Home Health ୩ଲକ୍ଷ ଟପିଲା କରୋନା

୩ଲକ୍ଷ ଟପିଲା କରୋନା

Covid-19

କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୩ ଲକ୍ଷ ଟପିଛି । ରାଜ୍ୟରୁ ୧୩୭୨ ନୂଆ କରୋନା ରୋଗୀ ଚିହ୍ନଟ ସହିତ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୧୪୦କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ତାଲିକାରେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ସର୍ବାଧିକ ୪୯,୭୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରେ ୨୬,୬୪୫, ଗଞ୍ଜାମରେ ୨୧,୩୬୩, ପୁରୀରେ ୧୨,୧୯୦, ମୟୁରଭଞ୍ଜରେ ୧୧,୯୦୭, ସୁନ୍ଦରଗଡରେ ୧୧,୬୮୨, ଯାଜପୁରରେ ୧୧,୧୦୨ ଓ ବାଲେଶ୍ୱରରେ ୧୦,୬୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସବୁଠାରୁ କମ୍‍ ଆକ୍ରାନ୍ତ ମାତ୍ର ୧୧୦୪ ଜଣ ଦେବଗଡ ଜିଲ୍ଲାରେ ଅଛନ୍ତି ।

ଉଲ୍ଲେଖନୀୟ ଯେ ମାର୍ଚ୍ଚ ୧୫ ତାରିଖରେ ଓଡିଶାରେ ପ୍ରଥମ କରୋନା ରୋଗୀ ରାଜଧାନୀରେ ଚିହ୍ନଟ ହୋଇଥିବାବେଳେ ସେ ଜଣେ ଇଟାଲୀ ଫେରନ୍ତା ଛାତ୍ର ଥିଲେ । ଏହାପରେ ଦ୍ୱିତୀୟ ଆକାନ୍ତ ଜଣ ଜଣେ ଇଂଲଣ୍ଡ ଫେରନ୍ତା ଛାତ୍ର ଥିବାବେଳେ ତୃତୀୟ ଆକ୍ରାନ୍ତ ଜଣଙ୍କ ଜଣେ ବ୍ୟାଙ୍କ୍‍ କର୍ମଚାରୀ ଥିଲେ । ଏହାପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଛୁଇଁବାକୁ ଏକମାସରୁ ଅଧିକ ସମୟ ଲାଗି ଯାଇଥିଲା ।

ସେହିଭଳି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୧୦ରେ ପହଞ୍ଚିଯାଇଛି । ଗୋଟିଏ ଦିନରେ ୧୭ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟାରେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏକଦା କରୋନା ହବ୍‍ ପାଲଟିଥିବା ଗଞ୍ଜାମକୁ ସଂକ୍ରମିତ ଓ ମୃତ୍ୟୁ ତାଲିକାରେ ଖୋରଧା ବହୁ ପଛରେ ପକାଇ ଦେଇଛି ।

ରାଜ୍ୟରେ ମୋଟ୍‍ ୧୪୧୦ କରୋନା ମୃତ୍ୟୁ ମଧ୍ୟରୁ ଖୋରଧାରେ ସର୍ବାଧିକ ୨୪୫ ଜଣ ଥିବାବେଳେ ଗଞ୍ଜାମରୁ ୨୩୧, କଟକରୁ ୧୧୮, ପୁରୀରୁ ୮୭, ସୁନ୍ଦରଗଡରୁ ୭୬, ବାଲେଶ୍ୱରରୁ ୭୧, ମୟୁରଭଞ୍ଜରୁ ୬୭ ଜଣ ମରିଛନ୍ତି । ତେବେ ଦେବଗଡ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୨ଜଣ ମୃତ୍ୟୁବରଣ କରିଛନ୍ତି ।

ରାଜ୍ୟରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ଟପିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨,୮୫,୧୭୪ଜଣ ସୁସ୍ଥହୋଇ ସାରିଲେଣି । ରାଜ୍ୟରେ ଏବେ ୧୩,୫୦୩ ଜଣ ସକ୍ରିୟ ରୋଗୀ ରହିଥିବାବେଳେ ୪୮,୮୮,୫୦୯ ଟି ନମୂନା ପରୀକ୍ଷା ହୋଇଛି । ମୋଟ୍‍ ପରୀକ୍ଷାରୁ ୬.୧୮ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।