Home Assembly ୨୭ ଆଇଏଏସ୍‍ କେନ୍ଦ୍ରୀୟ ଡେପୁଟେସନରେ

୨୭ ଆଇଏଏସ୍‍ କେନ୍ଦ୍ରୀୟ ଡେପୁଟେସନରେ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‍) ପାହ୍ୟାରେ ରାଜ୍ୟରେ ୪୬ଟି ପଦବୀ ଖାଲି ପଡିଥିବାବେଳେ ଓଡିଶା କ୍ୟାଡରର ୨୭ଜଣ ଆଇଏଏସ୍‍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ୧୭୫ ଜଣ ଆଇଏଏସ୍‍ ଅଫିସର ରାଜ୍ୟରେ କାର୍ଯ୍ୟରତ ଅଛନ୍ତି ।

ସର୍ବଭାରତୀୟ ସେବାର ଅଫିସରଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ପାଇଁ ୨୪୮ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ଥିବାବେଳେ ବର୍ତ୍ତମାନ ୧୭୫ଜଣ ଆଇଏସ୍‍ ରାଜ୍ୟରେ କାର୍ଯ୍ୟ କରୁଛନ୍ତି ।

ସେହିଭଳି ଓଡିଶା ପାଇଁ ୧୯୫ଟି ଆଇପିଏସ୍‍ ପଦବୀ ରହିଥିବାବେଳେ ଏଥିରେ ୧୦୦ ଜଣ କାର୍ଯ୍ୟରତ ଅଛନ୍ତି । ୬୭ଟି ଆଇପିଏସ୍‍ ପଦବୀ ଖାଲି ପଡିଥିବାବେଳେ ୨୮ଜଣ ଆଇପିଏସ୍‍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‍ଏସ୍‍) ଅଫିସରଙ୍କ ସ୍ତରରେ ମଧ୍ୟ ସମାନ ସ୍ଥିତି । ଓଡିଶା ପାଇଁ ଏହି ପାହ୍ୟାରେ ୧୪୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିର ଅଧା ଅର୍ଥାତ୍‍ ୭୦ଟି ପଦବୀ ଖାଲି ପଡିଛି । ୮ଜଣ ଆଇଏଫ୍‍ଏସ୍‍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବାବେଳେ ରାଜ୍ୟରେ ମାତ୍ର ୬୩ଜଣ କାର୍ଯ୍ୟରତ ଅଛନ୍ତି ।

ତେବେ ଓଡିଶାରୁ ଏହି ତିନି ପାହ୍ୟାର ଜଣେ ହେଲେ ଅଫିସର ଆନ୍ତଃରାଜ୍ୟ ଡେପୁଟେସନରେ ଯାଇନଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)