Home Assembly ୮୩୦୦ ଗାଁ କୁ ହୋଇନି ସଡକ ସଂଯୋଗୀକରଣ

୮୩୦୦ ଗାଁ କୁ ହୋଇନି ସଡକ ସଂଯୋଗୀକରଣ

ଭୁବନେଶ୍ୱର : ରାଜ୍ୟର ୮ହଜାରରୁ ଅଧିକ ଗାଁରେ ସଡକ ଯୋଜନା ପହଞ୍ଚି ପାରିନାହିଁ । ଏମାନେ ବିଭିନ୍ନ ସଡକ ଯୋଜନାରେ ସାମିଲ ଲାଗି ଯୋଗ୍ୟ ବିବେଚିତ ହୋଇନଥିବାରୁ ଏଠାକୁ ସଡକ ସଂଯୋଗ ହୋଇପାରିନଥିବା କହିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ।

ରାଜ୍ୟରେ ଗାଁ ଗୁଡିକୁ ସଡକ ସଂଯୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ସର୍ବଶେଷ ଜନଗଣନାକୁ ଭିତ୍ତିକରି ୨୦୧୭-୧୮ ମସିହାରେ ଜିଲ୍‍ଲା ଗ୍ରାମ୍ୟ ସଡକ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ଯୋଜନା ଅନୁସାରେ ରାଜ୍ୟରେ ୫୯,୯୭୧ଟି ଗ୍ରାମ ରହିଥିଲା । ସେଥି ମଧ୍ୟରୁ ୫୧,୬୭୧ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ପର୍ଯ୍ୟାୟକ୍ରମେ ସଂଯୋଗୀକରଣ କରାଯାଇଥିଲା ।

ହେଲେ ଯୋଜନାର ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ହୋଇନଥିବାରୁ ୮୩୦୦ଟି ଗ୍ରାମକୁ ସଂଯୋଗୀକରଣ କରାଯାଇ ନାହିଁ । ଏହିସବୁ ଗ୍ରାମ ମଧ୍ୟରେ କୋରାପୁଟର ସର୍ବାଧିକ ୧୩୭୪ଟି ଗ୍ରାମ ଥିବାବେଳେ ରାୟଗଡାର ୧୦୯୯ଟି ଗ୍ରାମ ରହିଛି । ସେହିଭଳି ନବରଙ୍ଗପୁର ଜିଲ୍ଲାର ୬୪୧, କଳାହାଣ୍ଡିର ୫୭୪, ମାଲକାନଗିରିର ୪୩୯, ମୟୁରଭଞ୍ଜର ୪୩୮, କନ୍ଧମାଳର ୪୨୬, ସମ୍ବଲପୁରର ୩୯୩ଟି ଗ୍ରାମ ରହିଛି ।

ସଡକ ସଂଯୋଗୀକରଣରୁ ଦୂରେ ଥିବା ଗ୍ରାମ ମଧ୍ୟରୁ ସଂଖ୍ୟାଧିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବାବେଳେ ଉପକୂଳ ଜିଲ୍ଲାରେ ସଂଯୋଗୀକରଣ ନଥିବା ଗ୍ରାମସଂଖ୍ୟା ଆଶାତୀତ ଭାବେ କମ୍‍ ରହିଛି । ତଥାପି ଏବେ ବି କଟକ ଜିଲ୍ଲାରେ ୨୧ଟି ଗ୍ରାମକୁ ସଡକ ସଂଯୋଗ ହୋଇପାରିନଥିବାବେଳେ ଜଗତ୍‍ସିଂହପୁରରେ ଏହି ସଂଖ୍ୟା ୧୮, ଖୋରଧାରେ ୫୧, ପୁରୀରେ ୧୮, ଯାଜପୁରରେ ୧୮, ଝାରସୁଗୁଡାରେ ୩୪ ରହିଛି ।

ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଚତୁର୍ଥ ପର୍ଯ୍ୟାୟ ନିୟମାବଳୀ ପ୍ରକାଶ ପାଇନାହିଁ । ବିସ୍ତୃତ ନିୟମାବଳୀ ପ୍ରକାଶ ପାଇବାପରେ ଯୋଗ୍ୟ ବିବେଚିତ ହୋଇଥିବା ଗ୍ରାମଗୁଡିକୁ ସଂଯୋଗୀକରଣ କରିବାପାଇଁ ପଦକ୍ଷେପ ନିଆଯିବ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ମୋଟ୍‍ ୧୨୨୬ଟି ଗ୍ରାମକୁ ସଡକ ସଂଯୋଗୀକରଣ କରିବାପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ।

ଏହି ତାଲିକାରୁ ଦୁଇଟି ଗ୍ରାମକୁ ବାଦ ଦେଲେ ଅନ୍ୟ ସମସ୍ତ ୧୨୨୪ଟି ଗ୍ରାମକୁ ସଡକ ସଂଯୋଗ କରାଯାଇଛି । ଏହି ଦୁଇଟି ଗ୍ରାମ ମଧ୍ୟରେ ମାଲିକାନଗିରି ଓ ମୟୁରଭଞ୍ଜର ଗୋଟିଏ କରି ଗାଁ ରହିଛି । ଏହି ଦୁଇଟି ଗ୍ରାମକୁ ଏବେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହାକୁ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି । (ତଥ୍ୟ)