Home Administration ୨୦୨୦ର ଅନୁକମ୍ପା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କର

୨୦୨୦ର ଅନୁକମ୍ପା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କର

ଭୁବନେଶ୍ୱର : ବିଜେଡି ସରକାର ସମୟରେ ପ୍ରଣୟନ କରାଯାଇଥିବା ୨୦୨୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍କୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାପାଇଁ ଏବେ ବିଭିନ୍ନ କର୍ମଚାରୀସଂଘ ଓ ପେନ୍‍ସନଭୋଗୀମାନଙ୍କ ପକ୍ଷରୁ ଦାବି ହେଉଛି ।

୧୯୯୦ ମସିହାରେ ରାଜ୍ୟ ସରକାର ସରକାରୀ ଚାକିରି କ୍ଷେତ୍ରରେ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ପ୍ରଣୟନ କରିଥିଲେ । ଚାକିରିରେ ଥାଇ କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଆର୍ଥିକ ଦୁଃସ୍ଥିତିକୁ ବିଚାରକୁ ନେଇ ତୁରନ୍ତ ଜଣେ ଉତ୍ତରାଧିକାରୀଙ୍କୁ ତୃତୀୟ କିମ୍ବା ଚତୁର୍ଥଶ୍ରେଣୀର ଚାକିରିରେ ଯୋଗ୍ୟତା ଆଧାରରେ ଏହି ଆଇନ୍‍ ବଳରେ ନିଯୁକ୍ତି ଦିଆଯାଉଥିଲା । ସ୍ଥଳ ବିଶେଷରେ ଶିକ୍ଷାଗତ ଯୋଗ୍ୟତା ଓ ବୟସକୁ ମଧ୍ୟ କୋହଳ କରାଯାଉଥିଲା ।

ପରବର୍ତ୍ତୀ ସମୟରେ ବିଜେଡି ସରକାର ୨୦୧୬ ମସିହାରେ ଏହି ଆଇନ୍‍ର ସଂଶୋଧନ କରିଥିଲେ । ୨୦୨୦ରେ କିନ୍ତୁ ଯେଉଁ ନୂଆ ଆଇନ୍‍ ହେଲା ସେଥିରେ ଯେତେସବୁ ବ୍ୟବସ୍ଥା ଖଞ୍ଜାଗଲା ତଦ୍ୱାରା ଅଧିକାଂଶ କ୍ଷେତ୍ରରେ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଅଯୋଗ୍ୟ ଘୋଷଣା କରାଗଲା ।

ପୁରୁଣା ଆଇନ୍‍ ବଳବତ୍ତର ଥିବାବେଳେ ବିଭିନ୍ନ ଆଳ ଦେଖାଇ ଅନୁକମ୍ପାମୂଳକ ନିଯୁକ୍ତିକୁ ବର୍ଷ ବର୍ଷ ଧରି ଗଡାଯାଉଥିଲା । ଏମିତିକି ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗର ଏକ କମିଟିର ଅନୁମୋଦନ ନେବାପାଇଁ ମଧ୍ୟ ନିର୍ଦ୍ଦେଶନାମା ମାଧ୍ୟମରେ ବାଧ୍ୟ କରାଯାଉଥିଲା । କର୍ମଚାରୀଙ୍କ ମୃତ୍ୟୁପରେ ବିଧବା ପତ୍ନୀ ସରକାରୀ ଚାକିରି ପାଇଁ ଶାରିରୀକ ଦୃଷ୍ଟିରୁ ଅକ୍ଷମ ବୋଲି ମେଡିକାଲ ବୋର୍ଡ ରିପୋର୍ଟ ଦେବା ସତ୍ୱେ ବି ପୁଅ ଝିଅମାନଙ୍କୁ ଚାକିରି ଦେବା କ୍ଷେତ୍ରରେ ଟାଳଟୂଳ ନୀତି ଅବଲମ୍ବନ କରାଯାଉଥିଲା । ଏହା ବିରୁଦ୍ଧରେ ସ୍ୟାଟ୍‍ରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାଳ ମାଳ ମାମଲା ହେଉଥିଲା ଏବଂ ଉଭୟ ସରକାର ଓ ବ୍ୟକ୍ତିବିଶେଷ ବ୍ୟାପକ ଅର୍ଥଶ୍ରାଦ୍ଧ କରିବାପରେ ନିଯୁକ୍ତି ମିଳୁଥିଲା ।

୨୦୨୦ର ନୂଆ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ର ନବମ ଧାରାରେ ଏକ ବିଚିତ୍ର ବ୍ୟବସ୍ଥା ରଖାଗଲା । ଏହି ଆଇନ୍‍ ଆସିବା ପୂର୍ବରୁ ଯେତେ ସଂଖ୍ୟକ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଓ ସେମାନଙ୍କ ଉତ୍ତରାଧିକାରୀମାନେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଯେତେ ଆବେଦନ କରିଛନ୍ତି ସେଗୁଡିକ ପୁରୁଣା ଆଇନ୍‍ ଆଧାରରେ ବିଚାର କରିବାକୁ ବ୍ୟବସ୍ଥା ରହିଲା । ତେବେ ପରବର୍ତ୍ତୀ ସମୟରେଆଇନ୍‍ ଅଦାଲତ ଏହି ନବମ ଧାରାକୁ ବେଆଇନ୍‍ ଘୋଷଣା କରିଥିଲେ । ଏମିତିକି ସୁପ୍ରିମକୋର୍ଟ ମଧ୍ୟ ମଳୟାନନ୍ଦ ସେଠୀ ମାମଲାରେ ଏଭଳି ନିଯୁକ୍ତିରେ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହିତ ପୁରୁଣା ଆଇନ୍‍ ଆଧାରରେ ମଳୟାନନ୍ଦଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ବିଚାର କରିବାକୁ ନିର୍ଦ୍ଦେଶ ଦେବାରୁ ସରକାର ବାଧ୍ୟହୋଇ ତାଙ୍କୁ ଅବକାରୀ ବିଭାଗ ଅଧିନରେ ନିଯୁକ୍ତି ଦେଇଥିଲେ ।

ଅନ୍ୟ ପକ୍ଷରେ ଏହି ରାୟର ନଜିର ଦର୍ଶାଇ ହାଇକୋର୍ଟ ବିଭିନ୍ନ ମାମଲାରେ ରାଜ୍ୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶ ବିରୁଦ୍ଧରେ ସରକାର ହାଇକୋର୍ଟର ୨ଜଣିଆ ଖଣ୍ଡପୀଠ ଏପରିକି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ସରକାର ଶହ ଶହ ମାମଲା ରୁଜୁ କରି ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ଚାଲିଛନ୍ତି । ଅନ୍ୟ ପକ୍ଷରେ ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଅସମୟ ମୃତ୍ୟୁ ପରେ ଆର୍ଥିକ ଦୁଃସ୍ଥିତିରେ ଥିବା ବହୁ ଉତ୍ତରାଧିକାରୀ ଦିଲ୍ଲୀ ଯାଇ ମାମଲା ଲଢିବା ସମ୍ଭବପର ହୋଇନାହିଁ ।

ଇତି ମଧ୍ୟରେ ରାଜ୍ୟ ସରକାର ୨୦୨୦ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ରେ ସଂଶୋଧନ ଆଣି ଏହି ଆଇନ୍‍ ଆସିବା ପୂର୍ବରୁ ଯେଉଁ କର୍ମଚାରୀମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ ଦୁଃସ୍ଥିତି ଆଧାରରେ ୧୯୯୦ ଓ ୨୦୧୬ ଆଇନ୍‍ ଆଧାରରେ ନିଯୁକ୍ତି ଦେବାକୁ ଚଳିତ ଏପ୍ରିଲ ୪ତାରିଖରେ ବିଜ୍ଞପ୍ତି ଜାରିକରିଛନ୍ତି । ଏହାକୁ ସ୍ୱାଗତ କରିବା ସହିତ ଅନେକ ସଂଗଠନ କିନ୍ତୁ ୨୦୨୦ର ଆଇନ୍‍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାପାଇଁ ସରକାରଙ୍କୁ ଅନୁରୋଧ କରୁଛନ୍ତି । (ତଥ୍ୟ)