ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ୩୨ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୫ଟି କ୍ଷତିରେ ଚାଲିଛି । ଗୋଟିଏ ଉଦ୍ୟୋଗ ବିନା ଲାଭ ଓ ବିନା କ୍ଷତିରେ ଚାଲିଥିବାବେଳେ ଆଉ ଗୋଟିଏ ଉଦ୍ୟୋଗ ପାଇଁ ଲାଭ ଓ କ୍ଷତି ପ୍ରଯୁଜ୍ୟ ନୁହେଁ ବୋଲି ଦର୍ଶାଯାଇଛି ।
ସରକାରୀ ଉଦ୍ୟୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଚନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାରେ ବର୍ତ୍ତମାନ ୩୨ଟି ସଚଳ ସରକାରୀ ଉଦ୍ୟୋଗ ରହିଛିା ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ଥିବା କୌଣସି ସରକାରୀ ଉଦ୍ୟୋଗ ବନ୍ଦ ହେବାର ସୂଚନା ବିଭାଗର ହସ୍ତଗତ ହୋଇନାହିଁ ।
କାର୍ଯ୍ୟକ୍ଷମ ଥିବା ୩୨ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ଗ୍ରିଡ୍କୋ, ଓଡିଶା ରାଜ୍ୟ ସଡକ ପରିବହନ ନିଗମ, ଓଡିଶା ରାଜ୍ୟ ଅର୍ଥ ନିଗମ, ଓଡିଶା ଗ୍ରାମ୍ୟ ଗୃହନିମାଣ ଏବଂ ଉନ୍ନୟନ ନିଗମ ଲିମିଟେଡ୍ ଓ କଳିଙ୍ଗ ଷ୍ଟୁଡିଓ ଲିମିଟେଡ୍ କ୍ଷତିରେ ଚାଲୁଛି । ଓଡିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ ବିନା ଲାଭ ବିନା କ୍ଷତିରେ ଚାଲୁଥିବାବେଳେ ଓରେଡା ପାଇଁ ଲାଭ କ୍ଷତି ପ୍ରଯୁଜ୍ୟ ନୁହେଁ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୩-୨୪ ବର୍ଷରେ ଓଡିଶା ଖଣି ନିଗମ ଲାଭାଂଶ ବାବଦରେ ସରକାରଙ୍କୁ ୨୭୨୩ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଓଡିଶା କୃଷି ଶିଳ୍ପ ନିଗମ ୫.୬୨ କୋଟି, କାଜୁ ନିଗମ ୪୬.୫୧ କୋଟି, ବିିହନ ନିଗମ ୨୩.୨୦ କୋଟି, ସେତୁ ଓ ନିର୍ମାଣ ନିଗମ ୩୪.୨୯ କୋଟି, ଶକ୍ତି ଉତ୍ପାଦନ ନିଗମ ୧୧୧.୮୨ କୋଟି ଟଙ୍କା ପ୍ରଦାନ କରିଛି । ତେବେ ମତ୍ସ୍ୟ ଉନ୍ନୟନ ନିଗମ, ୱାଟକୋ, ଇଡ୍କୋ, ଔଷଧ ନିଗମ, ଜେଡକୋଲ ଏବଂ ଓଡିଶା କୋଇଲା ଶକ୍ତି ଲିମିଟେଡ ଗତ ୫ବର୍ଷ ମଧ୍ୟରେ ସରକାରଙ୍କୁ କୌଣସି ଲାଭାଂଶ ପ୍ରଦାନ କରିନାହାନ୍ତି ।