Home Administration ୭୫ ପ୍ରତିଶତ କର୍ମଚାରୀରେ ଦପ୍ତର ଚାଲିବ

୭୫ ପ୍ରତିଶତ କର୍ମଚାରୀରେ ଦପ୍ତର ଚାଲିବ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ମହାନଗରୀରେ ଥିବା ସରକାରୀ ଦପ୍ତରଗୁଡିକ ଜାନୁୟାରୀ ମାସରେ ୭୫ ପ୍ରତିଶତ କର୍ମଚାରୀରେ ଚାଲିବ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ପ୍ରଥମ ଶ୍ରେଣୀ ପାହ୍ୟାର ଅଧିକାରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ।

କର୍ମଚାରୀ ସଂଖ୍ୟା ହ୍ରାସ ପାଇଲେ ମଧ୍ୟ ସରକାରୀ କାର୍ଯ୍ୟ ଯେଭଳି ପ୍ରଭାବିତ ନହେବ ତାହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । କେଉଁ କର୍ମଚାରୀ କେଉଁଦିନ ଦପ୍ତରକୁ ଆସିବେ ସେ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀ ନିଷ୍ପତ୍ତି ଗ୍ରହଣ କରିବେ । ସେହିଭଳି ରାଜ୍ୟର ସମସ୍ତ ସରକାରୀ ଦପ୍ତର ପୂର୍ବଭଳି ଶନିବାର ଦିନ ବନ୍ଦ ରହିବ ।

ଅନ୍ୟ ପକ୍ଷରେ ଜରୁରୀ ସେବା ଯୋଗାଉଥିବା ଦପ୍ତର ଯଥା ସ୍ୱତନ୍ତ୍ର ରିଲିଫ କମିଶନର, ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ, ପୁଲିସ୍‍, ଅଗ୍ନିଶମ, ସ୍ୱାସ୍ଥ୍ୟ ଓ ପୌରସଂସ୍ଥାର ଦପ୍ତର ଗୁଡିକ ସମସ୍ତ କର୍ମଚାରୀଙ୍କୁ ନେଇ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରିବ । ସେହଭଳି ବିଧାନସଭା ଅଧିବେଶନ ଚାଲୁଥିଲେ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ଦପ୍ତର ଆସିବାକୁ କୁହାଯାଇଛି ।

ଦପ୍ତରକୁ ଆସୁଥିବା କର୍ମଚାରୀମାନେ କୋଭିଡ ମାର୍ଗଦର୍ଶିକା ପାଳନ କରିବା ବାଧ୍ୟତାମୂଳକ ହୋଇଥିବାବେଳେ ଯଦି କୌଣସି କର୍ମଚାରୀ କରୋନା ସଂକ୍ରମିତ ହୁଅନ୍ତି ତେବେ ଏଥିପାଇଁ ଜୁଳାଇ ମାସରେ ଜାରି ହୋଇଥିବା ମାର୍ଗଦର୍ଶିକାକୁ ସେ କଡାକଡି ଭାବେ ପାଳନ କରିବେ ।

ଯେଉଁ କର୍ମଚାରୀ ଓ ଅଧିକାରୀମାନଙ୍କୁ ଭିପିଏନ୍‍ ସୁବିଧା ଯୋଗାଇ ଦିଆଯାଇଥିବ ସେମାନେ ଘରେ ରହି କାମ କରିବେ । ତେବେ ଏହି କର୍ମଚାରୀମାନେ ଜରୁରୀ ସମୟରେ ଡାକରା ପାଇଲେ ଦପ୍ତରକୁ ଆସିବା ସହିତ ଟେଲିଫୋନ୍‍ରେ ଉପସ୍ଥିତ ରହିବାକୁ କୁହାଯାଇଛି ।