Home News in Odia ୨୦ରେ ଯୁବ କଂଗ୍ରେସର ଜନଅସନ୍ତୋଷ ସମାବେଶ

୨୦ରେ ଯୁବ କଂଗ୍ରେସର ଜନଅସନ୍ତୋଷ ସମାବେଶ

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ମୋହନ ସରକାର କ୍ଷମତାକୁ ଆସିଲେ ତାହାକୁ ପୁରଣ କରିବାରେ ବ୍ୟର୍ଥ ହୋଇପଡ଼ିଛନ୍ତି । ୭ ମାସର ମୋହନ ସରକାର ଏକ ଜନବିରୋଧି ସରକାର ଭାବେ ପ୍ରମାଣିତ ହୋଇଛି । ଗତ ୭ ମାସରେ ମୋହନ ସରକାରରେ ଉପୁଜିଥିବା ମୁଖ୍ୟ ୮ଟି ପ୍ରସଙ୍ଗକୁ ନେଇ ଆସନ୍ତା ଜାନୁୟାରୀ ୨୦ ତାରିଖରେ ମାଷ୍ଟରକ୍ୟାଂଟିନ ଛକରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ର ସୂଚନା ଦେଇଛନ୍ତି ।

ଏହି ସମାବେଶର ମୁଖ୍ୟ ୮ଟି ଦାବୀ ହେଲା: (୧) ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାର ସୁଧାର, (୨) ଦଳିତ, ଆଦିବାସୀ, ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କ ଉପରେ ଅତ୍ୟାଚାର ବନ୍ଦ, (୩) ଖଣି ଖାଦନ ଲୁଟ୍ ବନ୍ଦ, (୪) ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ ମାଗଣା ବିଜୁଳି ଯୋଗାଣ, (୫) ମହଙ୍ଗା ମାଡରୁ ନିସ୍ତାର, (୬) ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ, (୭) ଉତ୍କଟ ବେକାରୀ ସମସ୍ୟା ନିୟନ୍ତ୍ରଣ, (୮) ଦୁର୍ନୀତ ଓ କଳା ତାଲିକା ଭୁକ୍ତ କମ୍ପାନୀକୁ ପ୍ରତ୍ସାହନ ବନ୍ଦ । ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଉଦୟଭାନୁ ଚିବ୍ ଏହି ଆନ୍ଦୋଳନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ସାମ୍ବାଦିକ ସମ୍ମଳନୀରେ ଅଖିଳ ଭାରତ ଯୁବ କଂଗ୍ରେସର ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଅଜିତ୍ ସିଂ ଯୋଗଦେଇ କହିଲେ ଯେ, ମୋହନ ସରକାର ଏକ ଜନବିରୋଧି ସରକାର । ମୁଖ୍ୟମନ୍ତ୍ରୀ ଗୃହବିଭାଗ ଚଳାଇବାରେ ବିଫଳ । ବିଜେପିର ନିର୍ବାଚନ ପ୍ରତିଶ୍ରୁତି ପାଳନ ହେଉନାହିଁ । ସୁତରାଂ ଓଡ଼ିଶାବାସୀଙ୍କୁ ମିଛ କଥା କହି ବିଜେପି ଓଡ଼ିଶାରେ କ୍ଷମତାସୀନ ହୋଇଛି ।

ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ତଥା ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ କହିଲେ ଯେ ମାତ୍ର ୭ ମାସର ମୋହନ ଶାସନ ଉପରୁ ଲୋକଙ୍କର ଭରସା ତୁଟି ଗଲାଣି । ଓଡ଼ିଶାରେ ଆଇନ ଶୃଙ୍ଖଳ ବୋଲି କିଛି ନାହିଁ । ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଙ୍କ ପୁଅ ଜଣେ ଓଡ଼ିଆ ଅଫିସଙ୍କୁ ଅନ୍ୟାୟ ଭାବେ ମରଣାନ୍ତ୍ରକ ଆକ୍ରମଣି କରି ଦଣ୍ଡିତ ହେଲା ନାହିଁ । ଭରତପୁର ଥାନାରେ ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା, ଭୁବନେଶ୍ୱରରେ ଡ୍ରଗ୍‌ସ୍ ମାଫିଆଙ୍କୁ ବିରୋଧ କରୁଥିବା ସହଦେବ ନାୟକଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା, ଗଞ୍ଜାମ ମଦମୃତ୍ୟୁ ଘଟଣା, ନବରଙ୍ଗପୁର, ସୁନ୍ଦରଗଡ଼, ରାଉରକେଲା ଏବଂ ଅନ୍ୟାନ୍ୟ ସ୍ଥାନରେ ମହିଳାଙ୍କୁ ଗଣବଳତ୍କାର ଓ ହତ୍ୟା ଘଟଣା, ଯାଜପୁରରେ ଡବଲ ମର୍ଡର ଘଟଣା ବିପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରମାଣିତ କରୁଛି ।

ସେହିପରି ବାଲେଶ୍ୱରରେ ଆଦିବାସୀ ଖ୍ରୀଷ୍ଟିଆନ ମହିଳା ମାନଙ୍କୁ ଗୈରିକ ସଂଗଠନ ଦ୍ୱାରା ଅତ୍ୟାଚାର, ଗଜପତି, ରାୟଗଡ଼ା ଜିଲ୍ଲା, ବାଲେଶ୍ୱର ଜିଲ୍ଲାର ରେମୁଣା ଓ ଔପଦା, ସୋର ଓ ଯାଜପୁର ଜିଲ୍ଲାର ସଂଖ୍ୟା ଲଘୁଙ୍କ ଉପରେ ଗୈରିକ ସଂଗଠନର ଅତ୍ୟାଚାର ଚାଲିଥିବାବେଳେ ସରକାର ଚୁପ୍ ବସିଛନ୍ତି । ଭୁବନେଶ୍ୱରର ନନ୍ଦନକାନନ ଥାନା ଅଂଚଳରେ ଓ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳିରେ ମଧ୍ୟ ଖ୍ରୀଷ୍ଟିଆନ ମାନଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ଏକ ମୁସଲମାନ ଯୁବଙ୍କୁ ହତ୍ୟା ଓ ମୁସଲମାନ ବ୍ୟବସାୟଙ୍କୁ ହଇରାଣ ହରକତ କରାଯାଉଛି । ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଏକ ମଜଭୁତ ଆଇନ ପ୍ରଣୟନ କରନ୍ତୁ । ଏବେ ମହଙ୍ଗାମାଡ଼ରେ ସାଧାରଣ ଲୋକଙ୍କ ଅଂଟା ଭାଙ୍ଗିଯାଇଛି । ଆଳୁ ଓ ପିଆଜ ଟ୍ରକ ଆସୁଛି ବୋଲି ଯୋଗାଣ ମନ୍ତ୍ରୀ ମିଛ କଥା ଭେଳିକି କରୁଛନ୍ତି । ମୋହନ ସରକାର ଓଡ଼ିଶାରେ ଦୁର୍ନୀତିକୁ ନୀତିରେ ପରିଣତ କରିଛନ୍ତି । କଳାତାଲିକାଭୁକ୍ତ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ନିର୍ମାଣ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯାଉଛି ।

ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଦାୟିତ୍ୱ ନେଇଥିବା କଳାତାଲିକାଭୁକ୍ତ ଗୁଜୁରଟୀ କମ୍ପାନୀ ରଣିଜିତ ବିଲ୍ଡକନ ଏହାର ଜ୍ୱଳନ୍ତ ଉଦାହାରଣ । କ୍ଷମତାକୁ ଆସିଲେ ମାଗଣା ୩୦୦ ୟୁନିଟ୍ ବିଜୁଳି ଦେବେ ବୋଲି କହିଲେ, ହେଲେ ତାହା ନ କରି ଏବେ ସ୍ମାର୍ଟ ମିଟର ଲଗାଇ ବିଜୁଳି ଖାଉଟିଙ୍କର ରକ୍ତ ଶୋଷୁଛନ୍ତି । ବିଜେପି ସଭାପତି କହିଥିଲେ ଯେ, କ୍ଷମତାକୁ ଆସିଲେ ସଂଗେ ସଂଗେ ଅର୍ଡ଼ିନାନସ୍ ଆଣି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ । ମାତ୍ର ୭ ମାସରେ ବି ଏ କଥା ହେଲା ନାହିଁ ।

ଓଡ଼ିଶା ଯୁବକ କର୍ମସଂସ୍ଥାନ ନ ପାଇ ଦାଦନ ଖଟିବା ପାଇଁ ବାହାରକୁ ଯାଉଛନ୍ତି । ୧୧ ଲକ୍ଷ ଯୁବକଯୁବତୀ ନାମ ପଞ୍ଜିକରଣ କରି ବେକାର ବସିଛନ୍ତି । ସେହିପରି ପ୍ରତିଜିଲ୍ଲାରେ ଲାଟେରାଇଟ୍ ଓ ଅନ୍ୟାନ୍ୟ ପଥର ଖଣି ଲୁଟ୍ ହେଉଥିବାବେଳେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଫିସର ନୀରବ ଦ୍ରଷ୍ଟା ହୋଇଛନ୍ତି । ଏହାର ଅର୍ଥ ସରକାର ଓ ଖଣିମାଫିଅଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ଏହିପରି ଓଡ଼ିଶାରେ ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଖନନ କ୍ଷେତ୍ରରେ ଅଣ ଓଡ଼ିଆ କମ୍ପାନୀକୁ ପ୍ରାଧାନ୍ୟ ଦିଆଯାଉଛି । ତନ୍‌ମଧ୍ୟରୁ ଆର.କେ ଲଜିଷ୍ଟିକ୍ ଏବଂ ପ୍ରଭାକରନ୍‌ଙ୍କ ସଂସ୍ଥା ଅଗ୍ରଭାବରେ ରହିଛନ୍ତି । ଏ କ୍ଷେତ୍ରରେ ଓଡ଼ିଆ ଶିଳ୍ପପତିଙ୍କୁ ଉପେକ୍ଷା କରାଯାଉଛି । ଓଡ଼ିଆ ଯିବେ ଦାଦନ ଖଟି, ଅଣଓଡ଼ିଆ ଖାଇବେ ଖଣି ଲୁଟି । ଏହି ଯୁବ ସମାବେଶ ମାଧ୍ୟମରେ ମୋହନ ସରକାରର ଅପାରଗତା ଓ ଦୁର୍ନୀତି ବିରୁଦ୍ଧରେ ସ୍ୱରଉତଳନ କରିବା ପାଇଁ ଯୁବ କଂଗ୍ରେସ ଆହ୍ୱାନ ଦେଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ମନୋଜ ବିଶ୍ୱାଳ, ସୁଦୀପ ସାମଲ, ଅଜୟ ସାହୁ, ମହମ୍ମଦ ପରଭେଜ ଓ ସଙ୍କୁନା କଅଁର ପ୍ରମୁଖ ଉପସ୍ଥିତ ଥିଲେ ।