Home Health ୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି

୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି

ଭୁବନେଶ୍ୱର : ଓଡ଼ିଶାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକରେ ଏବେ ପ୍ରାୟ ୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି । ସ୍ୱାସ୍ଥ୍ୟ ବିଭାଗର ପାଖାପାଖି ୪୦ ହଜାର ବିଭିନ୍ନ କିସମର ପଦବୀ ଖାଲି ପଡିଥିବାବେଳେ ଏଥିମଧ୍ୟରୁ କେବଳ ଡାକ୍ତର ପଦବୀ ହେଉଛି ୯ ହଜାରରୁ ଅଧିକ । ସରକାରୀ ମେଡିକାଲ୍‍ କଲେଜ୍‍, ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍, ଆୟୁର୍ବେଦିକ ମେଡିକାଲ୍‍ କଲେଜ୍‍ ଏବଂ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ରଗୁଡ଼ିକୁ ହିସାବକୁ ନେଲେ ଖାଲି ଥିବା ଡାକ୍ତର ପଦବୀ ସଂଖ୍ୟା ପ୍ରାୟ ୧୦ ହଜାର ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଗଞ୍ଜାମ ଜିଲ୍ଲାର ସରକାରୀ ଏଲୋପ୍ୟାଥିକ ଡାକ୍ତରଖାନାଗୁଡ଼ିକରେ ସର୍ବାଧିକ ପ୍ରାୟ ୭୫୦ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ୩୫୦ରୁ ଅଧିକ ଡାକ୍ତର ପଦବୀ ଦୀର୍ଘବର୍ଷ ଧରି ଖାଲି ପଡିଛି ।

ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଜିଲ୍ଲା ବଲାଙ୍ଗୀରରେ ବି ୩୫୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି । ଅନ୍ୟତମ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ାଙ୍କ ଜିଲ୍ଲା ପୁରୀରେ ବି ପାଖାପାଖି ୩୫୦ ଡାକ୍ତର ପଦବୀ ଖାଲି ରହିଛି ।

ସରକାରୀ ତଥ୍ୟ ମୁତାବକ ସମଗ୍ର ରାଜ୍ୟ ପାଇଁ ସ୍ପେଶାଲିଷ୍ଟ ଓ ଅଣ ସ୍ପେଶାଲିଷ୍ଟ ପାହ୍ୟାରେ ବିଭିନ୍ନ ସରକାରୀ ଡାକ୍ତରଖାନା ଲାଗି ୧୫୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଥିବା ବେଳେ ଏଥିରେ ମାତ୍ର ୬୫୦୬ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି ଏବଂ ୯୨୬୮ଟି ପଦବୀ ଖାଲି ପଡିଛି । ଯେତିକି ବି ଡାକ୍ତର କାର୍ଯ୍ୟରତ ଅଛନ୍ତି ବୋଲି କୁହାଯାଉଛି ସେମାନଙ୍କ ଭିତରୁ କେତେକ ବିଭିନ୍ନ କାରଣରୁ ଛୁଟିରେ ରହୁଥିବାରୁ ବାସ୍ତବରେ କାର୍ଯ୍ୟରତ ଡାକ୍ତରଙ୍କ ସଂଖ୍ୟା ଢେର କମ୍‍ ।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୫୦୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା, ଗଜପତି, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର ଆଦିରେ ବି ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟସେବା ବ୍ୟାହତ ହେଉଛି । ଏମିତିକି ଉପକୂଳବର୍ତ୍ତୀ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଆଦି ଜିଲ୍ଲାରେ ମଧ୍ୟ ଡାକ୍ତର ଅଭାବଜନିତ ପରିସ୍ଥିତି ସାଙ୍ଘାତିକ ସ୍ଥିତିରେ ରହିଛି ।

ଗୋଟିଏପଟେ ସରକାରୀ ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ସ୍ପେଶାଲିଷ୍ଟ ଓ ଅନ୍ୟ ଡାକ୍ତରଙ୍କ ସମେତ ଷ୍ଟାଫ୍‍ ନର୍ସ, ଫାର୍ମାସିଷ୍ଟ, ଟେକ୍‍ନିସିଆନ୍‍ ଆଦି ପଦବୀ ବହୁ ସଂଖ୍ୟାରେ ନଥିବା ବେଳେ ଲୋକେ ବାଧ୍ୟ ହୋଇ ବେସରକାରୀ ଡାକ୍ତରଖାନାଗୁଡ଼ିକ ଉପରେ ନିର୍ଭର କରୁଛନ୍ତି । ବିଶେଷକରି ଏଥିଯୋଗୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥାରେ ରାଜକୋଷରୁ ବିପୁଳ ଅର୍ଥ କର୍ପୋରେଟ୍‍ ହସ୍ପିଟାଲମାନଙ୍କୁ ସରକାର ପ୍ରଦାନ କରିବାକୁ ବାଧ୍ୟ ହେଉଛନ୍ତି ।

ପୁରୁଖା ଡାକ୍ତରମାନେ କହୁଛନ୍ତି ଯେ କେବଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥାରେ ଘରୋଇ ଡାକ୍ତରଖାନାଗୁଡ଼ିକୁ ଯେତେ ଅର୍ଥ ଦିଆଯାଉଛି ତାହା ଯଦି ସରକାରୀ ଡାକ୍ତରଖାନାଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ବ୍ୟୟ ହୁଅନ୍ତା ତେବେ ରାଜ୍ୟର ସ୍ୱାସ୍ଥ୍ୟସେବା ବିକାଶ ଲାଭ କରିବା ସଂଗେ ସଂଗେ ସାଧାରଣ ଲୋକେ ମାଗଣାରେ କିମ୍ବା ସ୍ୱଳ୍ପ ଖର୍ଚ୍ଚରେ ଉନ୍ନତମାନର ଚିକିତ୍ସା ସୁଯୋଗ ପାଇପାରନ୍ତେ । (ତଥ୍ୟ)