ଭୁବନେଶ୍ୱର : ଚୋରା ନିଶା ଜବତ କରିବାପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚଢଉ ସହିତ ମାଳ ମାଳ ମାମଲା ରୁଜୁ ହେଉଥିବାବେଳେ ଦଣ୍ଡବିଧାନ କିନ୍ତୁ ଅତ୍ୟନ୍ତ ଦୁର୍ବଳ । ଗତ ବର୍ଷକରେ ୮୪ ହଜାରରୁ ଅଧିକ ଅବକାରୀ ମାମଲା ବିଚାର ପାଇଁ ଥିବାବେଳେ ମାତ୍ର ୮ଟିରେ ଦଣ୍ଡବିଧାନ ହୋଇଛି ଓ ୧୧ ହଜାରରୁ ଅଧିକ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହା ହେଉଛି ସରକାରୀ ତଥ୍ୟ ।
ରାଜ୍ୟର ୩୩ଟି ଅବକାରୀ ଜିଲ୍ଲା ସହିତ ଅବକାରୀ ଗୁଇନ୍ଦା ଓ ଚଢାଉ ପାଇଁ ଥିବା ଆଉ ୪ଟି ବ୍ୟୁରୋ ରହିଛି । ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନ କାଳରେ ଖୋଦ ଅବକାରୀ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ ୫ବର୍ଷ ଭିତରେ କେଉଁ ଜିଲ୍ଲାରେ କେତେ ଅବକାରୀ ମାମଲା ବିଚାରପାଇଁ ରହିଥିଲା ଏବଂ ସେଥିରୁ କେତେ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ଓ ଆଉ କେତେକରେ ଅଭିଯୁକ୍ତ ଖଲାସ ହୋଇଛନ୍ତି ସେ ସଂକ୍ରାନ୍ତରେ ଯେଉଁ ବିସ୍ତୃତ ଉତ୍ତର ଦେଇଛନ୍ତି ସେଥିରୁ ଏହି ତଥ୍ୟ ମିଳିଛି ।
ଉକ୍ତ ସରକାରୀ ତଥ୍ୟ ମୁତାବକ ୨୦୨୪-୨୫ ବର୍ଷରେ ମୟୁରଭଞ୍ଜ ଓ ନୂଆପଡା ଜିଲ୍ଲାରେ ମାତ୍ର ଗୋଟିଏ କରି ଅବକାରୀ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ ବଲାଙ୍ଗିରରେ ୬ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଅନ୍ୟ କୌଣସି ଜିଲ୍ଲା କିମ୍ବା ବ୍ୟୁରୋର ରୁଜୁ ମାମଲାରେ ଏହି ବର୍ଷରେ ଜଣକୁ ବି ଦଣ୍ଡବିଧାନ କରାଯାଇ ପାରିନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ ଉକ୍ତ ସରକାରୀ ତଥ୍ୟ ମୁତାବକ ୨୦୨୪-୨୫ ବର୍ଷରେ ନୂଆପଡା ଜିଲ୍ଲାରେ ୧୧ଶହ ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୪୯୮ରେ ଅଭିଯୁକ୍ତ ଖଲାସ ହୋଇଛନ୍ତି ଓ ମାତ୍ର ଗୋଟିକରେ ଦଣ୍ଡବିଧାନ କରାଯାଇଛି । ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ଉକ୍ତ ବର୍ଷରେ ୨୮୮୧ ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୯୧୦ଟିରେ ଅଭିଯୁକ୍ତ ଖଲାସ ହୋଇଥିବାସ୍ଥଳେ ମାତ୍ର ଗୋଟିକରେ ଦଣ୍ଡବିଧାନ କରାଯାଇ ପାରିଛି । ସେହିପରି ବଲାଙ୍ଗିର ଅବକାରୀ ଜିଲ୍ଲାରେ ଉକ୍ତ ବର୍ଷରେ ୧୭୦୮ଟି ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ଏହି ବର୍ଷରେ ୬୩ଟି ମାମଲାରେ ଅଭିଯୁକ୍ତ ଖଲାସ ହୋଇଛନ୍ତି ଏବଂ ୬ଟିରେ ଦଣ୍ଡବିଧାନ କରାଯାଇ ପାରିଛି ।
ଅବକାରୀ ଚଢଉ ସଂକ୍ରାନ୍ତରେ ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ଖବରମାନ ପ୍ରକାଶ ପାଉଛି । ଅଥଚ ଦଣ୍ଡବିଧାନ ସଂକ୍ରାନ୍ତରେ ପ୍ରାୟ ତଥ୍ୟ ଗଣମାଧ୍ୟମକୁ ଆସୁନାହିଁ । ଖେଦ ରାଜଧାନୀ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଅବକାରୀ ଜିଲ୍ଲାର ମାନ୍ୟତା ଦିଆଯାଇଛି । ୨୦୨୪-୨୫ ବର୍ଷରେ ଭୁବନେଶ୍ୱର ଅବକାରୀ ଜିଲ୍ଲାରେ ୮୩୭ଟି ମାମଲା ରୁଜୁ ହୋଇଥିବାବେଳେ ଏହି ବର୍ଷରେ ୫୮ଟି ମାମଲାରେ ଅଭିଯୁକ୍ତ ଖସିଯାଇଛନ୍ତି ଏବଂ ଗୋଟିକରେ ହେଲେ ବି ଦଣ୍ଡବିଧାନ କରାଯାଇ ପାରିନାହିଁ । ଖୋରଧା ଅବକାରୀ ଜିଲ୍ଲାରେ ଏହି ବର୍ଷରେ ୧୫୬୨ଟି ମାମଲା ରୁଜୁ ହୋଇଥିବାବେଳେ ୬୮୭ଟିରେ ଅଭିଯୁକ୍ତ ଖସିଯାଇଥିବାବେଳେ ଗୋଟିକରେ ହେଲେ ବି ଦଣ୍ଡ ଦିଆଯାଇ ପାରିନାହିଁ । ସେହିପରି ଅବକାରୀ ମୁଖ୍ୟାଳୟ ଥିବା କଟକ ଅବକାରୀ ଜିଲ୍ଲାରେ ଉକ୍ତ ବର୍ଷରେ ୨୪୧୮ଟି ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ଗୋଟିକରେ ବି ଦଣ୍ଡବିଧାନ ହୋଇପାରି ନାହିଁ ଅଥଚ ୭୨ଟିରେ ଅଭିଯୁକ୍ତମାନେ ଖସିଯିବାକୁ ସକ୍ଷମ ହୋଇଛନ୍ତି ।
ରାଜ୍ୟରେ ନିଶା କାରବାର ଉଦବେଗଜନକ ଭାବେ ବଢି ଚାଲୁଥିବାବେଳେ ଏହା ଆଇନ୍ଶୃଙ୍ଖଳା ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ପାଇଁ ପ୍ରମୁଖ ଆହ୍ୱାନ ହୋଇଛି । ଏହାକୁ ଆଖିଆଗରେ ରଖି ୨୦୨୯ ସୁଦ୍ଧା ଓଡିଶାକୁ ନିଶାମୁକ୍ତ କରିବାପାଇଁ ଗତ ନିର୍ବାଚନବେଳେ ବିଜେପି ତାହାର ସଙ୍କଳ୍ପପତ୍ରରେ ଘୋଷଣା କରିଥିଲା । ଚୋରା ନିଶା କାରବାର ନିୟନ୍ତ୍ରଣ କରିବାଲାଗି ତେଣୁ ଧରପଗଡ ଅଭିଯାନ ବ୍ୟାପକ କରାଯାଇଛି । ଅଥଚ ଚୋରା ନିଶା କାରବାରରେ ଛନ୍ଦିହୋଇ ଆଇନ୍ ଅଦାଲତରେ ଅବକାରୀ ମାମଲାର ସମ୍ମୁଖୀନ ହେଉଥିବା ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହାର କାହିଁକି ଏତେ କମ୍ ରହୁଛି ସେ ସଂକ୍ରାନ୍ତରେ ମଦମୁକ୍ତି ଅଭିଯାନ ସମେତ ବିଭିନ୍ନ ସଂଗଠନ ପ୍ରଶ୍ନ କରୁଚନ୍ତି । (ତଥ୍ୟ)