Home Finance ୫ମାସରେ ୧୦ହଜାର କୋଟି ଋଣ

୫ମାସରେ ୧୦ହଜାର କୋଟି ଋଣ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୬,୪୦୦ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଅଗଷ୍ଟ ଶେଷ ସୁଦ୍ଧା ୧୦ହଜାର କୋଟି ଟଙ୍କାର ଋଣ କରିସାରିଲେଣି । ଏହି ସମୟ ମଧ୍ୟରେ ୩୧୫୮ କୋଟି ଟଙ୍କାର ଋଣ ବି ପରିଶୋଧ କରିଛନ୍ତି ।

ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର କରିଥିବା ଋଣ ଓ ପରିଶୋଧ କରିଥିବା ଋଣକୁ ହିସାବ କଲେ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ନିଟ୍‍ ଋଣ ୬୯୧୧ କୋଟି ୨୩ ଲକ୍ଷ ଟଙ୍କା ହୋଇଛି । ତେବେ ଗତ ଆର୍ଥିକ ବର୍ଷ ଅର୍ଥାତ୍‍ ୨୦୨୪-୨୫ ବର୍ଷରେ ରାଜ୍ୟ ସରକାର ୪୨,୭୩୨ କୋଟି ୪୫ ଲକ୍ଷ ଟଙ୍କା ଋଣ ଉଠାଇଥିଲେ ଏବଂ ୧୭,୩୫୦କୋଟି ୮୬ଲକ୍ଷ ଟଙ୍କାର ଋଣ ପରିଶୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ୍‍ ନିଜସ୍ୱ ରାଜସ୍ୱ ବାବଦରେ ୧ଲକ୍ଷ ୨୬ହଜାର କୋଟି ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ୪୨,୪୪୩.୮୬ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଏଥି ମଧ୍ୟରେ ନିଜସ୍ୱ ଟିକସ ବାବଦରେ ୨୨,୩୦୩ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ଅଣଟିକସ ରାଜସ୍ୱ ବାବଦରେ ରାଜ୍ୟ ସରକାର ୨୦,୧୪୧.୮୧ କୋଟି ଟଙ୍କା ପାଇଛନ୍ତି ।

ସେହିଭଳି ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ୪୧,୫୯୧ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ୪୬୫୧ କୋଟି ଟଙ୍କା ପାଇଛନ୍ତି । କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଭାବେ ୬୪,୪୦୮ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଏହି ସମୟରେ ପାଇଛନ୍ତି ୨୪ହଜାର କୋଟି ଟଙ୍କା । ମୋଟାମୋଟି ଭାବେ କେନ୍ଦ୍ରରୁ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ୨୮,୬୫୬ କୋଟି ୮୧ ଲକ୍ଷ ଟଙ୍କା ପାଇଛି ।

ଉଭୟ ନିଜସ୍ୱ ଟିକସ, ନିଜସ୍ୱ ଅଣଟିକସ, କେନ୍ଦ୍ରୀୟ ପ୍ରାପ୍ତି ଆଦିକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୩୨ହଜାର କୋଟି ଟଙ୍କା ପାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଅଗଷ୍ଟ ଶେଷ ସୁଦ୍ଧା ୭୧,୧୦୦ କୋଟି ୬୭ ଲକ୍ଷ ଟଙ୍କା ପାଇଛନ୍ତି । (ତଥ୍ୟ)