ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଯଦି ବାତ୍ୟାରେ ପରିଣତ ହୋଇ ଓଡିଶାକୁ ପ୍ରଭାବିତ କରେ ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାବାସୀ ୯ମ ବାତ୍ୟା ଭାବେ ଏହାକୁ ସାମ୍ନା କରିବେ । ୧୯୯୯ର ମହାବାତ୍ୟା ପରେ ବର୍ତ୍ତମାନ ସୁଦ୍ଧା ଓଡିଶା ୮ଟି ବାତ୍ୟାର ସମ୍ମୁଖୀନ ହୋଇଛି ।
୨୦୦୦ ମସିହା ପରଠାରୁ ଓଡିଶା ସମ୍ମୁଖୀନ ହୋଇଥିବା ବାତ୍ୟାଗୁଡିକ ମଧ୍ୟରେ ରହିଛି ୨୦୧୩ରେ ଆସିଥିବା ଫାଇଲିନ୍, ୨୦୧୪ର ବାତ୍ୟା ହୁଡ୍ହୁଡ୍, ୨୦୧୮ ରେ ଆସିଥିବା ବାତ୍ୟା ତିତିଲି, ପେଥାଇ ଓ ଡାଏ, ୨୦୧୯ର ଫନି ଓ ବୁଲ୍ ବୁଲ୍ ଏବଂ ୨୦୨୦ ର ଅମ୍ଫାନ । ଏହି ସମସ୍ତ ୮ଟି ବାତ୍ୟା ମଧ୍ୟରୁ ଗୋଟିଏ ଦୁଇଟିକୁ ବାଦ୍ ଦେଲେ ଅନ୍ୟଗୁଡିକ ଓଡିଶାରେ ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ହେଲେ ୯ମ ବାତ୍ୟା ଭାବେ ୟଶ୍ ଓଡିଶାରେ କ୍ଷୟକ୍ଷତି ଘଟାଇପାରେ ।
ତେବେ ଏହି ଦୁଇ ଦଶନ୍ଧିରେ ଆସିଥିବା ବାତ୍ୟାରେ ପାଖାପାଖି ୩୨ହଜାର କୋଟି ଟଙ୍କା କ୍ଷୟକ୍ଷତି ଆକଳନ କରାଯାଇଥିବାବେଳେ ୧୬୦ଜଣଙ୍କ ଜୀବନ ଯାଇଥିଲା । ତେବେ ସବୁଠାରୁ ଅଧିକ କ୍ଷତି ଘଟାଇଥିଲା ଫାଇଲିନ୍ । ଉପକୂଳରେ ତାଣ୍ଡବ ରଚିଥିବା ଫାଇଲିନ୍ରେ ୧୪ହଜାର କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ଆକଳନ ହୋଇଥିବାବେଳେ ଏଥିରେ ୨୧ଜଣ ପ୍ରାଣ ହରାଇଥିଲେ ।
ଏହା ପଛକୁ ଫନିରେ ୯ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ଘଟିଥିବାବେଳେ ୬୪ଜଣ ମରିଥିଲେ । ତେବେ ସର୍ବାଧିକ ମୁଣ୍ଡ ନେଇଥିଲା ତିତିଲ୍ । ଏହି ବାତ୍ୟାରେ ୭୨ଜଣଙ୍କ ପ୍ରାଣ ଯାଇଥିଲା । ତିତିଲ୍ ଦକ୍ଷିଣ ଓଡିଶାର ଆଭ୍ୟନ୍ତରୀଣ କ୍ଷେତ୍ରରେ ତାଣ୍ଡବଲୀଳା ରଚିଥିଲା ।
ତେବେ ଉପକୂଳରେ ସାମାନ୍ୟ ପ୍ରଭାବ ପକାଇଥିବା ୨୦୧୮ର ଡାଏ, ୨୦୧୯ ର ବୁଲ୍ ବୁଲ୍ ଓ ୨୦୨୦ ର ଅମ୍ଫାନରେ କୌଣସି ଜୀବନହାନି ଘଟିନଥିଲା । ୨୦୧୪ର ହୁଡ୍ ହୁଡ୍ରେ ୩ଜଣଙ୍କ ଜୀବନ ଯାଇଥିଲା । ସେହିଭଳି ବାତ୍ୟା ଡାଏ ପ୍ରଭାବରେ ଓଡିଶାରେ ସର୍ବନିମ୍ନ ୨କୋଟି ୩୩ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ସରକାରୀ ଭାବେ ଆକଳନ କରାଯାଇଥିଲା ।
ଆଠଟି ବାତ୍ୟରେ ପାଖାପାଖି ୩୨ହଜାର କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବାବେଳେ ଓଡିଶା ସରକାର ଏହାର ଭରଣା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପାଖପାଖି ୩୦ହଜାର କୋଟି ଟଙ୍କାର ଦାବି ରଖିଥିଲେ । ତେବେ କେନ୍ଦ୍ରରୁ ମିଳିଥିଲା ମାତ୍ର ୫୨୮୫କୋଟି ଟଙ୍କା ।
ବର୍ତ୍ତମାନ ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇ ଓଡିଶା ମୁହାଁଇବା ପୂର୍ବାନୁମାନ କରାଯାଉଥିବାବେଳେ ଏହାର ମୁକାବିଲା ପାଇଁ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି । ଏହା ଚଳିତବର୍ଷର ପ୍ରଥମ ବାତ୍ୟା ହୋଇଥିବାବେଳେ ମହାବାତ୍ୟା ପରେ ଓଡିଶାବାସୀ ୯ମ ବାତ୍ୟା ଭାବେ ଏହାକୁ ସାମ୍ନା କରିବାକୁ ଯାଉଛନ୍ତି । (ତଥ୍ୟ)