ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସମଗ୍ର ଦେଶରେ ୨୧ଲକ୍ଷରୁ ଅଧିକ ଇ-ଯାନ ପଞ୍ଜିକୃତ ହୋଇଥିବାବେଳେ ସେଥି ମଧ୍ୟରୁ ଓଡିଶାରେ ୪୫ ହଜାରରୁ ଅଧିକ ରହିଛି । କେନ୍ଦ୍ର ସରକାର ଫେମ୍ ଇଣ୍ଡିଆର ଦ୍ୱିତୀୟ ପର୍ଯ୍ୟାୟରେ ଇ-ଯାନ ଉପରେ ଗୁରୁତ୍ୱ ଦେବାପରେ ଏହାର ନିର୍ମାଣ ଓ ବିକ୍ରି ବଢିବାରେ ଲାଗିଛି ।
ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରେ ୨୧,୭୦,୪୫୧ଟି ଇ-ଯାନ ପଞ୍ଜିକୃତ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୪୫,୬୫୨ ରହିଛି । ତେବେ ସବୁଠାରୁ ଅଧିକ ୪,୬୫,୪୩୨ଟି ଇ-ଯାନ ପଞ୍ଜିକୃତ ହୋଇଛି । ପଡୋଶୀ ପଶ୍ଚିମବଙ୍ଗରେ ୫୭,୫୧୨ଟି ଇ-ଯାନ ପଞ୍ଜିକୃତ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୫୧,୩୨୨, ଛତିଶଗଡରେ ୪୦,୫୧୬ ଏବଂ ଝାଡଖଣ୍ଡରେ ୨୮,୩୯୫ ଇ-ଯାନ ପଞ୍ଜିକୃତ ହୋଇଛି ।
ତେବେ ଓଡିଶାରେ ଯେତିକି ଇ-ଯାନ ପଞ୍ଜିକୃତ ହୋଇଛି ତାହାଠାରୁ ଢେର ଅଧିକ ଇ-ଯାନ ଚଳାଚଳ କରୁଛି । କାରଣ କମ୍ କ୍ଷମତା ବିଶିଷ୍ଟ ଦୁଇ ଚକିଆ ଇ-ଯାନଗୁଡିକୁ ପଞ୍ଜିକୃତ କରିବାକୁ ପଡୁନାହିଁ । କିନ୍ତୁ ଯେଉଁ ଇ-ଯାନଗୁଡିକ ପଞ୍ଜିକୃତ ହେଉଛନ୍ତି ସେହି ଯାନର ମାଲିକଙ୍କୁ ହିଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଯୋଗାଉଛନ୍ତି । ଦୁଇ ଚକିଆ ଯାନ ପାଇଁ ସର୍ବାଧିକ ୫ହଜାର ଟଙ୍କା ପ୍ରଦାନ କରାଯାଉଛି ।
କେନ୍ଦ୍ର ସରକାର ହାଇବ୍ରିଡ୍ ଇ-ଯାନ ନିର୍ମାଣ ଉପରେ ଗୁରୁତ୍ୱ ଦେବା ସହିତ ଫେମ୍ ଇଣ୍ଡିଆର ଦ୍ୱିତୀୟ ପର୍ଯ୍ୟାୟରେ ଏଥିପାଇଁ ୧୦ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ୨୦୧୯ ରୁ ଆରମ୍ଭ ହୋଇଥିବା ଏହି ଯୋଜନା ୫ବର୍ଷ ପାଇଁ ବଳବତ୍ତର ରହିଛି । ଏହି ଅବଧି ମଧ୍ୟରେ କେନ୍ଦ୍ର ସରକାର ୧୦ଲକ୍ଷ ଦୁଇଚକିଆ ସମେତ ୭ହଜାରରୁ ଅଧିକ ଇ-ବସ୍କୁ ସହାୟତା ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି । ଏହାବାଦ୍ ତିନି ଓ ଚାରିଚକିଆ ଯାନ ବି ରହିଛି ।
ରାଜ୍ୟ ସରକାର ସବସିଡ୍ ଯୋଗାଇବା ସହିତ କେନ୍ଦ୍ରୀୟ ନିୟମ ଆଧାରରେ ଇ-ଯାନ ଉପରୁ ସମ୍ପୂର୍ଣ୍ଣ ପଞ୍ଜିକରଣ ଦେୟ ଓ ସଡକ ଟିକସ ଛାଡ କରିବାପରେ ଏହାକୁ ଖରିଦ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । କିନ୍ତୁ କେତେକ ଇ-ଯାନ ନିର୍ମାତା ଯେଭଳି ଭାବେ ଆଖିବୁଜା ଦରବୃଦ୍ଧି କରୁଛନ୍ତି ଓ ଡିଲରମାନେ ବିଭିନ୍ନ ଆଳ ଦେଖାଇ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି ତାହା ଇ-ଯାନ ପ୍ରୋତ୍ସାହନ କ୍ଷେତ୍ରରେ ବାଧକ ସାଜିଛି ।
ଗୋଟିଏ ଗୋଟିଏ ଦୁଇ ଚକିଆ ଇ-ଯାନ ଦର ବର୍ଷକ ମଧ୍ୟରେ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଯାଇଛି । ପଞ୍ଜିକୃତ ଅଧିକାଂଶ ଇ-ଯାନ ଦର ଏବେ ଲକ୍ଷେ ଟଙ୍କା ଉପରେ । ଏହାର ଦର ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । ସେହିଭଳି କେତେକ ଇ-ଯାନ ନିର୍ମାତା ସେମାନଙ୍କ ୱେବସାଇଟ୍ରେ ଗୋଟିଏ ଦର ଦର୍ଶାଉଥିବାବେଳେ ରାଜ୍ୟରେ ଥିବା ଡିଲରମାନେ ବିଭିନ୍ନ ଖର୍ଚ୍ଚର ଆଳ ଦେଖାଇ ଗ୍ରାହକଙ୍କ ଠାରୁ ୪ରୁ ୫ହଜାର ଟଙ୍କା ଅଧିକ ନେଉଛନ୍ତି । ଫଳରେ ରାଜ୍ୟ ସରକାର ଯେଉଁ ପ୍ରୋତ୍ସାହନ ବାବଦ ଅର୍ଥ ଦେଉଛନ୍ତି ତାହା ଗାଡି ବିକ୍ରେତାଙ୍କ ପକେଟକୁ ଚାଲିଯାଉଛି । ପରିବହନ ବିଭାଗ ପକ୍ଷରୁ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି । ନହେଲେ ଯେଉଁ ଉଦ୍ଦେଶ୍ୟ ନେଇ ସରକାର ପ୍ରୋତ୍ସାହନ ରାଶି ଯୋଗାଉଛନ୍ତି ଆଗାମୀ ଦିନରେ ତାହା ବିଫଳ ହୋଇଯିବ । (ତଥ୍ୟ)