Home Agriculture ୩୦ବର୍ଷ ଧରି ଗୋଟିଏ କିସମ ଧାନ

୩୦ବର୍ଷ ଧରି ଗୋଟିଏ କିସମ ଧାନ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଗୋଟିଏ କିସମର ଧାନ ଓଡିଶାରେ ଦଶନ୍ଧି ଦଶନ୍ଧି ଧରି ଚାଷ ହେଉଛି । କେଉଁ ବିହନ ୧୦ ବର୍ଷ ତ ଆଉ କେଉଁ ବିହନ ୩୦ବର୍ଷ ଧରି ଚାଷ ହେଉଛି ।

ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୪୦ଦିନ ମଧ୍ୟରେ ଅମଳ ହେଉଥିବା ଏମ୍‍ଟିୟୁ୭୦୨୯ ମଧ୍ୟମ କିସମର ଧାନ ୧୯୮୨ ମସିହାରୁ ରାଜ୍ୟରେ ଚାଷ ହେଉଛି । ସେହିଭଳି ଲଲାଟ ଧାନ ୧୯୮୯ ମସିହାରୁ ଚାଷ ହେଉଥିବାବେଳେ ୧୯୯୧ ମସିହାରୁ ଆର.ଆଇ ୬୪ ଚାଷ ହେଉଛି । ସଅଳ କିସମ ଅର୍ଥାତ୍‍ ୧୧୦ ରୁ ୧୧୫ ଦିନ ମଧ୍ୟରେ ଅମଳ ହେଉଥିବା ଖଣ୍ଡଗିରୀ ୧୯୯୪ ମସିହାରୁ ଚାଷ ହେଉଛି ।

ବିଳମ୍ବ ଅବଧି ଅର୍ଥାତ୍‍ ୧୪୦ ଦିନରୁ ଅଧିକ ସମୟରେ ଅମଳ ହେଉଥିବା ଗାୟତ୍ରୀ ୧୯୮୯, ପୂଜା ୧୯୯୯ ଓ ପ୍ରଦୀକ୍ଷା ୨୦୦୬ ମସିହାରୁ ଚାଷ ହେଉଛି । ନବୀନ ଧାନ ୨୦୦୬ ମସିହାରୁ ରାଜ୍ୟରେ ଚାଷ ହେଉଥିବାବେଳେ ୨୦୦୮ ରୁ ମନସ୍ୱିନୀ, ଜି.ବି-୧ ଓ ଏମ୍‍ଟିୟୁ୧୦୬୫ ର ଚାଷ ଜାରି ରହିଛି ।

ତେବେ ରାଜ୍ୟରେ ସ୍ୱର୍ଣ୍ଣ ଧାନ ବାରମ୍ବାର ଚାଷ କରାଯାଉଥିବାରୁ କିମ୍ବା ଗୋଟିଏ କିସମର ଧାନ ବାରମ୍ବାର ଚାଷ କରାଯାଉଥିବାରୁ ଚକଡା ପୋକ ଭଳି ସମସ୍ୟା ଦେଖାଯାଉଥିବା ସମ୍ପର୍କିତ ଅଖିଳ ଭାରତୀୟ କିଷାନ ମଜଦୁର ସଭା ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ସରକାରଙ୍କର ହସ୍ତଗତ ହୋଇନଥିବା ମନ୍ତ୍ରୀ କହିଛନ୍ତି । ୨୦୧୭-୧୮ରେ ରୋଗପୋକ ସମସ୍ୟା ଯୋଗୁଁ ଏକ ଲକ୍ଷ ୨୮ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବାବେଳେ ୨ଲକ୍ଷ ୯୫ହଜାର ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ୨୦୧୮-୧୯ ମସିହାରେ ୧୦,୪୫୬ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବାବେଳେ ୨୪ ହଜାର ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ।

ତେବେ ୨୦୨୦-୨୧ ମସିହାରେ ଚକଡା ପୋକ ସହଣି ଶକ୍ତି ଥିବା ୧୬୩ କୁଇଣ୍ଟାଲ ହସନ୍ତ ବିହନ ବିକ୍ରି ହୋଇଛି । ସମସ୍ତ ୩୦ଟି ଜିଲ୍ଲାରେ ଇ-ରୋଗପୋକ ସର୍ବେକ୍ଷଣ କାର୍ଯ୍ୟ ଚାଲୁ ରହିଛି । ପ୍ରତ୍ୟେକ ଜିଲ୍ଲା ପାଇଁ ରାଜ୍ୟ ଯୋଜନା ଅର୍ନ୍ତଗତ ୧୦୦ ଲକ୍ଷ ଟଙ୍କାର ଜରୁରୀକାଳୀନ ସ୍ଥିତିରେ ରିହାତି ଦରରେ କୀଟନାଶକ ଯୋଗାଇ ଦେବାପାଇଁ ବ୍ୟବସ୍ଥା ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।