Home News in Odia ୬ଟି ଉତ୍ସବରେ ୫ ବିଦେଶୀ ପର୍ଯ୍ୟଟକ

୬ଟି ଉତ୍ସବରେ ୫ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର : ରାଜ୍ୟରେ ଇତିମଧ୍ୟରେ ଅନୁଷ୍ଠିତ ହୋଇଥିବା ୬ଟି ବଡ଼ଧରଣର ଉତ୍ସବରେ ମାତ୍ର ୫ ଜଣ ବିଦେଶୀ ପର୍ଯ୍ୟଟକ ଯୋଗ ଦେଇଛନ୍ତି । ଏହିସବୁ ଉତ୍ସବରେ ପ୍ରାୟ ସାଢେ ୪କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଦର୍ଶାଇଛନ୍ତି ଯେ କୋଭିଡ୍‍ କଟକଣା ସତ୍ତ୍ୱେ ରାଜ୍ୟରେ କୋଣାର୍କ ଉତ୍ସବ, ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ରାଜାରାଣୀ ସଙ୍ଗୀତ ଉତ୍ସବ, ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଓ ଧଉଳି-କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହିସବୁ ଉତ୍ସବରେ ମୋଟ୍‍ ୫୯,୨୦୭ ଜଣ ଦେଶୀୟ ଓ ୫ ଜଣ ବିଦେଶୀ ପର୍ଯ୍ୟଟକ ଯୋଗ ଦେଇଥିଲେ ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋଣାର୍କ ଉତ୍ସବ ପାଇଁ ୧,୩୦,୨୯,୫୬୨ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବାଲୁକା କଳା ଉତ୍ସବ ପାଇଁ ୧,୧୬,୦୩,୮୬୪ ଟଙ୍କା, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ପାଇଁ ୪୯,୨୭,୫୭୫ ଟଙ୍କା, ରାଜରାଣୀ ସଙ୍ଗୀତ ଉତ୍ସବ ପାଇଁ ୫୦,୪୯,୫୯୨ ଟଙ୍କା, ଚିଲିକା ପକ୍ଷୀ ଉତ୍ସବ ପାଇଁ ୪୦,୮୭,୪୯୫ ଟଙ୍କା ଓ ଧଉଳି-କଳିଙ୍ଗ ମହୋତ୍ସବ ପାଇଁ ୨୬,୫୧,୪୨୨ ଟଙ୍କା ବ୍ୟୟ ହୋଇଛି ।

କୋଭିଡ୍‍ ପରବର୍ତ୍ତୀ ସମୟରେ ରାଜ୍ୟକୁ କିଭଳି ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ରହଣୀ ଇତ୍ୟାଦିରେ ନଜର ରଖି ଓଡ଼ିଶା ଏକ ନିରାପଦ ସ୍ଥାନ ବୋଲି ପ୍ରଚାର ପ୍ରସାର କରାଯାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ସଡ଼କ ପଥରେ ଭ୍ରମଣ ପାଇଁ ପର୍ଯ୍ୟଟକମାନଙ୍କୁ ଉତ୍ସାହିତ କରାଯାଉଛି । ଓଡ଼ିଶା ପର୍ଯ୍ୟଟନର ବହୁଳ ପ୍ରଚାର ପ୍ରସାର ପାଇଁ ୭ଟି ବିମାନ ବନ୍ଦରରେ ବ୍ରାଣ୍ଡିଂ କରାଯାଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।