ଭୁବନେଶ୍ୱର : ରାଜଧାନୀରେ ଥିବା ଦୁଇଟି ସରକାରୀ କଲେଜ ବିଜେବି ଓ ରାଜଧାନୀ ମହାବିଦ୍ୟାଳୟରେ ୪ଟି ସଂସ୍ଥା ସେମାନଙ୍କର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଚଳାଇଛନ୍ତି । ଏମାନେ ଏମ୍ବିଏ, ଆଇଟି, ଜର୍ଣ୍ଣାଲିଜିମ୍, ଏମସିଏ, ଆଇନ୍, ପ୍ରବନ୍ଧନ, କୃଷି ଆଦି ପାଠ୍ୟକ୍ରମ ପ୍ରଚଳନ କରିଛନ୍ତି ।
ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ସୂଚନା ଅନୁଯାୟୀ ବିଜେବି କଲେଜରେ ହେରିଟେଜ୍ ଭିଜନ ଏଜୁକେଶନାଲ ଟ୍ରଷ୍ଟ, ପ୍ରତିଭା ଏଜୁକେଶନାଲ ଟ୍ରଷ୍ଟ, ୟୁଟ୍ ଅର୍ଗାନାଇଜେସନ ଫର୍ ଅର୍ବାନ ଆଣ୍ଡ ରୁରାଲ ସର୍ଭିସେସ୍ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଚଳାଇଥିବାବେଳେ ରାଜଧାନୀ ମହାବିଦ୍ୟାଳୟରେ ହେରିଟେଜ ଭିଜନ ଏଡୁକେଶନାଲ ଟ୍ରଷ୍ଟ ଓ ବସନ୍ତ ମଞ୍ଜରୀ ଟ୍ରଷ୍ଟ ପିପିପି ମୋଡ୍ରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପରିଚାଳନା କରୁଛି । ଏହି ଚାରି ସଂସ୍ଥା ବିଭିନ୍ନ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ବର୍ଷକୁ ୨୦ ରୁ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି ।
ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସେଲ୍ଫ ପାଇନାନ୍ସିଂ ପାଠପଢା ଯୋଗୁଁ ଏହି ଦୁଇ କଲେଜରେ ଶ୍ରେଣୀଗୃହର ଅଭାବ ବାବଦରେ କୌଣସି ତଥ୍ୟ ସରକାରଙ୍କର ହସ୍ତଗତ ହେଲେ ଏହାର ଯାଞ୍ଚ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ।