Home General ୪ବର୍ଷ ହେଲା ବସିନି ଚିଲିକା ଉନ୍ନୟନ ବୈଠକ

୪ବର୍ଷ ହେଲା ବସିନି ଚିଲିକା ଉନ୍ନୟନ ବୈଠକ

ଭୁବନେଶ୍ୱର : ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଚାଢେ ଚାରିବର୍ଷ ହେଲା ବୈଠକଟିଏ ବସିନାହିଁ । ଶେଷ ବୈଠକଟି ବସିଥିବାବେଳେ ୨୦୨୦ ମସିହା ଜାନୁୟାରୀ ୧୦ ତାରିଖରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି ଯେ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ପଦବୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବାବେଳେ ସଦସ୍ୟ ଭାବେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ପରିବେଶ ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ଶାସନ ସଚିବ, ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ, ମତ୍ସ୍ୟ ନିର୍ଦ୍ଦେଶକ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅର୍ଥ ନିର୍ଦ୍ଦେଶକ ରହିଛନ୍ତି । ଆବଶ୍ୟକ ସ୍ଥଳେ ଜଣେ ବିଶେଜ୍ଞଙ୍କୁ ନିମନ୍ତ୍ରିତ ସଦସ୍ୟ ଭାବେ ନିଆଯିବାର ବ୍ୟବସ୍ଥା ଥିବାବେଳେ ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଏହାର ସଦସ୍ୟ ସଂଯୋଜକ ରହିଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ ଚିଲିକାରୁ ପଙ୍କ ଉଦ୍ଧାର ପାଇଁ ୬୯୪.୩୭ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ଆର୍ଦ୍ରଭୂମି ଗବେଷଣା, ପ୍ରଶିକ୍ଷଣ, ପର‌୍ୟ୍ୟବେକ୍ଷଣ ଏବଂ ଅନୁଶୀଳ ପାଇଁ ୨୯.୨୮ ଲକ୍ଷ ଟଙ୍କା, ଚିଲିକା ଅନ୍ତଃନଳୀର ପୁନରୁଦ୍ଧାର ପାଇଁ ୯୨.୫୧ଲକ୍ଷ ଟଙ୍କା, ଡଙ୍ଗା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨୬.୮୮ଲକ୍ଷ, ମତ୍ସ୍ୟ ସମ୍ପଦର ବିକାଶ ପାଇଁ ୧୦୩.୮୨ଲକ୍ଷ, ସାମାଜିକ ଅର୍ଥନୀତିକ ବିକାଶ ପାଇଁ ୫୩.୨୬ଲକ୍ଷ, ମା’କାଳିଜାଇ ଦ୍ୱୀପ ଓ କାଙ୍କଣଶିଖରୀ ଦ୍ୱୀପର ଉନ୍ନତିମୂଳକ କାର‌୍ୟ୍ୟ ପାଇଁ ଯଥାକ୍ରମେ ୩୫.୪୬ ଲକ୍ଷ ଏବଂ ୪.୪୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଆଗାମୀ ଦିନ ଲାଗି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପଙ୍କ ଉଦ୍ଧାର ଓ ଜଳର ଲବଣାଂଶ ଓ ଗୁଣବତ୍ତା ଅକ୍ଷୁର୍ଣ୍ଣ ରଖିବାପାଇଁ ୨୮୧ଲକ୍ଷ ଟଙ୍କାର ଏକ ପ୍ରସ୍ତାବ ଅନୁମୋଦନ ହୋଇଛି । ଜହ୍ନିକୁଦାରୁ ସାତପଡା ପର‌୍ୟ୍ୟନ୍ତ ଫେରି ଯାତାୟତ କରୁଥବା ନାଳର ଖନନ କରିବାପାଇଁ ୧୨୫୯ଲକ୍ଷ ଟଙ୍କାର ପ୍ରସ୍ତାବ ସାଗରମାଳା ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ସେହିଭଳି ଆଉ ଦୁଇଟି ନୂଆ ଜଳତରୀ ଖରିଦର ମଧ୍ୟ ଯୋଜନା ରହିଛି । ବାଲିପାଟପୁର ଜେଟୀରୁ ଚିଲିକା ଭିତରକୁ ୯ କିଲୋମିଟର ନାଳ ଖନନ ପାଇଁ ୨୦୮୯ଲକ୍ଷ ଟଙ୍କାର ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଯାଇଛି ।

ଏହାଛଡା ଜୈବ ବିବିଧତାର ସଂରକ୍ଷଣ, ମତ୍ସ୍ୟ ସମ୍ପଦର ବିକାଶ, ଆର୍ଦ୍ରଭୂମି ଗବେଷଣା, ପ୍ରଶିକ୍ଷଣ, ପର‌୍ୟ୍ୟବେକ୍ଷଣ ଏବଂ ଅନୁଶୀଳନ, ଜନସଚେତନ କାର‌୍ୟ୍ୟକ୍ରମ ଓ ସାମାଜିକ ଅର୍ଥନୈତିକ ବିକାଶରେ ବିଭିନ୍ନ କାର‌୍ୟ୍ୟକ୍ରମ ହେବାର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । (ତଥ୍ୟ)