Home Health ୪୩ ଔଷଧ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

୪୩ ଔଷଧ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟରୁ ପୁଳା ପୁଳା ନକଲି ଔଷଧ ଧରାପଡିବା ପରେ ଗତ ପାଞ୍ଚବର୍ଷ ୪୦ରୁ ଅଧିକ ଔଷଧ କମ୍ପାନୀ ବିରୁଦ୍ଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାଯାଇଛି । ଏହି କମ୍ପାନୀମାନଙ୍କ ମଧ୍ୟରୁ କିଏ ନିମ୍ନମାନର ଔଷଧ ଯୋଗାଣ କରିଛି ତ ଆଉ କିଏ ଟେଣ୍ଡର ପ୍ରକ୍ରିୟାରେ ଏପଟ ସେପଟ କରିଛି ।

ରାଜ୍ୟ ସରକାର ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ମାଗଣାରେ ଔଷଧ ଯୋଗାଣ ପାଇଁ ପ୍ରତିବର୍ଷ ପ୍ରାୟ ୬୦୦ କୋଟି ଟଙ୍କାର ଔଷଧ ଖରିଦ ପାଇଁ ବ୍ୟବସ୍ଥା କରିଛନ୍ତି । ଔଷଧ ଖରିଦରେ ସ୍ୱଚ୍ଛତା ଓ ଗୁଣାତ୍ମକତା ପାଇଁ ରାଜ୍ୟ ଔଷଧ ନିଗମ ଜରିଆରେ ଔଷଧ ଖରିଦ ହୋଇଥାଏ । ଏଥିପାଇଁ ଜାତୀୟ ସ୍ତରରେ ଟେଣ୍ଡର ଆହ୍ୱାନ ସହିତ ଅତି କମରେ ୨୦ କୋଟି ଟଙ୍କାରୁ ଅଧିକ କାରବାର ଥିବା କମ୍ପାନୀ ଠାରୁ ସରକାର ଔଷଧ କିଣିଥାନ୍ତି ।

ତେବେ ରାଜ୍ୟ ସରକାର ଜାରି କରୁଥିବା ଔଷଧ ଖରିଦ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ୪୩ଟି କମ୍ପାନୀ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏମାନଙ୍କୁ ବର୍ଷକ ପାଇଁ ଓଡିଶା ସରକାରଙ୍କ ଟେଣ୍ଡରରେ ଅଂଶଗ୍ରହଣ ପାଇଁ ବାରଣ ହୋଇଛି । ତେବେ ଚଳିତବର୍ଷ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଅଧିକାଂଶ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବାପରେ ଦର ସଂଶୋଧନ ପାଇଁ କହିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଅନ୍ୟ କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶ ଓଡିଶା ସରକାରଙ୍କୁ ନିମ୍ନମାନର ଔଷଧ ଯୋଗାଣ କରିଛନ୍ତି । ଏଥି ମଧ୍ୟରେ ବଟିକା ଠାରୁ ଆରମ୍ଭକରି ସିରପ, ଇଞ୍ଜେକସନ ଓ ଆଖିରେ ପଡୁଥିବା ଔଷଧ ଆଦି ରହିଛି । ସରକାରଙ୍କ ନଜରକୁ ଏହା ଆସିବାପରେ ଏହିସବୁ କମ୍ପାନୀକୁ ବର୍ଷକ ପାଇଁ ବାରଣ କରାଯାଇଥିଲା । ନିମ୍ନମାନର ଔଷଧ ଯୋଗାଣ କରିଥିବା ଅଧିକାଂଶ କମ୍ପାନୀ ରାଜ୍ୟ ବାହାରର ଅର୍ଥାତ୍‍ ଗୁଜୁରାଟ, ହରିଆନା ଓ ମହାରାଷ୍ଟ୍ରର ରହିଛନ୍ତି ।

ତେବେ ବିଶେଷଜ୍ଞମାନଙ୍କ ମତରେ ନିମ୍ନମାନର ଔଷଧ ଯୋଗାଣ କରୁଥିବା କମ୍ପାନୀଙ୍କୁ ବର୍ଷକ ବଦଳରେ ସବୁଦିନ ପାଇଁ ଓଡିଶାରେ ପ୍ରବେଶ ନିଷେଧ କରିବା ସହିତ ଏମାନେ ଯେଭଳି ନାମ ପରିବର୍ତ୍ତନ କରି ଟେଣ୍ଡରରେ ଅଂଶଗ୍ରହଣ ନକରନ୍ତି ସେ ଦିଗରେ ପଦକ୍ଷେପ ନେବା ଜରୁରୀ । ସେହିଭଳି ଟେଣ୍ଡରରେ ଅଂଶଗ୍ରହଣ କରିବାପରେ ବିଭିନ୍ନ ବାହାନା ଦେଖାଉଥିବା କମ୍ପାନୀ ପ୍ରତି ମଧ୍ୟ ସରକାର ଅଧିକ କଠୋର ହେବା ଆବଶ୍ୟକ ।

ଉଲ୍ଲେଖନୀୟ ଯେ ରକ୍ତଚାପ ରୋଗୀ ସେବନ କରୁଥିବା ଟେଲମା-୪୦ ଔଷଧର ପୁଳା ପୁଳା ନକଲି ବଟିକା ଜବତ ହେବାପରେ ଏବେ ଲୋକେ ବଜାରରୁ ଔଷଧ କିଣିବା ବଦଳରେ ସରକାରୀ ଔଷଧ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବଜାରରେ ଉପଲବ୍ଧ ଔଷଧର କାଁ ଭାଁ ମାନ ପରୀକ୍ଷା ହେଉଥିବାବେଳେ ସରକାର କିଣୁଥିବା ପ୍ରାୟ ସମସ୍ତ ଔଷଧର ନିମୟିତ ପରୀକ୍ଷା ହେଉଥିବାରୁ ଏଥିରେ ନକଲି ସମ୍ଭାବନା ପ୍ରାୟତଃ ନାହିଁ । ଏଭଳି ସ୍ଥିତିରେ ରାଜ୍ୟ ସରକାର ରାଜ୍ୟ ବାହାରର ଔଷଧ କମ୍ପାନୀ ଉପରେ ତୀକ୍ଷ୍ଣ ନଜର ରଖିବା ବିଶେଷକରି ପୂର୍ବରୁ ଯେଉଁମାନେ ନିମ୍ନମାନର ଔଷଧ ଦେଇଛନ୍ତି ସେମାନେ ଯେଭଳି କମ୍ପାନୀର ନାଁ ବଦଳାଇ ନଆସନ୍ତି ସେ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)