ଭୁବନେଶ୍ୱର : ଜବରଦଖଲକାରୀମାନେ କେବଳ ସରକାରୀ ଜମି କି ଘର ଦଖଲ କରୁନାହାନ୍ତି, ଜଙ୍ଗଲଜମିକୁ ବି ଏମାନେ ଦଖଲକରି ନେଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୦ହଜାର ହେକ୍ଟରରୁ ଅଧିକ ଜଙ୍ଗଲଜମି ମାଫିଆମାନଙ୍କ ହାତକୁ ଚାଲିଗଲାଣି ।
ମିଳିଥିବା ସୂଚନା ଅନୁଯାୟୀ ମାଫିଆମାନଙ୍କ ନଜର ଏବେ ଜଙ୍ଗଲ ଜମି ଉପରେ ପଡିଥିବାବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ଖଣି କାରବାର ସହିତ ଜଡିତ । ଖଣି ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ରାଜ୍ୟରେ ୪୦ହଜାର ହେକ୍ଟରରୁ ଅଧିକ ଜମିକୁ ମାଫିଆମାନେ ମାଡି ବସିଛନ୍ତି । ଏମାନଙ୍କ ଠାରୁ ଜମି ଫେରାଇ ଆଣିବାପାଇଁ ସରକାର ୧୨ହଜାରରୁ ଅଧିକ ମାମଲା ରୁଜୁ କରିଛନ୍ତି । ଓଡିଶା ଜଙ୍ଗଲ ଆଇନ୍, ୧୯୭୨ ଅନୁଯାୟୀ ଏହିସବୁ ମାମଲା ରୁଜୁ ହେଉଛି ।
ଏତେ ସଂଖ୍ୟାକ ମାମଲା ରୁଜୁ ହୋଇଥିବାବେଳେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ମାତ୍ର ୩୨୬୮ଟି ମାମଲାର ସମାଧାନ ହୋଇ ଜବରଦଖଲରେ ଥିବା ଜଙ୍ଗଲଜମିକୁ ଫେରାଇ ଅଣାଯାଇ ପାରିଛି । ଏବେ ବି ୯ ହଜାରରୁ ଅଧିକ ମାମଲା ବିଭିନ୍ନ ସ୍ଥାନରେ ଚାଲିଛି । ଅଧିକାଂଶ ସ୍ଥାନରେ ଜଙ୍ଗଲକୁ ଦଖଲ କରିନେଉଥିବା ମାଫିଅମାନେ ଗଛ କାଟି ରାତାରାତି ବିକ୍ରି କରିଦେଉଛନ୍ତି । ସରକାରୀ ଖାତାରେ ଯଦିଓ ମାଫିଅମାନେ ସାଢେ ୮ହଜାର ଗଛ କାଟିଥିବା ଦର୍ଶାଯାଉଛି, ବାସ୍ତବରେ କିନ୍ତୁ ଏହି ସଂଖ୍ୟା ଢେର ଅଧିକ ବୋଲି ଆଶଙ୍କା କରାଯ।।ଉଛି ।
ଖଣି ଖାଦାନ ଅଞ୍ଚଳରେ ମାଫିଆମାନେ ଜଙ୍ଗଲ ଜବଦରଖଲ କରି ଲଘୁ ଖଣିଜ ସହିତ ଅନ୍ୟାନ୍ୟ ଦାମୀ ଖଣିଜ ପଦାର୍ଥ ଖୋଳିବାରେ ଲାଗିଛନ୍ତି । ଜଙ୍ଗଲ ଅଞ୍ଚଳକୁ ଜଗିବାପାଇଁ ପର୍ଯ୍ୟାୟ ସଂଖ୍ୟକ ସୁରକ୍ଷାକର୍ମୀ ନଥିବା ଓ ସ୍ଥାନୀୟ ପ୍ରଶାସନ ଓ ଜବରଦଖଲକାରୀଙ୍କ ମଧ୍ୟରେ ସଲାସୁତରା ଯୋଗୁଁ ସହଜରେ ଜଙ୍ଗଲକୁ ମାଫିଆମାନେ ମାଡି ବସୁଥିବା କୁହାଯାଉଛି ।
ବିଭିନ୍ନ ସହରାଞ୍ଚଳକୁ ଲାଗିଥିବା ଜଙ୍ଗଲ ଉପରେ କିନ୍ତୁ ଜମି ମାଫିଆମାନେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ସହର ସମ୍ପ୍ରସାରଣ ଆଳରେ ଏମାନେ ଧିରେ ଧିରେ ଜଙ୍ଗଲ କାଟି ପଦା କରୁଛନ୍ତି । ପ୍ରଥମେ ସେହିସବୁ ସ୍ଥାନରେ ବସ୍ତି ସ୍ଥାପନ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେହିସବୁ ଜମିକୁ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି । ରାଜଧାନୀ ଆଖପାଖରେ ଥିବା ଜଙ୍ଗଲ ଜମିରେ ଏଭଳି ଜବରଦଖଲ ଦେଖିବାକୁ ମିଳୁଛି । ସେହିଭଳି ସମୁଦ୍ରକୂଳିଆ ଜଙ୍ଗଲ ଜମିରେ ଅନୁପ୍ରବେଶକାରୀ ବିଶେଷକରି ବଙ୍ଗଳାଦେଶୀମାନେ ଆସି ଧିରେ ଧିରେ ଆସ୍ଥାନ ଜମାଉଛନ୍ତି ।
ରାଜ୍ୟରେ ୪୦ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମି ଜବରଦଖଲ ଫଳରେ ଏହାର କୁପ୍ରଭାବ ଆମର ଜୈବ ବିବିଧତା ଉପରେ ପଡୁଥିବା ପରିବେଶବିତ୍ମାନେ ମତ ଦେଉଛନ୍ତି । ଯେଉଁସବୁ ସ୍ଥାନରେ ଜଙ୍ଗଲ ଜବରଦଖଲ ହେଉଛି ସେଠାରେ ଥିବା ବନ୍ୟଜନ୍ତୁମାନଙ୍କୁ ଅବାଧରେ ଶିକାର କରାଯାଉଛି । ଏପରିପି ବହୁ ବନ୍ୟଜନ୍ତୁଙ୍କର ବଂଶ ଲୋପପାଇ ଯାଉଛି । ତେଣୁ ଜଙ୍ଗଲ ଜବରଦଖଲକାରୀଙ୍କ ପ୍ରତି ସରକାର କଠୋର ହେବା ସହିତ ଯେଭଳି ଜବରଦଖଲ ଜଙ୍ଗଲ ଜମି ତୁରନ୍ତ ସରକାରୀ ଖାତାକୁ ଫେରିବ ସେ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)