Home News in Odia ୪ବର୍ଷରେ ୯ଗୁଣା ସାଇବର ଅପରାଧ

୪ବର୍ଷରେ ୯ଗୁଣା ସାଇବର ଅପରାଧ

ଭୁବନେଶ୍ୱର : ଓଡିଶାରେ ସାଇବର ଅପରାଧ ହୁ ହୁ ହୋଇ ବଢିବାରେ ଲାଗିଛି । ଚାରିବର୍ଷ ମଧ୍ୟରେ ଏହା ପ୍ରାୟ ୯ଗୁଣ ବୃଦ୍ଧି ପାଇ ୫୩ହଜାରକୁ ଟପିଯାଇଛି । ସମଗ୍ର ଦେଶରେ ବି ଏହି ସମୟ ମଧ୍ୟରେ ସାଇବର ଅପରାଧ ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ଦେଶରେ ସାଇବର ଅପରାଧ ସଂକ୍ରାନ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବନ୍ଦି ସଞ୍ଜୟ କୁମାର ରାଜ୍ୟସଭାରେ ଦେଇଥିବା ଏକ ଉତ୍ତରରୁ ଏହା ଜଣାଯାଇଛି । ଏଥିରେ ଦର୍ଶାଯାଇଛି ଯେ ୨୦୨୧ ମସିହାରେ ଓଡିଶାରେ ୬୦୫୩ ଟି ସାଇବର ଅପରାଧ ରେକର୍ଡ ହୋଇଥିବାବେଳେ ୨୦୨୪ ମସିହାରେ ଏହା ୫୩ହଜାରକୁ ଅତିକ୍ରମ କରିଯାଇଛି । ଚଳିତବର୍ଷ ଜୁନ୍‍ ଶେଷସୁଦ୍ଧା ଏହି ସଂଖ୍ୟା ୨୮ହଜାରକୁ ଟପିଗଲାଣି ।

ସମଗ୍ର ଦେଶରେ ଏହି ଚାରିବର୍ଷ ମଧ୍ୟରେ ସାଇବର ଅପରାଧ ହାର ବି ହୁ ହୁ ହୋଇ ବଢିବାରେ ଲାଗିଛି । ୨୦୨୧ ମସିହାରେ ଦେଶରେ ୪ଲକ୍ଷ ୫୨ହଜାର ସାଇବର ଅପରାଧ ରେକର୍ଡ ହୋଇଥିବାବେଳେ ୨୦୨୪ରେ ଏହା ୨କୋଟି ୨୬ଲକ୍ଷକୁ ଟପିଯାଇଛି । ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ଏହି ଅପରାଧ ସଂଖ୍ୟା ପ୍ରାୟ ଏକ କୋଟି ୨୫ଲକ୍ଷ ହୋଇଗଲାଣି । ତେବେ ସାଇବର ଅପରାଧ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ମହରାଷ୍ଟ୍ର । ୨୦୨୪ରେ ଏଠାରେ ୩ଲକ୍ଷରୁ ଅଧିକ ସାଇବର ମାମଲା ପଞ୍ଜିକୃତ ହୋଇଛି । ଉତ୍ତରପ୍ରଦେଶରେ ମଧ୍ୟ ୩ଲକ୍ଷରୁ ଅଧିକ ସାଇବର ଅପରାଧ ଘଟିଛି ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଯେତେସଂଖ୍ୟକ ସାଇବର ଅପରାଧ ଘଟୁଛି ସେଥିରେ ସଂଖ୍ୟାଧିକ ରହୁଛି ଆର୍ଥିକ ଠକେଇ । ଏହାକୁ ରୋକିବାପାଇଁ ସରକାର ୨୦୨୧ ମସିହାରେ ସିଟିଜେନ୍‍ ଫାଇନାନସିଆଲ ସାଇବର ଫ୍ରଡ ରିପୋର୍ଟିଂ ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ କରିଛନ୍ତି । ଆର୍ଥିକ ଠକେଇର ଶିକାର ହେଉଥିବା ସାଧାରଣ ଲୋକେ ଏଥିରେ ଅଭିଯୋଗ କଲେ ସେମାନଙ୍କ ଠକେଇକୁ ରୋକାଯିବା ସହିତ ଠକେଇ ଟଙ୍କା ଫେରାଇ ଅଣାଯାଇ ପାରିବ । ବର୍ତ୍ତମାନ ସୁଦ୍ଧା ଏଥିରେ ହୋଇଥିବା ପାଖପାଖି ୧୮ଲକ୍ଷ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫୪୮୯ କୋଟି ଟଙ୍କାକୁ ସୁରକ୍ଷିତ ରଖାଯାଇ ପାରିଛି । ଏଭଳି ଠକେଇ ରୋକିବାପାଇଁ ନିଶୁଳ୍କ ହେଲ୍ପଲାଇନ୍‍ ନମ୍ବର ୧୯୩୦ ଜାରି କରାଯାଇଛି । ଏହି ନମ୍ବରରେ ଫୋନ୍‍କରି ଯେକୌଣସି ଲୋକ ସାଇବର ଠକେଇ ସଂକ୍ରାନ୍ତରେ ଅଭିଯୋଗ କରିପାରିବ ।

ସେହିଭଳି ରାଜ୍ୟ ସରକାର ସାଇବର ଫ୍ରଡ୍‍ ମିଟିଗେସନ ସେଣ୍ଟର (ସିଏଫ୍‍ଏମ୍‍ସି) ଗଠନ କରାଯିବା ସହିତ ଏଥିରେ ପ୍ରମୁଖ ବ୍ୟାଙ୍କ୍‍, ଆର୍ଥିକ ଅନୁଷ୍ଠାନ, ପେମେଣ୍ଟ ଏଗ୍ରିଗେଟର, ଟେଲିକମ୍‍ ସେବା ପ୍ରଦାନକାରୀଙ୍କ ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଆଇନ୍‍ ପ୍ରଣୟନକାରୀ ସଂସ୍ଥାମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହାଛଡା କେନ୍ଦ୍ର ସକରାର ୯.୪୨ଲକ୍ଷ ସିମ୍‍କାର୍ଡ ଅଚଳ କରିବା ସହିତ ୨,୬୩,୩୪୮ ଆଇଏମଇଆଇ ନମ୍ବରକୁ ମଧ୍ୟ ବାଜ୍ୟାପ୍ତ କରିଛନ୍ତି ।

ସାଇବର ଅପରାଧ ରୋକିବାପାଇଁ ପୁଲିସ୍‍ ଓ ଆଇନ୍‍ ଅଧିକାରୀମାନଙ୍କ ଦକ୍ଷତା ବିକାଶ କରାଯାଇଛି । ଏଥିପାଇଁ ‘ସାଇଟ୍ରେନ୍‍’ ପ୍ଲାଟଫର୍ମ ପ୍ରସ୍ତୁତ ହୋଇଥିବାବେଳେ ଏହା ଜରିଆରେ ଏକ ଲକ୍ଷରୁ ଅଧିକ ପୁଲିସ୍‍ ଅଧିକାରୀଙ୍କୁ ତାଲିମ ଦିଆଯିବା ସହିତ ପୋର୍ଟାଲ ଜରିଆରେ ୮୨ହଜାରରୁ ଅଧିକ ସାର୍ଟିଫିକେଟ ପ୍ରଦାନ କରାଯାଇଛି । (ତଥ୍ୟ)