Home General ୩୭ ଲକ୍ଷରୁ ଅଧିକ ସ୍ୱରୋଜଗାର ମହିଳା

୩୭ ଲକ୍ଷରୁ ଅଧିକ ସ୍ୱରୋଜଗାର ମହିଳା

ଭୁବନେଶ୍ୱର : ରାଜ୍ୟ ସରକାର ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ଉପରେ ଜୋର ଦେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୭ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ୱରୋଜଗାର ସୁଯୋଗ ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ମହିଳା ରହିଛନ୍ତି ଗଞ୍ଜାମ ଜିଲ୍ଲାରେ ।

ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସଂଗଠିତ କରି ସ୍ୱୟଂ ସହାୟକ ଗୋଷ୍ଠି ଗଠନ ଏବଂ ଏହା ଜରିଆରେ ମହିଳାଙ୍କୁ ସ୍ୱରୋଜଗାର କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି । ଏଥିପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି । ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଦିଆଯାଉଥିବା ଆବର୍ତ୍ତନ ପାଣ୍ଠିକୁ ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଗୋଷ୍ଠି ବିନିଯୋଗ ପାଣ୍ଠିକୁ ୩୫ଲକ୍ଷ ଟଙ୍କାରୁ ୬୦ଲକ୍ଷ ଟଙ୍କାକୁ ବଢାଇ ଦିଆଯାଇଛି । ଏମାନଙ୍କୁ ଜୀବନ ଜୀବିକା ପ୍ରଶିକ୍ଷଣ ଦେଇ ଲକ୍ଷପତି ଦିଦି ସୃଷ୍ଟି କରାଯାଉଛି । ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ଏମାନଙ୍କୁ ବ୍ୟବସାୟର ସୁଯୋଗ ପ୍ରଦାନ କରାଯାଉଛି ।

ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ମହୁଚାଷ, କୁକୁଡା ଚାଷ, ଛେଳି ଚାଷ, ଛତୁ ଚାଷ ଭଳି ଯୋଜନା ଉପରେ କ୍ଲଷ୍ଟର ଭିତ୍ତିକ ତାଲିମ ପ୍ରଦାନ କରାଯାଉଛି । ନିୟମିତ ଋଣ ପରିଶୋଧ କରୁଥିବା ମହିଳାମାନଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ଛାଡ କରାଯାଉଛି ।

ସେହିଭଳି ମହିଳମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରିପାଇଁ ସୁଭଦ୍ରା ଶକ୍ତି ମେଳାମାନ ଆୟୋଜନ କରାଯାଉଥିବାବେଳେ ବିଭିନ୍ନ ଇ-କମର୍ସ ସଂସ୍ଥା ସହିତ ଅନୁବନ୍ଧିତ କରାଯାଇଛି । ଏହା ଜରିଆରେ ସେମାନେ ନିଜ ନିଜର ଉତ୍ପାଦିତ ସାମଗ୍ରୀକୁ ଦେଶ ବିଦେଶରେ ବିକ୍ରି କରିପାରିବେ ।

ତେବେ ସରକାରୀ ହିସାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩,୫୨,୭୩୮ ସ୍ୱୟଂ ସହାୟିକା ଗୋଷ୍ଠିର ୩୭ଲକ୍ଷ ୨୩ ହଜାରରୁ ଅଧିକ ମହିଳାଙ୍କୁ ସ୍ୱରୋଜଗାର ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨ଲକ୍ଷ୮୮ହଜାର ମହିଳା ଥିବାବେଳେ କଟକଜିଲ୍‍ଲାରେ ୨ଲକ୍ଷ ୪୮ହଜାର ଓ ବାଲେଶ୍ୱରରେ ୨ଲକ୍ଷ ୪୭ହଜାର ମହିଳା ରହିଛନ୍ତି ।

ସେହିଭଳି ପୁରୀ ଜିଲ୍ଲାରେ ରୋଜଗାରକ୍ଷମ ହୋଇଥିବା ମହିଳାଙ୍କ ସଂଖ୍ୟା ୨ଲକ୍ଷ ୨୬ହଜାର ଥିବାବେଳେ ମୟୁରଭଞ୍ଜରେ ଏମାନଙ୍କ ସଂଖ୍ୟା ପାଖାପାତ୍କ ୨ଲକ୍ଷ ରହିଛି । ସ୍ୱରୋଜଗାର ହୋଇଥିବା ୧ଲକ୍ଷରୁ ଅଧିକ ମହିଳା ସଂଖ୍ୟା ଥିବାଜିଲ୍‍ଲା ମଧ୍ୟରେ ରହିଛି ଅନୁଗୁଳ, ବରଗଡ, ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ, ଜଗତ୍‍ସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର, ଖୋରଧା, ନୟାଗଡା ଓ ସୁନ୍ଦରଗଡ । ସବୁଠାରୁ କମ୍‍ ମାତ୍ର ୩୨,୮୬୦ ଜଣ ମହିଳା ଦେବଗଡ ଜିଲ୍ଲାରେ ରୋଜଗାରକ୍ଷମ ହୋଇପାରିଛନ୍ତି ।

ତେବେ ସ୍ୱୟଂ ସହାୟିକା ଗୋଷ୍ଠି ଗଠନ ପରେ ବ୍ୟାଙ୍କ୍‍ର ଅତି ସହଜରେ ଋଣ ପାଇଯାଉଥିବା ମହିଳାମାନେ ପରବର୍ତ୍ତୀ ସମୟରେ କେଉଁ ପ୍ରକାର ବ୍ୟବସାୟ କରୁଛନ୍ତି ଓ ଏହି ବ୍ୟବସାୟ କେତେଦିନ ପର୍ଯ୍ୟନ୍ତ ଜାରି ରହୁଛି ତାହାର ଅନୁଧ୍ୟାନ ବ୍ୟାଙ୍କ୍‍ଗୁଡିକ କିମ୍ବା ସରକାରଙ୍କ ପକ୍ଷରୁ ହେଉନାହିଁ । ବ୍ୟାଙ୍କ୍‍ଗୁଡିକ ନିୟମିତ ଭାବେ ସ୍ୱୟଂ ସହାୟିକା ଗୋଷ୍ଠି ଠାରୁ ଅର୍ଥ ଓ ସୁଧ ପାଇ ଖୁସିଥିବାବେଳେ ସରକାର ବି ଠିକଣା ସମୟରେ ବ୍ୟାଙ୍କ୍‍କୁ ସୁଧ ଛାଡ ଅର୍ଥ ପ୍ରଦାନ କରି ନିରବ । ଫଳରେ ବହୁ ସ୍ଥାନରେ ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଦିଆଯାଉଥିବା ବ୍ୟାଙ୍କ୍‍ ଋଣ ସୁଧ କାରବାରରେ ବ୍ୟବହୃତ ହେଉଥିବା ଲକ୍ଷ୍ୟ କରାଯାଉଥିବାବେଳେ ଏ ଦିଗ ପ୍ରତି ଧ୍ୟାନ ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)