ଭୁବନେଶ୍ୱର : ଆମ ବସ୍ ଦୁର୍ଘଟଣାରେ ବିରାମ ଲାଗୁନଥିବାବେଳେ ଏଥିରେ ମୃତ ଓ ଆହତଙ୍କୁ କ୍ଷତିପୂରଣ ବାବଦରେ କର୍ତ୍ତୃପକ୍ଷ ୩କୋଟିରୁ ଅଧିକ ଟଙ୍କା ପ୍ରଦାନ କଲେଣି । ଅବଶ୍ୟ ବୀମା ରାଶି ବାବଦରେ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଛି ।
ମୋ ବସ୍ରୁ ଆମ ବସ୍ ହୋଇଥିବା କ୍ରୁଟ୍ର ବସ୍ଗୁଡିକ ଭୁବନେଶ୍ୱର ସମେତ କଟକ ଓ ଅନ୍ୟାନ୍ୟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟାଉଛନ୍ତି । ଦୁର୍ଘଟଣାରେ ବ୍ରେକ୍ ଲଗାଇବାପାଇଁ କର୍ତ୍ତୃପକ୍ଷ ପ୍ରଥମେ ଗାଡିର ବେଗ ସର୍ବାଧିକ ୪୦ କିଲୋମିଟର କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଡ୍ରାଇଭରମାନଙ୍କର ଏକାଗ୍ରତା ବଢାଇବାପାଇଁ ସେମାନଙ୍କୁ ଯୋଗ ପ୍ରାଣାୟାମ କରାଇଲେ । ହେଲେ ଦୁର୍ଘଟଣାରେ ବ୍ରେକ୍ ନଲାଗିବାରୁ ଏବେ ୫ବର୍ଷର ଡ୍ରାଇଭିଂ ଅଭିଜ୍ଞତା ନଥିଲେ ଆମ୍ ବସ୍ ଚଳାଇବା ମନା ବୋଲି କୁହାଯାଇଛି ।
ତେବେ ରାଜଧାନୀ ସମେତ କଟକ ଓ ଅନ୍ୟ ସ୍ଥାନକୁ ଗଡୁଥିବା ଆମ ବସ୍ର ବେଗ ସହର ଭିତରେ ବି ଅନେକ ସମୟରେ ଅଧିକ ରହୁଛି । ଆମ ବସ୍ଗୁଡିକ ଏକ ପ୍ରକାର ଅଟୋ ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିଭଳ ପ୍ରତ୍ୟେକ ବସ୍ ପାଇଁ ସମୟ ସାରଣୀ ଧାର୍ଯ୍ୟ ହୋଇଥିବାରୁ ଟ୍ରାଫିକ ଭିଡରେ ପଡିଲା ପରେ ଜୋରରେ ଯିବାକୁ ବାଧ୍ୟ ହେଉଛନ୍ତି । କେତେକ ସ୍ଥାନରେ ଯାତ୍ରୀ ନେବାପାଇଁ ଅଟୋଗୁଡିକ ମଧ୍ୟ ଆମ ବସ୍ର ବାଟ ଓଗାଳୁଥିବା ଲକ୍ଷ୍ୟ କରାଯାଉଛି ।
ତେବେ କର୍ତ୍ତୃପକ୍ଷ ଯେତେ ପ୍ରକାର ପଦକ୍ଷେପ ନେଲେ ବି ଦୁର୍ଘଟଣା ରୋକିବାରେ ସେଭଳି ଆଖିଦୃଶିଆ ସଫଳତା ମିଳୁନାହିଁ । ୨୦୨୪ର ଶେଷ ତିନିମାସ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୨୫ଟି ଦୁର୍ଘଟଣା ଘଟିଥିବାବେଳେ ଚଳିତବର୍ଷର ପ୍ରଥମ ଚାରିମାସ ଅର୍ଥାତ୍ ଜାନୁୟାରୀରୁ ଏପ୍ରିଲ୍ ମଧ୍ୟରେ ୩୭ଟି ଦୁର୍ଘଟଣା ଘଟି ସାରିଲାଣି । ମଇ ମାସରେ ଏକାଧିକ ଦୁର୍ଘଟଣାରେ ଲୋକଙ୍କ ପ୍ରାଣ ଯାଇଥିବାବେଳେ ତାହା ସରକାରୀ ଖାତାରେ ଅର୍ନ୍ତଭୁକ୍ତ ଅପେକ୍ଷାରେ ରହିଛି ।
ଦୁର୍ଘଟଣାରେ ମୃତ ଓ ଆହତମାନଙ୍କୁ ବୀମା ରାଶି ବାବଦରେ ୨କୋଟି ୯୪ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇ ସାରିଲାଣି । ସେହିଭଳି ବସ୍ ଚଳାଚଳ ଦାୟିତ୍ୱରେ ଥିବା କ୍ରୁଟ୍ କର୍ତ୍ତୃପକ୍ଷ ମଧ୍ୟ ହାତରୁ ୩ଲକ୍ଷ ୨୫ହଜାର ଟଙ୍କା ଗଣିଲେଣି । ଯେଉଁଠାରେ ଛୋଟକାଟର ଦୁର୍ଘଟଣା ଘଟୁଛି ଓ ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ ଠାରୁ ଆରମ୍ଭ କରି ଧାରଣା ପର୍ଯ୍ୟନ୍ତ ଯାଉଛନ୍ତି ସେଠାରେ କ୍ରୁଟ୍ କର୍ତ୍ତୃପକ୍ଷ ତତ୍କାଳ କ୍ଷତିପୂରଣ ପ୍ରଦାନ କରି ଝାମେଲାରୁ ମୁକ୍ତି ପାଉଛନ୍ତି ।
ଉଲ୍ଲେଖନୀୟ ଯେ ରାଜଧାନୀରେ ଆମ ବସ୍ର ଦୁର୍ଘଟଣାକୁ ନେଇ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ଲୋକେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆକ୍ରମଣ କରିବା ଦେଖିବାକୁ ମିଳୁଛି । ଅବସ୍ଥା ଏଭଳି ହୋଇଛି ଦୁର୍ଘଟଣା ଘଟାଇ ଫେରାଇ ହେଉଥିବା ବସ୍କୁ ପିଛା କରି ଯୁବକମାନେ ଆମ ବସ୍ ଡିପୋରେ ପହଞ୍ଚି ଗାଡି ଚାଳକଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଏହାକୁ ନେଇ ଆମବସ୍ ଚାଳକମାନେ ମଧ୍ୟ ଏକାଠି ହୋଇ ପ୍ରତିବାଦ କରିଛନ୍ତି ।
ତେବେ ସହରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ନଆସିଲେ ଏବଂ ଆମ ବସ୍ରେ ଦକ୍ଷ ଓ ଅଭିଜ୍ଞ ଚାଳକ ନିଯୁକ୍ତି ନହେଲେ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ସମ୍ଭବପର ହେବନାହିଁ । କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେଲେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ଅନୁଦାନରେ ଚାଲୁଥିବା ଏହି ବସ୍ ସେବା କ୍ଷତିପୂରଣ ଦେଇ ଦେଇ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିବ । (ତଥ୍ୟ)