ଭୁବନେଶ୍ୱର : ଅନ୍ୟ ରାଜ୍ୟର ୨୯ ହଜାରରୁ ଅଧିକ ଶ୍ରମିକ ଓଡ଼ିଶାର ବିଭିନ୍ନ କଳକାରଖାନାରେ ଆସି କାର୍ଯ୍ୟ କରୁଛନ୍ତି । ଏମାନେ ସମସ୍ତେ ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି ।
ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ୨୯,୨୪୯ ଜଣ ପ୍ରବାସୀ ଶ୍ରମିକ ଓଡ଼ିଶାରେ ଶ୍ରମିକ ଆଇନ ୧୯୭୯ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ଜରିଆରେ ନିଯୁକ୍ତି ପାଇଛନ୍ତି ।
ଓଡ଼ିଶାରେ କାର୍ଯ୍ୟରତ ଏହି ଶ୍ରମିକମାନଙ୍କ ମଧ୍ୟରୁ ସର୍ବାଧିକ ୭୬୪୮ ଜଣ ଢ଼େଙ୍କାନାଳ ଜିଲ୍ଲାରେ ଥିବା ଇସ୍ପାତ, ଝୋଟ, ଖଣି, ଶକ୍ତି ଓ ଆଜବେଷ୍ଟସ ତିଆରି ଶିଳ୍ପସଂସ୍ଥାଗୁଡିକରେ କାର୍ଯ୍ୟ କରୁଛନ୍ତି । ଝାରସୁଗୁଡା ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୪୨୬୭ଜଣ ଶ୍ରମିକ ରହିଛନ୍ତି । ଏମାନେ ସିମେଣ୍ଟ, ଇସ୍ପାତ, ତାପଜ ବିଦ୍ୟୁତକେନ୍ଦ୍ର, ସେରାମିକ୍ସ ଓ ଖାଣି ଖାଦାନରେ ନିଯୁକ୍ତ ହୋଇଛନ୍ତି ।
ସେହିଭଳି କନ୍ଧମାଳ ଜିଲ୍ଲାରେ ୩୨୦୪ ଜଣ ଶ୍ରମିକ ନିଯୁକ୍ତ ହୋଇଥିବା ବେଳେ ଭଦ୍ରକରେ ୨୪୯୪ଜଣ, ଖୋର୍ଦ୍ଧାରେ ୧୬୮୭, ରାୟଗଡାରେ ୧୭୨୭, କଟକରେ ୧୫୭୦, ସମ୍ବଲପୁରରେ ୧୮୨୬, କେନ୍ଦୁଝରରେ ୧୪୧୩ ଜଣ ଅନ୍ୟ ରାଜ୍ୟର ଶ୍ରମିକ କାର୍ଯ୍ୟ କରୁଛନ୍ତି । ତେବେ କୋରାପୁଟ, ନୂଆପଡା, କନ୍ଧମାଳ, ଗଜପତି ଓ ବୌଦ୍ଧ ଜିଲ୍ଲାରେ ଜଣେ ହେଲେ ରାଜ୍ୟ ବାହାରର ଶ୍ରମିକ ନଥିବା ମନ୍ତ୍ରୀଙ୍କ ଉତ୍ତରରେ ଜଣାଯାଇଛି ।