ଭୁବନେଶ୍ୱର : ଓଡିଶାରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନର ସ୍ମାରକୀ ଲାଗି ୭୨ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପୁରୀରେ ସର୍ବୋଦୟମେଳା ଅନୁଷ୍ଠିତ ହୋଇ ଆସୁଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏମିତିକି ରାଜ୍ୟ ବାହାରୁ ବହୁ ଗାନ୍ଧୀପ୍ରେମୀ ଏଥିରେ ପ୍ରତିବର୍ଷ ଅଂଶଗ୍ରହଣକରି ଆସୁଥିବାବେଳେ ଏବର୍ଷ କିନ୍ତୁ କରୋନା ପରିପ୍ରେକ୍ଷୀରେ ସୀମିତ ଲୋକଙ୍କୁ ନେଇ ପୁରୀ ସମୁଦ୍ରକୂଳର ଗାନ୍ଧୀଘାଟ ଠାରେ ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୪୮ଫେବୃୟାରୀ ୧୨ ତାରିଖରେ ପୁରୀ ମହୋଦଧିରେ ଗାନ୍ଧୀଜୀଙ୍କ ଚିତାଭସ୍ମ ବିସର୍ଜନ କରାଯାଇଥିଲା । ଏକ ସୁସଜ୍ଜିତ ହାତୀ ପୀଠିରେ ସସମ୍ମାନେ ଚିତାଭସ୍ମ କଳସକୁ ଏକ ଶୋଭାଯାତ୍ରାରେ ସେତେବେଳେ ନିଆଯାଇଥିଲା । ତତ୍କାଳୀନ ରାଜ୍ୟପାଳ ଡକ୍ଟର କୈଳାସନାଥ କାଟ୍ଜୁ ମହୋଦଧିରେ ଚିତାଭସ୍ମ ବିସର୍ଜନ କରିଥିଲେ । ସେତେବେଳର ଓଡିଶାର ପ୍ରଧାନମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ବିଧାୟକ ଏବଂ ହଜାର ହଜାର ସଂଖ୍ୟାରେ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀପ୍ରେମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
୧୯୪୯ମସିହା ଫେବୃୟାରୀ ୧୨ତାରିଖରୁ ସର୍ବୋଦୟମେଳା ଅନୁଷ୍ଠିତ ହୋଇଆସୁଛି । ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ମା’ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ନନ୍ଦକିଶୋର ଦାସ, ଜୟକୃଷ୍ଣ ମହାନ୍ତି, ପଦ୍ମଚରଣ ସାମନ୍ତସିଂହାରଙ୍କ ସମେତ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ୟମ କ୍ରମେ ସେବେଠାରୁ ପ୍ରତିବର୍ଷ ଫେବୃୟାରୀ ୧୨ ତାରିଖକୁ ଗାନ୍ଧୀଘାଟରେ ସର୍ବୋଦୟମେଳା ଭାବେ ପାଳନ କରାଯାଇଥାଏ ।
ଆଗେ ବିଭିନ୍ନ ଅଞ୍ଚଳରୁ ପଦଯାତ୍ରାରେ ଲୋକେ ଆସି ପୁରୀରେ ଅନୁଷ୍ଠିତ ସର୍ବୋଦୟ ମେଳାରେ ସୂତ୍ରଯଜ୍ଞ ଯୋଗଦେବା ସହ ରାଜ୍ୟ ଓ ଦେଶର ବିଭିନ୍ନ ସମସ୍ୟା ଓ ତା’ର ଗାନ୍ଧୀବାଦୀ ଉପଚାର ସମ୍ପର୍କରେ ଆଲୋକପାତ କରୁଥିଲେ । ଏହି ଅବସରରେ ସର୍ବୋଦୟ ମେଳା କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥାଏ । ଯେଉଁ ସ୍ଥାନରେ ଝାଉଁବଣର ଛାଇରେ ସର୍ବୋଦୟମେଳା ଅନୁଷ୍ଠିତ ହେଉଥିଲା ଏବେ ସେଠି ଆଉ ଝାଉଁ ଜଙ୍ଗଲ ନାହିଁ । ଗାନ୍ଧୀଜୀଙ୍କ ଏକ ଆକର୍ଷଣୀୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହିତ ଏକ ପାର୍କ ପ୍ରତିଷ୍ଠା କରାଯାଇଛି ।
ଗାନ୍ଧୀ ଓ କସ୍ତୁରବାଙ୍କର ୧୫୦ତମ ଜନ୍ମବାର୍ଷିକୀ ସାରା ଦେଶରେ ପାଳିତ ହୋଇଥିବାବେଳେ ସର୍ବୋଦୟ ମେଳା ମଧ୍ୟ ଏଥିରେ ଅଗ୍ରଣୀ ଭୂମିକା ନିଭାଇଛି । ଚଳିତବର୍ଷ ଗାନ୍ଧୀଜୀଙ୍କ ପ୍ରଥମ ଓଡିଶା ଗସ୍ତ ଏବଂ ଅସହଯୋଗ ଆନ୍ଦୋଳନର ଶହେବର୍ଷ ପୂର୍ତ୍ତି ସହିତ ଆସନ୍ତାବର୍ଷ ସ୍ୱାଧୀନତାପ୍ରାପ୍ତିର ୭୫ବର୍ଷ ବା ପ୍ଲାଟିନମ ଜୁବୁଲି ପାଳନ ପାଇଁ ସର୍ବୋଦୟମେଳା ପକ୍ଷରୁ ପ୍ରୟାସ ଜାରି ରହିଥିବା ଜଣାପଡିଛି । (ତଥ୍ୟ)