ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ହଜାରରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରିନଥିବାବେଳେ ପାଖାପାଖି ହଜାରେ ଗାଁରେ ଏବେ ବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି । ଏହା ଫଳରେ ବ୍ୟାଙ୍କ୍ ସେବା ଠାରୁ ଆରମ୍ଭକରି ରାସନକାର୍ଡର ଇ-କେୱାଇସି ଯାଞ୍ଚ ସବୁକିଛି ବାଧାପ୍ରାପ୍ତ ହେଉଛି ।
ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଏବେ ବି ଓଡିଶାର ୩୨୫୪ ଗାଁରେ ମୋବାଇଲ୍ ସେବା ଅପହଞ୍ଚ । ସେହିଭଳି ୯୨୨ଟି ଗାଁରେ ଏବେ ବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି ଯାହାର ବେଗ ଅତ୍ୟନ୍ତ ଧିମା । ରାଜ୍ୟରେ କେତେକ ସ୍ଥାନରେ ୫ଜି ସେବା ଆରମ୍ଭ ହୋଇଥିବାବେଳେ ୨ଜି ସେବାରେ ପରିବର୍ତ୍ତନ ନହେବା ରାଜ୍ୟର ଦୁର୍ବଳ ମୋବାଇଲ ସଂଯୋଗକୁ ପ୍ରତିପାଦନ କରୁଛି ।
ସବୁଠାରୁ ବଡକଥା ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବା ରାଜ୍ୟର ୧୦ଟି ପଛୁଆ ଜିଲ୍ଲାର ଶତାଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରିନାହିଁ । ଫଳରେ ସେହିସବୁ ପଛୁଆ ଅଞ୍ଚଳରେ ଶିକ୍ଷାଦାନ ଠାରୁ ଆରମ୍ଭକରି ବ୍ୟାଙ୍କ୍ସେବା ଆଦି ବାଧାପ୍ରାପ୍ତ ହେବାରେ ଲାଗିଛି ।
ବର୍ତ୍ତମାନ ଶିକ୍ଷାବ୍ୟବସ୍ଥାରେ ନାମଲେଖା ଠାରୁ ଆରମ୍ଭକରି ପରୀକ୍ଷା ଆଡମିଟ୍ କାର୍ଡ ପାଇବା ଓ ପରୀକ୍ଷା ଆଦି ବିଷୟରେ ଜାଣିବା ପାଇଁ ଓଟିପି ଅତି ଜରୁରୀ ହୋଇଥାଏ । ତେବେ ଏହିସବୁ ଅଞ୍ଚଳରେ ମୋବାଇଲ୍ ସଂଯୋଗ ନଥିବାରୁ ଛାତ୍ରଛାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଉକ୍ତ ଅଞ୍ଚଳରେ ଆର୍ଥିକ ଦେଣ ନେଣ ପାଇଁ ବ୍ୟବହାର ହେଉଥିବା ୟୁପିଆଇ ମଧ୍ୟ କାର୍ଯ୍ୟ କରୁନାହିଁ । ଏଥିପାଇଁ ମୋବାଇଲ୍ ସଂଯୋଗ ଆବଶ୍ୟକ ।
ସେହିଭଳି ତିନି ହଜାରରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରୁନଥିବାରୁ ରାସନକାର୍ଡର ଇ-କେୱାଇସି ଯାଞ୍ଚ କ୍ଷେତ୍ରରେ ମଧ୍ୟ ଏହା ବାଧକ ସାଜିଛି । ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୬ହଜାରରୁ ଅଧିକ ରାସନକାର୍ଡର ଇ-କେୱାଇସି ଯାଞ୍ଚ ହୋଇପାରି ନାହିଁ । ଦୁର୍ଗମ ଅଞ୍ଚଳରେ ଯେଉଁମାନେ ମୋବାଇଲ୍ ଫୋନ୍ ଓ ଏହା ଜରିଆରେ ଇଣ୍ଟରନେଟ୍ ଯୋଗେ ଅତି ସହଜରେ ଏହା କରିପାରିଥାନ୍ତେ ସେମାନେ ଏବେ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହେଉଛନ୍ତି ।
ମୋବାଇଲ୍ ସେବା ଅପହଞ୍ଚ ହୋଇଥିବା ଅଞ୍ଚଳରେ ଲୋକେ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ସଂକ୍ରାନ୍ତରେ ତତ୍କାଳନ ସୂଚନା ପାଇପାରୁ ନାହାନ୍ତି । ବିଶେଷକରି ରାଜ୍ୟ ସରକାର ବଜ୍ରପାତ ଓ ପାଣିପାଗ ସଂକ୍ରାନ୍ତରେ ମୋବାଇଲ୍ ଫୋନ୍ ଜରିଆରେ ଯେଭଳି ସୂଚନା ପଠାଉଛନ୍ତି ତାହା ଏହିସବୁ ଅଞ୍ଚଳର ଲୋକଙ୍କ ପାଇଁ ଅପହଞ୍ଚ ହୋଇଛି ।
କେନ୍ଦ୍ର ସରକାର ରାଜ୍ୟର ପଛୁଆ ଜିଲ୍ଲା ବିଶେଷକରି ମାଓ ଅଧ୍ୟୁଷିତ ଜିଲ୍ଲାରେ ମୋବାଇଲ୍ ଟାୱାର ସ୍ଥାପନ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ସହିତ ଅର୍ଥ ଯୋଗାଇ ଦେଉଥିବାବେଳେ ଏବେ ବି ରାଜ୍ୟର ୩ହଜାରରୁ ଅଧିକ ଗାଁରେ ମୋବାଇଲ୍ ପହଞ୍ଚି ନପାରିବା ଓ ହଜାରେ ପାଖପାଖି ଗାଁରେ ୨ଜି ମୋବାଇଲ୍ ସେବା ଚାଲିବା ଏବେ ରାଜ୍ୟରେ ମୋବାଇଲ୍ ସଂଯୋଗ ଓ ଟେଲି ସାନ୍ଧ୍ରତା ଉପରେ ପ୍ରଶ୍ନବାଚୀ ଲଗାଇଲାଣି । (ତଥ୍ୟ)