Home General ୨୮୩ ଶିଶୁ ଶ୍ରମିକ ଉଦ୍ଧାର

୨୮୩ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର : ଶିଶୁ ଶ୍ରମିକ ପ୍ରଥାର ଅନ୍ତ ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଗତ ପାଞ୍ଚବର୍ଷରେ ସରକାରୀ ହିସାବରେ ୨୮୩ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଥିବା ଅଭିଯୋଗରେ ୧୫୯ଟି ସଂସ୍ଥା ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

ଶିଶୁ ଶ୍ରମିକ ପ୍ରଥାର ବିଲୋପ ପାଇଁ ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଠନ କରିବା ସହିତ ଜିଲ୍ଲା ସ୍ତରରେ ମଧ୍ୟ ଟାସ୍କଫୋର୍ସ ମଧ୍ୟ ଗଠନ ହୋଇଛି । ଏଥି ସହିତ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ନେଇ ତଳ ସ୍ତରରେ କମିଟି ଗଠନ ହେଉଛି । ଛୋଟ ଛୋଟ ପିଲାଙ୍କୁ କାମରେ ଲଗାଇଲେ ଦଣ୍ଡବିଧାନ ସହିତ ଜେଲ ଯିବାର ବ୍ୟବସ୍ଥା ରହିଛି । ଏ ସଂକ୍ରାନ୍ତରେ ଗାଁ ଠୁ ଆରମ୍ଭକରି ସହର ପର୍ଯ୍ୟନ୍ତ ଲୋକଙ୍କୁ ବ୍ୟାପକ ସଚେତନ କରାଯାଉଛି ।

ଏହା ସତ୍ୱେ ବି ବିଭିନ୍ନ ସଂସ୍ଥା ଓ ସାଧାରଣ ଲୋକେ ଶିଶୁମାନଙ୍କୁ ବିଭିନ୍ନ ବିପଦଜନକ କାର୍ଯ୍ୟରେ ଲଗାଉଛନ୍ତି । ଶିଶୁଶ୍ରମିକ ବିଲୋପ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କ କହିବାକଥା ଯେ ସରକାରୀ ହିସାବରେ ଯେତେ ସଂଖ୍ୟକ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ହେଉଥିବା ଦର୍ଶାଯାଉଛି ବାସ୍ତବ ସଂଖ୍ୟା ତାହାଠାରୁ ଢେର ଅଧିକ ରହୁଛି । ଯେତେବେଳେ ଗଣମାଧ୍ୟମର ଚାପ ପଡୁଛି ସେତେବେଳେ ପ୍ରଶାସନ ତତ୍ପର ହେବା ସହିତ କାର୍ଯ୍ୟରତ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନେଉଛି ।

ରାଜ୍ୟରେ ଥିବା ପ୍ରମୁଖ ସହରାଞ୍ଚଳରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଲୋକଙ୍କ ଘରେ ଛୋଟ ଛୋଟ ପିଲାମାନେ କାର୍ଯ୍ୟ କରୁଛନ୍ତି । ଅନେକ ସ୍ଥାନରେ ପିଲାଙ୍କ ବୟସ ଅଧିକ ଦର୍ଶାଇ ସେମାନଙ୍କୁ କାମରେ ଲଗାଯାଉଛି । ସେହିଭଳି ପ୍ରଶାସନ ଉଦ୍ଧାର କରୁଥିବା ପିଲାଙ୍କୁ କେତେକ କ୍ଷେତ୍ରରେ ସେମାନଙ୍କ ପିତାମାତାମାନେ ମଧ୍ୟ ଛଡାଇ ନେଇ ପରବର୍ତ୍ତୀ ସମୟରେ ପୁଣି କାମରେ ଲଗାଉଛନ୍ତି ।

ସେହିଭଳି ବିଭିନ୍ନ କାର୍ଯ୍ୟସ୍ଥଳୀରେ ଶିଶୁ ଶ୍ରମିକଙ୍କ ଉପରେ ଧରପଗଡ ହେବା ଫଳରେ ଏବେ କିଛି ଦଲାଲ ସେମାନଙ୍କୁ ରାଜ୍ୟ ବାହାରକୁ କାମରେ ପଠାଇ ଦେଉଛନ୍ତି । ନିକଟରେ କେତେକ ଶିଶୁଶ୍ରମିକ ରେଳ ଯୋଗେ ରାଜ୍ୟ ବାହାରକୁ ଯାଉଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଉଛି । ଏହି ଶିଶୁଶ୍ରମିକମାନେ ବିଭିନ୍ନ ଦଲାଲଙ୍କ ସହାୟତାରେ ଅନ୍ୟ ରାଜ୍ୟରେ କାମରେ ନିୟୋଜିତ ହେଉଥିବାରୁ ସେମାନଙ୍କୁ ସହଜାରେ ଚିହ୍ନଟ ଓ ଉଦ୍ଧାର କରାଯାଇ ପାରୁନାହିଁ ।

ସ୍ୱେଚ୍ଛାସେବୀମାନଙ୍କ ମତରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂକ୍ରାନ୍ତରେ ସବିଶେଷ ସୂଚନା ସଂଗ୍ରହ କରାଗଲେ ଶିଶୁଶ୍ରମିକ ସଂଖ୍ୟାରେ ଆହୁରି ହ୍ରାସ ପରିଲକ୍ଷିତ ହୁଅନ୍ତା । କାରଣ ଅଧାରୁ ପାଠଛାଡି ଅନେକ ଶିଶୁ ରୋଜଗାର ଆଶାରେ ବିଭିନ୍ନ ପ୍ରତିଷ୍ଠାନ ଓ ବ୍ୟବସାୟିକ ସଂସ୍ଥାରେ ମୂଲ ଲାଗୁଛନ୍ତି । ତେଣୁ ଶିଶୁ ଶ୍ରମ ବିରୁଦ୍ଧରେ ବ୍ୟାପକ ସଚେତନତା ସହିତ ଦଣ୍ଡବିଧାନକୁ କଡାକଡି କରାଯିବା ସପକ୍ଷରେ ସେମାନେ ମତ ଦେଉଛନ୍ତି । (ତଥ୍ୟ)