ଭୁବନେଶ୍ୱର : ଆଜିର କାର୍ଯ୍ୟକାରିଣୀ କମିଟି ବୈଠକ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ଯେ, ଆଜିର କାର୍ଯ୍ୟକାରିଣୀରେ ଓଡ଼ିଶାରେ ୨୦୨୪ରେ ହେବାକୁ ଯାଉଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ତାର ବିଜୟ ପାଇଁ ଦୁଇ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛି ।
ତୃଣମୂଳ ସ୍ତରରେ ବୁଥ୍କୁ ସଶକ୍ତ ଓ ସକ୍ରିୟ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ତତ୍ସହିତ ଓଡ଼ିଶାରେ ବିଜୁ ଜନତା ଦଳର ଅପାରଗ, ଭ୍ରଷ୍ଟାଚାର ଓ ଗରୀବ ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ତୃଣମୂଳ ସ୍ତରରେ ରାଜନୈତିକ ଲଢ଼ାଇ କରାଯିବ । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଓଡ଼ିଶା ପାଇଁ ଦେଉଥିବା ସମସ୍ତ କେନ୍ଦ୍ରୀୟ ଯୋଜନାର ଲାଭ କିଭଳି ଓଡ଼ିଶା ଲୋକ ପାଇବେ ଓ ବିଜେପି ଏହାକୁ ନେଇ ଜନସାଧାରଣଙ୍କୁ ଅବଗତ କରିବ ।
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା, ଚାଷୀ ଓ ଚାଷ ସମସ୍ୟା, ଶକ୍ଷା ସମସ୍ୟା, ଦୁର୍ନୀତି ଓ ଭ୍ରଷ୍ଟାଚାର, ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ଅନିୟମତତା, ମହିଳାଙ୍କ ଆର୍ôଥକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ, ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳ, ଆଦିବାସୀ-ଦଳୀତଙ୍କୁ ଅଣଦେଖା, ଓବିସି ବର୍ଗଙ୍କୁ ଅବହେଳା, ସମବାୟ ସଂସ୍ଥାର ଅଚଳାବସ୍ଥା ପ୍ରଭୃତିକୁ ନେଇ ପ୍ରସ୍ତୁତି ହେଇଥିବା ରାଜନୈତିକ ଚିଠା ପ୍ରସ୍ତାବକୁ ଆଗତ କରିଥିଲେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେହିପରି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପ୍ରଦାନ, ଓଡ଼ିଶାକୁ ୨୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ, ଏସଏଚଜି ସୁଧଛାଡ, ଜାତୀୟ ରାଜପଥ ଓ ରେଳସେବା କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, ଜି-୨୦ସମ୍ମିଳନୀ ପାଇଁ ଓଡ଼ିଶାକୁ ଗୁରୁତ୍ୱ, ୫ଜି ନେଟୱାର୍କ ସେବା ପ୍ରଚଳନ, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ପ୍ରଭୃତିରେ ଓଡ଼ିଶାକୁ ବିପୁଳ ଅର୍ଥ ପ୍ରଦାନ କରିଥିବା ସମ୍ପର୍କରେ ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ତଥ୍ୟ ରଖିଥିଲେ । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକାରିଣୀ ପ୍ରସ୍ତାବ ଆଗତ କରାଯାଇଥିଲା ।
ଓଡିଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ରାଜ୍ୟ ସରକାର ଧୋକ୍କା ଦେଇଛନ୍ତି । ଓଡ଼ିଶାରେ ଏବେ ଆଇନ ଶୃଙ୍ଖଳା ବିଧ୍ୱସ୍ତ ଓ ରାଜ୍ୟବାସୀ ସମ୍ପୂର୍ଣ୍ଣଭାବେ ଅସୁରକ୍ଷିତ । ପ୍ରତିଦିନ ୯ଦୁଷ୍କର୍ମ, ୮ହତ୍ୟା ଓ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ୨୩ବର୍ଷ ଶାସନରେ ରାଜ୍ୟ ସରକାରଙ୍କ ଗର୍ବ ଓ ଅହଂକାର ବୃଦ୍ଧି ପାଇଛି । ବିଜୁ ଜନତା ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଅପରାଧ ଘଟାଇବାରେ ସିଦ୍ଧହସ୍ତ ହାସଲ କରିଛନ୍ତି । ସାରା ଓଡ଼ିଶାରେ ଧାନ ମଣ୍ଡିର ଅବ୍ୟବସ୍ଥା, କଟନି ଛଟନୀ ଚାଷୀଙ୍କୁ ହତାଶ୍ କରିଛି । ରାଜ୍ୟରେ ଯୁବକଙ୍କୁ ନିଯୁକ୍ତି ନାହିଁ । ୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭ ପ୍ରହସନରେ ପରିଣତ ହୋଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତ ବର୍ଷ ତମାମ୍ ଭାରତ ବର୍ଷରେ ଆୟୋଜନ ହେବାକୁ ଯାଉଛି ଏ-୨୦ ସମ୍ମିଳନୀ । ସମ୍ମିଳନୀରେ ତିନୋଟି ପ୍ରସଙ୍ଗ ଶିକ୍ଷା, ସଂସ୍କୃତି ଓ ଶକ୍ତି ବିଷୟକୁ ପର୍ଯ୍ୟାୟକ୍ରମେ ଆଲୋଚନାକୁ ନିଆଯିବାର ପ୍ରସ୍ତାବ ଓଡିଶାର ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ରଖାଯାଇଛି । ଏହାକୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାର୍ଯ୍ୟକାରିଣୀରେ ବିସ୍ତୃତ ଯୋଜନା ରଖିଥିଲେ ।
ଆଜିର ରାଜ୍ୟ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ କୋର କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।