ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ଏଥି ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏନଫୋର୍ସମେଣ୍ଟ ବ୍ୟାପକ କରାଯାଇଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜ୍ୟବ୍ୟାପୀ ପରିବହନ ବିଭାଗ ଓ ପୋଲିସ ପ୍ରଶାସନର ସହଭାଗିତାରେ ମୋଟରଯାନର ନିୟମ ଉଲ୍ଲଙ୍ଘନ ବିରୋଧରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଉଛି ।
ସେହିଭଳି ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରଯାଇଛି । ବାରମ୍ବାର ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରି ସଡ଼କରେ ବିପଦ ସୃଷ୍ଟି କରୁଥିବା ଯାନର ତାଲିକା ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୪୧ଟି ଯାନର ପଞ୍ଜିକରଣ ପ୍ରମାଣପତ୍ର ନିଲମ୍ବନ କରାଯାଇଛି। ଆଗକୁ ମଧ୍ୟ ବେପରୁଆ ଗାଡ଼ି ଚାଳକଙ୍କ ବିରେଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଗାଡ଼ି ଗୁଡ଼ିକ ନିଲମ୍ବନ ଅବଧିରେ ସଡ଼କକୁ ଆସିପାରିବେ ନାହିଁ । ଏହାସହ ଆଇନ୍ ଅନୁଯାୟୀ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଲାଗି ବିଭାଗ ନିଷ୍ପତ୍ତି ନେଇଛି ।
ସମ୍ବଲପୁର ଆରଟିଓଙ୍କ ଦ୍ୱାରା ୫୭ଟି ଗାଡ଼ି, ସୁନ୍ଦରଗଡ଼ ଆରଟିଓଙ୍କ ଦ୍ୱାରା ୫୨ଟି, ଭୁବନେଶ୍ୱର ଆରଟିଓ-୧ଙ୍କ ଦ୍ୱାରା ୨୭, ଜଗତସିଂହପୁର ଆରଟିଓଙ୍କ ଦ୍ୱାରା ୨୨, କଟକ ୨୨, ବରଗଡ଼ ୯, ବାଲେଶ୍ୱର ୯, ଭୁବନେଶ୍ୱର-୨ ଆରଟିଓଙ୍କ ଦ୍ୱାରା ୬, ଝାରସୁଗୁଡା ୬, ଚଣ୍ଡିଖୋଲ ୫, କେନ୍ଦ୍ରାପଡ଼ା ୫, ଭଦ୍ରକ ୪, ରାଉରକେଲା ୪, ଯାଜପୁର ୨, କେନ୍ଦୁଝର ୨, ରାଇରଙ୍ଗପୁର ଏଆରଟିଓଙ୍କ ଦ୍ୱାରା ୨, ଏଆରଟିଓ ବଡ଼ବିଲଙ୍କ ଦ୍ୱାରା ୨, ଢେଙ୍କାନାଳ, କୋରାପୁଟ, ନୟାଗଡ଼, ସୋନପୁର, ତାଳଚେର ଆରଟିଓଙ୍କ ଦ୍ୱାରା ଗୋଟିଏ ଲେଖାଏଁ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଇଥିବା ଗାଡ଼ି ମଧ୍ୟରେ ଅନେକ ଗାଡ଼ି ୫୦ରୁ ଅଧିକ ଥର ମୋଟର ଯାନ ଆଇନ ଉଲ୍ଲଙ୍ଘନ କରିଥିବା ବେଳେ, ଏପରି କିଛି ଗାଡ଼ି ମଧ୍ୟ ରହିଛି, ଯେଉଁ ଗାଡ଼ି ଗୁଡ଼ିକ ୧୦୦ ରୁ ଅଧିକ ଥର ମୋଟର ଯାନ ଆଇନ ଉଲ୍ଲଙ୍ଘନ କରିଛନ୍ତି ।
ଦୀର୍ଘ ବର୍ଷ ଧରି ଏହି ଗାଡ଼ି ଗୁଡ଼ିକ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଜୀବନକୁ ବିପଦରେ ପକାଉଛନ୍ତି । ତେଣୁ ସଡ଼କ ସୁରକ୍ଷାର ଗୁରୁତ୍ୱକୁ ଦୃଷ୍ଟି ରଖି, ଏଭଳି ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ମୋଟର ଯାନ ଆଇ ଅନୁଯାୟୀ କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ବିଭାଗ ନିଷ୍ପତ୍ତି ନେଇଛି।
ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସଚେତନତା ସହ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ଏହି ଆଧାରରେ ଏବେ ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି। ଯାହା ୩୦ ନଭେମ୍ବର ଯାଏ ଚାଲିବ ।

