟକଳ ଥିବାବେଳେ ପ୍ରାୟ ୩୯କୋଟି ଟଙ୍କା ବ୍ୟୟ କରିବାରେ ସଫଳ ହୋଇଥିଲେ । ୨୦୨୩-୨୪ ବର୍ଷରେ କିନ୍ତୁ ସର୍ବାଧିକ ୪୫କୋଟି ୪୫ଲକ୍ଷ ଟଙ୍କା ଗଛ ଲଗାଇବାରେ ଖର୍ଚ୍ଚ ହେବବୋଲି ଅଟକଳ କରାଯାଇଥିଲା । ହେଲେ ଏହିବର୍ଷ ଖର୍ଚ୍ଚ ହୋଇଥିଲା ମାତ୍ର ୨୭ଲକ୍ଷ ୭୮ହଜାର ଟଙ୍କା । ୨୦୨୪-୨୪ ବର୍ଷରେ ଏ ବାବଦରେ ୨୬କୋଟି ୭୨ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ପାଖାପାଖି ୧୫କୋଟି ଟଙ୍କା ବ୍ୟୟ ହୋଇପାରିଛି ।
ସରକାର ବରାଦ କରୁଥିବା ଅର୍ଥରେ ବ୍ଲକ, ଓ ପଥପାଶ୍ୱର୍ରେ ଚାରା ରୋପଣ କରୁଛନ୍ତି । ପ୍ରତିବର୍ଷ ଏ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବାବେଳେ ୯୦ ପ୍ରତିଶତରୁ ଅଧିକ ସଂଖ୍ୟାରେ ଗଛ ବଞ୍ଚିବା ଏକ ବଡ ସଫଳତା ବୋଲି କୁହାଯାଉଛି । ବରାଦ ହେଉଥିବା ଅର୍ଥରେ ରାଜ୍ୟ ରାଜପଥ, ଜାତୀୟ ରାଜପଥ ସମେତ ଖଣି ଅଞ୍ଚଳରେ ମଧ୍ୟ ବୃକ୍ଷରୋପଣ କରାଯାଉଛି । ଗଛ ଲଗାଇବା ପରବର୍ତ୍ତୀ ରକ୍ଷଣା ବେକ୍ଷଣ ବଡ ଆହ୍ୱାନ ହୋଇଥିବାବେଳେ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଏତେ ସଂଖ୍ୟକ ଗଛକୁ ବଞ୍ଚାଇ ରଖିବା ଏକ ବଡ ସଫଳତା ବୋଲି କୁହାଯାଉଛି । (ତଥ୍ୟ)