ଭୁବନେଶ୍ୱର : ରାଜ୍ୟରେ ମଦ କାରବାର ୨୪ ବର୍ଷରେ ୩୪୩ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଆଜି ବିଧାନସଭାରେ ଦେଇଥିବା ସୂଚନାରୁ ଏହା ଜଣାଯାଇଛି ।
ରାଜ୍ୟ ପାନୀୟ ନିଗମର ମଦ ବିକ୍ରି ଉପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୦୦-୦୧ ମସିହାରେ ପାନୀୟ ନିଗମ ମାତ୍ର ୨୫କୋଟି ୪୧ଲକ୍ଷ ଟଙ୍କାର ମଦ ବିକ୍ରି କରିଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୮୫୯୫ କୋଟି ଟଙ୍କାକୁ ଟପିଯାଇଛି । ଅର୍ଥାତ୍ ଏହି ୨୪ବର୍ଷ ଭିତରେ ପାନୀୟ ନିଗମ ରାଜ୍ୟରେ ୩୪୩ଗୁଣରୁ ଅଧିକ ପରିମାଣର ମଦ ବ୍ୟବସାୟ କରିଛି ।
ଏହି ସୂଚନା ଅନୁଯାୟୀ ୨୦୦୦-୦୧ ବର୍ଷରେ ମଦ ବିକ୍ରି ପରିମାଣ ୨୫.୪୧ କୋଟି ଟଙ୍କା ଥିବାବେଳେ ୨୦୦୧-୦୨ ବର୍ଷରେ ତାହା ପ୍ରାୟ ୧୦ଗୁଣ ବୃଦ୍ଧି ପାଇ ୨୭୫ କୋଟି ଟଙ୍କାକୁ ଟପିଥିଲା । ତେବେ ପାନୀୟ ନିଗମର ମଦ ବେପାର ୨୦୦୮-୦୯ ବର୍ଷରେ ହଜାରେ କୋଟି ଟଙ୍କାକୁ ଟପି ୧୦୧୩.୩୪ କୋଟି ଟଙ୍କାରେ ପହଞ୍ଚିଥିଲା । ସେହିଭଳି ୨୦୧୨-୧୩ ବର୍ଷରେ ନିଗମର ମଦ ବେପାର ୨ହଜାର କୋଟି ଅତିକ୍ରମ କରି ୨୧୯୫.୧୩ କୋଟି ଟଙ୍କାରେ ପହଞ୍ଚିଥିଲା । ନିଗମର ମଦ ବିକ୍ରି ୨୦୧୫-୧୬ ବର୍ଷରେ ୩ହଜାର କୋଟି ଟଙ୍କାକୁ ଟପିଥିବାବେଳେ ୨୦୧୮-୧୯ ବର୍ଷରେ ୪ହଜାର କୋଟି ଟଙ୍କାକୁ ଅତିକ୍ରମ କରି ୪୭୩୮ କୋଟି ଟଙ୍କାରେ ପହଞ୍ଚିଥିଲା ।
୨୦୧୮-୧୯ବର୍ଷରେ ମଦ ବିକ୍ରି ପରିମାଣ ୫ହଜାର କୋଟି ଟଙ୍କାକୁ ଅତିକ୍ରମ କରିଥିବାବେଳେ କରୋନା ବର୍ଷ ୨୦୨୦-୨୧ ବର୍ଷରେ ଏହା ୪ହଜାର କୋଟି ଟଙ୍କା ତଳକୁ ହ୍ରାସ ପାଇଥିଲା । ତେବେ କରୋନାର ପ୍ରକୋପ କମିନଥିବା ଏବଂ ଅର୍ଥନୀତି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ କିନ୍ତୁ ୨୦୨୧-୨୨ ବର୍ଷରେ ପାନୀୟ ନିଗମର ମଦ ବିକ୍ରି ୬ହଜାର କୋଟି ଟଙ୍କାକୁ ଅତିକ୍ରମ କରିଥିଲା । ଏହା ପରବର୍ଷ ଅର୍ଥାତ୍ ୨୦୨୨-୨୩ ବର୍ଷରେ ମଦ ବିକ୍ରି ୭ହଜାର କୋଟି ଟଙ୍କାକୁ ଟପିଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୮ହଜାର କୋଟି ଟପି ୮୫୯୫.୬୬ କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ଆର୍ଥବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ପାନୀୟ ନିଗମ ୭୫୩୦.୮୫ କୋଟି ଟଙ୍କାର ମଦ ବିକ୍ରି କରିସାରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।
ମନ୍ତ୍ରୀଙ୍କ ଉତ୍ତରରୁ ଆହୁରି ମଧ୍ୟ ଜଣାଯାଇଛି ଯେ କରୋନା ସମୟରେ ମଦ ବିକ୍ରି ଜାରି ରଖିଥିବା ପାନୀୟ ନିଗମ ସରକାରଙ୍କୁ ସହାୟତାର ହାତ ବଢାଇଥିଲା । ସ୍ୱତନ୍ତ୍ର କରୋନ ଫି ବାବଦରେ ନିଗମ ୨୦୨୦-୨୧ ବର୍ଷରେ ସରକାରଙ୍କୁ ୫୪୬.୩୩ କୋଟି ଟଙ୍କା ଦେଇଥିବାବେଳେ ଏହା ପରବର୍ଷ ଅର୍ଥାତ୍ ୨୦୨୧-୨୨ ବର୍ଷରେ ୨୪.୪୬ କୋଟି ଟଙ୍କା ପ୍ରଦାନ କରିଥିଲା ।
ମଦ ବିକ୍ରି ସହିତ ତାଳ ଦେଇ ପାନୀୟ ନିଗମ ରାଜ୍ୟ ସରକାରଙ୍କୁ ଏକ୍ସାଇଜ୍ ଡ୍ୟୁଟି ଓ ଭାଟ୍ ବାବଦରେ ମଧ୍ୟ ବିପୁଳ ଅର୍ଥ ପ୍ରଦାନ କରୁଛି । ୨୦୦୧-୦୨ ବର୍ଷରେ ଏକ୍ସାଇଜ୍ ଡ୍ୟୁଟି ବାବଦରେ ୧୦୮.୨୪ କୋଟି ଟଙ୍କା ଦେଇଥିବାବେଳେ ୨୦୨୩-୨୪ ବର୍ଷରେ ତାହା ୫୯୨୩୮ କୋଟି ଟଙ୍କାକୁ ଟପିଯାଇଛି । ସେହିଭଳି ଏହି ସମୟ ମଧ୍ୟରେ ଭାଟ୍ ପ୍ରଦାନ ପରିମାଣ ୪୫ କୋଟି ଟଙ୍କାରୁ ବଢି ବଢି ୨୮୮୫ କୋଟି ଟଙ୍କାକୁ ଅତିକ୍ରମ କରିଯାଇଛି । (ତଥ୍ୟ)