ଭୁବନେଶ୍ୱର : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖରେ ଓଡିଶା ଗସ୍ତରେ ଆସିବେ । ସେହିଦିନ ଅପରାହ୍ନରେ ଶ୍ରୀ ଶାହା ସୋନପୁରରେ ପହଞ୍ଚିବା ସହିତ ସେଠାରେ ବିଶାଳ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀ ଶାହା ସୋନପୁରରେ ନିର୍ବାଚନ ପ୍ରଚାର ସାରିବାପରେ ଭୁବନେଶ୍ୱର ଆସି ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ ।
ସାଧାରଣ ନିର୍ବାଚନ ଘୋଷଣା ହେବାପରେ ବିଜେପିର କୌଣସି ଶୀର୍ଷସ୍ତରୀୟ ନେତା ପ୍ରଥମଥର ପାଇଁ ଓଡିଶା ଗସ୍ତରେ ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି । ଦଳର ବରିଷ୍ଠ ନେତାମାନେ ଓଡିଶାରେ ଧୂଆଁଧାର ପ୍ରଚାର କରିବା ନେଇ କେନ୍ଦ୍ରାପଡାର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପୂର୍ବରୁ ସୂଚନା ଦେଇଥିଲେ ।
ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଓଡିଶାରେ ବିଜେପି-ବିଜେଡି ମଧ୍ୟରେ ଜୋରଦାର ଲଢେଇ ହେବ ଏବଂ ବିଜେପି କ୍ଷମତା ଦଖଲପାଇଁ ନିର୍ବାଚନ ଲଢୁଛି ବୋଲି ଶ୍ରୀ ଶାହା ସ୍ପଷ୍ଟ କରିଛନ୍ତି । ଏହାର ଠିକ୍ ପରେ ପରେ ଶ୍ରୀ ଶାହା ଓଡିଶା ଆସୁଥିବାରୁ ଏବେ ତାଙ୍କ ଗସ୍ତ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।