ଭୁବନେଶ୍ୱର : ପ୍ରାୟ ୫୭ବର୍ଷ ଧରି କୋଟିଆ ପ୍ରସଂଗରେ ଆନ୍ଧ୍ର ପ୍ରଦେଶ ସହିତ ଓଡ଼ିଶାର ଅଦାଲତି ଲଢ଼େଇ ଚାଲିଛି । ଏଥିପାଇଁ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହି ବିବାଦ ଲାଗି ରହିବା ଫଳରେ ସଂପୃକ୍ତ ଅଞ୍ଚଳରେ ଏକ ପ୍ରକାର ଦ୍ୱୈତ ଶାସନ ଚାଲୁଛି ।
ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୬୮ ମସିହାରେ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ପଟ୍ଟାଙ୍ଗୀ ତହସିଲର କୋଟିଆ ସମେତ ୨୧ଟି ଗ୍ରାମପୁଞ୍ଜକୁ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟଟି ଥିଲା ବୋରାମୁଥା ସମେତ ୧୩ଟି ଗ୍ରାମ ପ୍ରସଂଗରେ । ଏହି ମାମଲା ଦୁଇଟିରୁ ବୋରାମୁଥା ମାମଲାରେ ୨୦୧୦ ମସିହାରେ ଓଡ଼ିଶା ସରକାର ହାରିଥିବା ବେଳେ ଅନ୍ୟ ମାମଲାଟିକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇ ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ଉଲ୍ଳେଖ କରିଥିଲେ ମଧ୍ୟ ବାରମ୍ବାର ଆନ୍ଧ୍ର ପକ୍ଷରୁ ତାହାର ଉଲ୍ଲଂଘନ କରାଯାଉଥିବାରୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିବାର ଇତିମଧ୍ୟରେ ୪ବର୍ଷ ବର୍ଷ ବିତିଗଲାଣି । ଏହାଛଡ଼ା ୨୦୨୩ରେ ବି ଓଡ଼ିଶା ସରକାର ଅନ୍ୟ ଏକ ମୂଳ ମାମଲା ସୁପ୍ରିମକୋର୍ଟରେ ଦାଏର କରିଛନ୍ତି, ଯାହା ଏଯାବତ୍ ବିଚାରାଧୀନ ରହିଛି । ସେହିପରି ଆନ୍ଧ୍ର ପ୍ରଦେଶ ସହିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ତହସିଲ ଅନ୍ତର୍ଗତ କେତେକ ଗ୍ରାମକୁ ନେଇ ବିବାଦ ଦୀର୍ଘ ଦିନରୁ ଚାଲିଛି ।
ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ଆଖିବୁଜା ବନ୍ଧ ନିର୍ମାଣ କରି ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ଏକ ପ୍ରକାର ସଂକୁଚିତ କରିଦେଇଥିବା ଘେନି ପ୍ରାୟ ୧୦ବର୍ଷ ହେବ ଟ୍ରିବ୍ୟୁନାଲ୍ରେ ମାମଲା ଗଡୁଛି । ଏହି ମାମଲା ପାଇଁ ଓଡ଼ିଶା ସରକାର ମଧ୍ୟ କୋଟିକୋଟି ଟଙ୍କା ଗରିବ ଲୋକଙ୍କ ରାଜକୋଷରୁ ଖର୍ଚ୍ଚ କଲେଣି । କିନ୍ତୁ ସମୟ ଗଡ଼ି ଚାଲୁଥିବା ସହିତ ମହାନଦୀର ତଳମୁଣ୍ଡ ଶୁଖିଲା ପଡୁଛି । ଏହି ସମସ୍ୟାର କେବେ ସମାଧାନ ହେବ ଏବଂ ପୁଣି ମହାନଦୀ ବକ୍ଷରେ ଜଳଧାରା ପ୍ରବାହିତ ହେବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁ ନାହାନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲ ଅନ୍ତର୍ଗତ ଝାରଗାଁ ଅଞ୍ଚଳରେ ଓଡ଼ିଶାର କେତେକ ଜମିକୁ ନେଇ ବି ଛତିଶଗଡ଼ ସହ ସୀମା ବିବାଦ ଲାଗି ରହିଛି ।
ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଓ ସାରସକଣା ତହସିଲ ଅନ୍ତର୍ଗତ ୮ଟି ରାଜସ୍ୱ ଗ୍ରାମକୁ ନେଇ ପଶ୍ଚିମବଙ୍ଗ ସହିତ ସୀମା ବିବାଦ ଚାଲିଛି । ସେହିପରି ବାଲେଶ୍ୱର ଜିଲ୍ଲାର ଭୋଗରାଇ ତହସିଲ ଅନ୍ତର୍ଗତ ସାହବାଜପୁର ଗାଁ ଏବଂ ସୁବର୍ଣ୍ଣରେଖା ନଦୀ ଶଯ୍ୟା ପ୍ରସଂଗରେ ବି ପଶ୍ଚିମବଙ୍ଗ ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଗ୍ରାମ ପୁରୁଷୋତ୍ତମପୁର ଓ ମୟୂରଭଞ୍ଜର ସାରସକଣା ତହସିଲ ଅନ୍ତର୍ଗତ ନୂଆଗାଁ ଓ ନେଡ଼ା ଗ୍ରାମକୁ ନେଇ ପଡ଼ୋଶୀ ଝାଡ଼ଖଣ୍ଡ ସହିତ ଓଡ଼ିଶାର ଆନ୍ତଃରାଜ୍ୟ ସୀମା ବିବାଦ ଗଡ଼ି ଆସୁଛି ।ତେବେ ସୀମାନ୍ତବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ନବରଙ୍ଗପୁର, ଗଞ୍ଜାମ, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି ଓ ରାୟଗଡ଼ା ସହିତ ପଡ଼ୋଶୀ ରାଜ୍ୟମାନଙ୍କର ସୀମା ବିବାଦ ନଥିବା ସରକାରୀ ସୂତ୍ରରୁ ଜଣାପଡିଛି ।(ତଥ୍ୟ)