Home General ୪୫ବର୍ଷ ପରେ ଖୋଲିବ ରତ୍ନଭଣ୍ଡାର

୪୫ବର୍ଷ ପରେ ଖୋଲିବ ରତ୍ନଭଣ୍ଡାର

ଭୁବନେଶ୍ୱର : ୪୫ବର୍ଷ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ଥିବା ରତ୍ନଭଣ୍ଡାରରେ ଗଚ୍ଛିତ ସମ୍ପତ୍ତିର ଗଣତି ଓ ମଣତି କାମ ଖୁବ୍‍ଶୀଘ୍ର ଆରମ୍ଭ ହେବ । ଏଥି ସହ ଯଦି ଭିତର ରତ୍ନଭଣ୍ଡାର ଗୃହର ମରାମତି ଆବଶ୍ୟକ ଥାଏ ତେବେ ତାହା ବି ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ କରାଯିବ । ଏ ପ୍ରସଙ୍ଗରେ ଉଚ୍ଚସ୍ତରରେ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ ।

ଇତି ମଧ୍ୟରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ଯେ ଆସନ୍ତା ୮ତାରିଖରୁ ରତ୍ନଭଣ୍ଡାରର ଗଣତି କାମ ଆରମ୍ଭ ହେବ ବୋଲି । ଅନ୍ୟ ପକ୍ଷରେ ଚଳିତ ବର୍ଷ ୭ ଓ ୮ତାରିଖରେ ଦୁଇ ଦିନ ଧରି ରଥଯାତ୍ରା ହେଉଥିବାରୁ ୮ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କ୍ଷୀଣ । ଆଇନ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ମୁଖ୍ୟ ଜଷ୍ଟିସ ଅରଜିତ ପଶାୟତଙ୍କ ପୃଥକ ପୃଥକ ବୟାନରୁ ଏହା ଜଣାପଡୁଛି ।

ରାଜ୍ୟ ସରକାର, ଗଜପତି ମହାରାଜା ଓ ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁ ଭକ୍ତମାନେ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ବାରମ୍ବାର ମତ ଦେଉଛନ୍ତି । ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ଆସନ୍ତା କାଲି ଅନୁଷ୍ଠିତ ହେଉଛି । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ରଥଯାତ୍ରା ପରେ ପରେ ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରକୁ ଯାଇଥିବା ସମୟରେ ଏହି କାର୍ଯ୍ୟ ସମାପନ କରିବାକୁ ମଧ୍ୟ ପ୍ରସ୍ତାବ ରଖିଛନ୍ତି । ତେବେ ଜଷ୍ଟିସ ପଶାୟତ କମିଟିଙ୍କ ସୁପାରିଶ୍‍ ଭିତ୍ତିରେ ବିଭିନ୍ନ ବର୍ଗଙ୍କ ସହ ଆଲୋଚନା କରି ଖୁବ୍‍ଶୀଘ୍ର ରାଜ୍ୟ ସରକାର ତାରିଖ ଘୋଷଣା କରିବେ ।

ଏଠାରେ ଉଲ୍ଲେଖନୀୟ ଯେ ଗତ ନିର୍ବାଚନବେଳେ ବିଜେପି ତାହାର ନିର୍ବାଚନୀ ପ୍ରତିଶ୍ରୁତିରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିବା ଓ ରତ୍ନଭଣ୍ଡାରର ଗଣତି ମଣତି ପାଇଁ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଓ ଦଳର ଅନ୍ୟ ନେତାମାନେ ମଧ୍ୟ ବାରମ୍ବାର ଏ ପ୍ରସଙ୍ଗ ଉଠାଇ ଆସିଛନ୍ତି ।

୧୯୭୮ ମସିହାରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାରରେ ମହଜୁଦ ଥିବା ମୂଲ୍ୟବାନ ଅଳଙ୍କାରର ଗଣତି ମଣତି କରାଯାଇଥିଲା । ସେତେବେଳେ ଏଠାରେ ୧୨,୮୩୮ ଭରି ୧ଅଣା ଓଜନର ସୁନା ଓ ୨୨,୧୫୩ ଭଳି ରୂପା ସାମଗ୍ରୀ ସହିତ ମୂଲ୍ୟବାନ ପଥର ଥିଲା । ଏହାଛଡା ଆଉ ୧୪ଟି ସୁନା ଓ ରୂପା ଜିନିଷର ପରିମାଣ ଆକଳନ କରାଯାଇ ପାରିନଥିଲା ।

ଶ୍ରୀମନ୍ଦିରରେ ତିନିଟି ରତ୍ନଭଣ୍ଡାର ଅଛି । ସେଗୁଡିକ ହେଲା ଚଳନ୍ତି ରତ୍ନଭଣ୍ଡାର, ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର । ଚଳନ୍ତି ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ସାମଗ୍ରୀଗୁଡିକ ଶ୍ରୀଜୀଉମାନଙ୍କ ଦୈନନ୍ଦିନ ନୀତିକାନ୍ତିରେ ବ୍ୟବହୃତ ହେଉଥିବାବେଳେ ନିର୍ଦ୍ଦିଷ୍ଟ ପର୍ବ ପର୍ବାଣିରେ ବାହାର ରତ୍ନଭଣ୍ଡାରରୁ ସାମଗ୍ରୀ ଅଣାଯାଇଥାଏ । ଭିତର ରତ୍ନଭଣ୍ଡାରରେ କିନ୍ତୁ ମୂଲ୍ୟବାନ ସାମଗ୍ରୀମାନ ମହଜୁଦ ରହିଥାଏ । ରତ୍ନଭଣ୍ଡାରର ଫାଟ ଘେନି ଉଦବେଗ ପ୍ରକାଶ ପାଉଥିବାବେଳେ ଏଠାରେ ଗଚ୍ଛିତ ସାମଗ୍ରୀ ଘେନି ବି ଦିନକୁ ଦିନ ସନ୍ଦେହ ବଢୁଥିବାରୁ ତୁରନ୍ତ ଏହା ଖୋଲାଯିବାର ଆବଶ୍ୟକତା ରହିଛି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଗଠିତ କମିଟି ଅତୀତରେ ଚାବି ହଜିଥିବା କାରଣରୁ ଏହା ଖୋଲିନପାରି ଫେରି ଆସିଥିଲେ ଏବଂ ଚାବି ହଜିବା କାରଣ ଅନୁଧ୍ୟାନ ଲାଗି ସରକାର ବି ଏକ କମିଶନ ବସାଇଥିଲେ ।

ଶ୍ରୀମନ୍ଦିରର ରାଜ୍ୟ ଭିତରେ ୫୭,୧୮୧ ଏକର ଜମିଜମା ଓ ରାଜ୍ୟ ବାହାରେ ପ୍ରାୟ ୩୯୫ ଏକର ଭୂସମ୍ପତ୍ତି ଥିବା ଏବଂ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିରର ଯେଉଁସବୁ ପାଣ୍ଠି ରହିଛି ସେଗୁଡିକର ଠିକଣା ପରିଚାଳନା ଲାଗି ମଧ୍ୟ ବାରମ୍ବାର ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)