ଭୁବନେଶ୍ୱର : ପ୍ରତ୍ୟେକ ଶିଶୁଙ୍କର ଅଧିକାର ସୁନିଶ୍ଚିତ ହେବା ଉଚିତ୍ । ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ତଥା ସେମାନଙ୍କ ପ୍ରତିଭାର ଉପଯୁକ୍ତ ବିକାଶ ପାଇଁ ସମସ୍ତଙ୍କୁ ମିଳିତ ଭାବରେ ପ୍ରୟାସ କରିବା ଆବଶ୍ୟକ ବୋଲି ୩୬ତମ ପିକକ୍ ଶିଶୁମେଳାର ଉଦ୍ଘାଟନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ ।
ଶୁକ୍ରବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଂଚରେ ରାଜ୍ୟର ସ୍ୱେଚ୍ଛାସେବୀ ସଂଗଠନ ପିକକ୍ ଦ୍ୱାରା ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୂଳରୁ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି । ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଶ୍ରମ କମିଶନର ଶ୍ରୀଯୁକ୍ତ ମଦନ ମୋହନ କହିଲେ ଯେ, ପ୍ରତ୍ୟେକଟି ଶିଶୁର ବଞ୍ôଚବାର ଯେମିତି ଅଧିକାର ରହିଛି, ସେମିତି ପ୍ରତିଟି କ୍ଷେତ୍ରରେ ନିଜର ସ୍ୱପ୍ନକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିବା ଜରୁରୀ ।
ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଚନ୍ଦନା ଦାସ ପିଲାମାନଙ୍କୁ ଉଦ୍ବୋଧନ ଦେଇ ଉତ୍ସାହିତ କରି କହିଥିଲେ ଯେ, ପିଲାମାନେ ପାଠ ପଢିବା ସହିତ ତାଙ୍କର ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବା ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗର ଅତିରିକ୍ତ ଶ୍ରମ କମିଶନର ବିଘ୍ନମହନ୍ତ ମହାପାତ୍ର, ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିଟ୍ର ଅଧ୍ୟକ୍ଷା ରୋଟାରିୟାନ ସଂଘମିତ୍ରା ରଥ, ରୋଟାରିୟାନ ଆର୍ଯ୍ୟା ପାଣିଗ୍ରାହୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।
ଶିଶୁ ବୈଜ୍ଞାନିକ ରିଶିତା ସାମନ୍ତରାୟ ପିଲାମାନଙ୍କୁ ନିଜ ଭିତରର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିବା ସହିତ ଏହାର ଉଚିତ ପ୍ରଦର୍ଶନ କରିବା ଆବଶ୍ୟକ ବୋଲି କହିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଶିଶୁ କଳାକାର ତଥା ପିକକ୍ର ଗୁଡ୍ୱିଲ ଆମ୍ବାସଡ଼ର ସୁହାନା କର ଓ ତାପସ କୁମାର ଷଡ଼ଙ୍ଗୀ କହିଲେ ଯେ, ପିଲାମାନେ ପାଠ ପଢିବା, ଭଲ ମଣିଷ ହେବା ସହିତ ନିଜର ପିତାମାତାଙ୍କୁ ସମ୍ମାନ ଦେବା ଆବଶ୍ୟକ । ପିକକ୍ ଶିଶୁ ମେଳା କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଉଦ୍ଘାଟନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ପିକକ୍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ନିଜ ବକ୍ତବ୍ୟରେ ଶିଶୁ ମେଳାର ଇତିହାସ ବର୍ଣ୍ଣନା କରିଥିଲେ । ପିକକ୍ର ଅଧ୍ୟକ୍ଷା ଡ. ମିନାକ୍ଷୀ ପଣ୍ଡା ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । ପିକକ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପିକକ୍ର କୋଷାଧ୍ୟକ୍ଷା ରତ୍ନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଦଶବତାର ନାଟ୍ୟଶାଳା, ଲକ୍ଷ୍ୟ ଡ୍ୟାନ୍ସ ଗ୍ରୁପ୍, ତପସ୍ୟା ଡିଭୋସନ ଫର୍ ଡ୍ୟାନ୍ସ, ଚେତନା ସ୍କୁଲ୍ ଓ ଅବନ୍ତିକା ଏକାଡ଼େମୀ ଅଫ କଲ୍ଚରାଲ ଆଣ୍ଡ ସୋସିଆଲ ୱେଲଫେୟାରର ଶିଶୁ କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପିକକ୍ର ଜ୍ୟୋତିଶଙ୍କର ମହାନ୍ତି, ସୁମିତ୍ରା ମହାନ୍ତି, ଉପମା ମହାନ୍ତି, ପୂଜା ପଣ୍ଡା, ପାଣୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ଚାଲୁ ରହିବ ।

