Home Finance ୨୦୨୫-୨୬ରେ ୨.୬୫ ଲକ୍ଷ କୋଟିର ବଜେଟ୍‍

୨୦୨୫-୨୬ରେ ୨.୬୫ ଲକ୍ଷ କୋଟିର ବଜେଟ୍‍

ଭୁବନେଶ୍ୱର : ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ୍‍ ଆକାର ୨.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ମଧ୍ୟମ ଅବଧି ଆର୍ଥିକ ଢାଞ୍ଚା (ଏମଟିଏଫ୍‍ଏଫ୍‍)ରେ ଏହି ଆକଳନ କରାଯାଇଛି ।

ରାଜ୍ୟ ଅର୍ଥ ବିଭାଗ ଆର୍ନ୍ତଜାତୀୟ ମୁଦ୍ରାପାଣ୍ଠିର ଆଞ୍ଚଳିକ ବୈଷୟିକ ସହାୟକ କେନ୍ଦ୍ର ସହ ଆଲୋଚନା କରି ଏହି ମଧ୍ୟମ ମିଆଦୀ ଅର୍ଥନୈତିକ ଢାଞ୍ଚା ପ୍ରସ୍ତୁତ କରିଛନ୍ତି । ଏଭଳି ଢାଞ୍ଚା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବିଶେଷ ସହାୟକ ହେବା ସଂଗେ ସଂଗେ ବଜେଟ୍‍ ପ୍ରସ୍ତୁତି ପ୍ରକ୍ରିୟାର ସ୍ୱଚ୍ଛତା ପ୍ରତିପାଦିତ କରିବ । ମଧ୍ୟମ ମିଆଦୀ ଯୋଜନାରେ ଯେଉଁ ପୂର୍ବ ଆକଳନ କରାଯାଇଛି ତାହା ଆର୍ନ୍ତଜାତୀୟ, ଜାତୀୟ ଓ ସ୍ଥାନୀୟ ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଛି ।

ଓଡିଶା ବିଧାନସଭାରେ ଦାଖଲ ହୋଇଥିବା ଆର୍ଥିକ ରଣନୀତି ରିପୋର୍ଟରେ ଦର୍ଶାଯାଇଛି ଯେ ଏଭଳି ମଧ୍ୟମ ମିଆଦୀ ଅର୍ଥନୈତିକ ଢାଞ୍ଚା ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫିତି, ଖଣି ଶିଳ୍ପରେ ଅସ୍ଥିରତା ଭଳି ପରିବର୍ତ୍ତନଶୀଳତାକୁ ବିଚାରକୁ ନେଇ ପ୍ରସ୍ତୁତ କରାଯାଉଛି । ଏଭଳି ଢାଞ୍ଚା ବିକାଶର ଉଦ୍ଦେଶ୍ୟ ହେଉଛି ଏହାକୁ ପରବର୍ତ୍ତୀ ତିନି ବର୍ଷ ମଧ୍ୟରେ ବାର୍ଷିକ ବଜେଟ୍‍ ଏବଂ ଆର୍ଥିକ ଯୋଜନା ପ୍ରସ୍ତୁତି ପାଇଁ ପ୍ରଥ ପ୍ରସ୍ତୁତ କରିବା ।

୨୦୨୨-୨୩ ବର୍ଷ ପାଇଁ ବାର୍ଷିକ ବଜେଟ୍‍ର ପରିମାଣ ୨ଲକ୍ଷ କୋଟି ଟଙ୍କା ରହିଛି ଯାହାକି ପୂର୍ବବର୍ଷ ତୁଳନାରେ ୧୭.୬ ପ୍ରତିଶତ ଅଧିକ । ତେବେ ଏମଟିଏଫ୍‍ଏଫ୍‍ ଆକଳନ ଅନୁଯାୟୀ ୨୦୨୩-୨୪, ୨୦୨୪-୨୫ ଏବଂ ୨୦୨୫-୨୬ରେ ରାଜ୍ୟର ବଜେଟ୍‍ ଯଥାକ୍ରମେ ୨.୨୫ଲକ୍ଷ କୋଟି, ୨.୪୫ଲକ୍ଷ କୋଟି ଓ ୨.୬୫ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହି ଆକଳନ ଅନୁଯାୟୀ କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୨୦୨୨-୨୩ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ ବର୍ଷରେ ଏହା ୧.୪୫ କୋଟିକୁ ବୃଦ୍ଧି ପାଇବ । ତେବେ ଏହି ବୃଦ୍ଧି ଏଫଆରବିଏମ୍‍ ଆଇନ୍‍ ଦ୍ୱାରା ପ୍ରସ୍ତାବିତ ଅର୍ଥନୈତିକ ସୀମା ସରହଦ ମଧ୍ୟରେ ରହିବ ।

ଗତ ଆଠବର୍ଷ ମଧ୍ୟରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାରାହାରି ୮.୧ ପ୍ରତିଶତ ରହିଛି । ଏହା ଜାତୀୟ ଅଭିବୃଦ୍ଧି ତୁଳନାରେ ଅଧିକ ରହିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଜାତୀୟ ଡିଜିପିର ଶତକଡା ୨.୫ ପ୍ରତିଶତ ଓଡିଶା ଅଂଶୀଦାର । ୨୦୨୨-୨୩ ରୁ ୨୦୨୪-୨୫ ଆର୍ଥିକ ବର୍ଷର ମଧ୍ୟମ ଅବଧିରେ ଯଦି ସ୍ଥିତି ଅତି ଖରାପ ହୁଏ ତେବେ ରାଜ୍ୟର ଅଭିବୃଦ୍ଧି ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

ଗତ କିଛିବର୍ଷ ମଧ୍ୟରେ ଓଡିଶା ଅର୍ଥନୀତିରେ ଆଖିଦୃଶିଆ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅଧିକାଂଶ ସମୟରେ ଏହା କ୍ଷତିଗ୍ରସ୍ତ ହେଉଛି । ଅର୍ଥନୀତି ବିପର୍ଯ୍ୟସ୍ତ ହେବାର ଅନ୍ୟଏକ କାରଣ ରାଜ୍ୟର ଭୌଗଳିକ ସ୍ଥିତିକୁ ଦାୟୀ କରାଯାଉଛି । ଏହି ରିପୋର୍ଟ ଅନୁଯାୟୀ ରାଜ୍ୟର ଜିଏସ୍‍ଡିପିରେ ଖଣିଜ କ୍ଷେତ୍ରର ଅବଦାନ ୧୩ ପ୍ରତିଶତ ରହିଛି । ଏହା ହିଁ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିର ପ୍ରମୁଖ ସ୍ରୋତ ପାଲଟିଛି । ତେବେ ଆର୍ନ୍ତଜାତୀୟ ସ୍ତରରେ ଖଣିଜ ସାମଗ୍ରୀର ଦର ଓ ଚାହିଦା ଉପରେ ଏହା ନିର୍ଭର କରିଥାଏ । ତେବେ ଉଚ୍ଚ ମୁଦ୍ରାସ୍ଫିତି ବିଶେଷକରି ଶକ୍ତି ଏବଂ ଖାଦ୍ୟ ପଦାର୍ଥର ଅଧିକ ଦର ଯୋଗୁଁ ଘଟୁଛି । ଏହିଭଳି ମୁଦ୍ରାସ୍ଫିତି ଧାରା ଯଦି ଜାରି ରହିବ ତେବେ ଏହା ଘରୋଇ ଉତ୍ପାଦର ଅଭିବୃଦ୍ଧିକୁ ପ୍ରଭାବିତ କରିବାର ଆଶଙ୍କା ଉପୁଜିଛି । (ତଥ୍ୟ)