Home Excise ୨୦ବର୍ଷ ଚଢଉ ପରେ ବି ନିଶା ପ୍ରସାରଣ ବୃଦ୍ଧି

୨୦ବର୍ଷ ଚଢଉ ପରେ ବି ନିଶା ପ୍ରସାରଣ ବୃଦ୍ଧି

ଭୁବନେଶ୍ୱର : ଚୋରା ନିଶା କାରବାର ରୋକିବାପାଇଁ ପ୍ରାୟ ୨୦ବର୍ଷ ଧରି ଲଗାତାର ଭାବେ ରାଜ୍ୟ ସରକାର ଚଢାଉ ଅଭିଯାନ ବ୍ୟାପକ କରୁଥିବା ସତ୍ୱେ ନିଶା କାରବାର କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଗାଁ ଗହଳରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ଖୋଲାଖୋଲି ଭାବେ ଉଭୟ ଚୋରା ଓ ସରକାରୀ ଲାଇସେନ୍ସପ୍ରାପ୍ତ ନିଶା ଯେଭଳି ବ୍ୟାପୁଛି ତାହା ବ୍ୟକ୍ତି, ପରିବାର, ସମାଜ ଓ ରାଜ୍ୟର ବିପୁଳ କ୍ଷତି ଘଟାଉଛି ।

ଗଞ୍ଜେଇ ଚାଷ ଏବଂ ଏହାର ପରିବହନ, ବିପ୍ପଣନ, ସଂରକ୍ଷଣ ଓ ବ୍ୟହାର ଆଇନତଃ ଅପରାଧ ହୋଇଥିଲେ ମଧ୍ୟ ଚୋରା ଗଞ୍ଜେଇ ଚାଲାଣ କ୍ଷେତ୍ରରେ ଓଡିଶା ଦେଶରେ ବହୁ ଦୁର୍ନାମ ମୁଣ୍ଡାଉଛି । ମଝିରେ ମଝିରେ କୋଟି କୋଟି ଟଙ୍କା ଖର୍ଚ୍ଚକରି ସରକାରଙ୍କ ପକ୍ଷରୁ କିଛି ଗଞ୍ଜେଇ କ୍ଷେତ ନଷ୍ଟ କରାଯାଉଛି । ତେବେ ଯେତେ ପରିମାଣରେ ଗଞ୍ଜେଇ ଓଡିଶାରେ ଉତ୍ପାଦିତ ହେଉଛି ତାହା ତୁଳନାରେ ନଷ୍ଟ କରାଯାଉଥିବା ଗଞ୍ଜେଇଗଛର ପରିମାଣ ଅତ୍ୟନ୍ତ ନଗଣ୍ୟ ବୋଲି ଅବସରପ୍ରାପ୍ତ ଅବକାରୀ ଓ ପୁଲିସ୍‍ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ସେହିଭଳି ଓଡିଶାରେ ବ୍ରାଉନସୁଗାର, ଚରସ, ହେରୋଇନ୍‍ ଆଦି ମାରାତ୍ମକ ନିଶା ସାମଗ୍ରୀ ଖୋଲାଖୋଲି ଭାବେ ବିକ୍ରି ହେଉଛି । ଚୋରା ବେପାରୀମାନେ ଏହି ବ୍ୟବସାୟ ଚଳାଇବାପାଇଁ ସତେ ଯେମିତି କାହାରିକୁ ବି ଡରୁ ନାହାନ୍ତି । ଅବଶ୍ୟ ମଝିରେ ମଝିରେ କିଛି କିଛି ବ୍ରାଉନସୁଗାର ଓ ଅନ୍ୟ ନିଶା ସାମଗ୍ରୀ ଜବତ ହେଉଛି ।

ସେହପରି ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକ ପାଇଁ ରାଜ୍ୟ ସରକାର ଏମଜିକ୍ୟୁ ମାଧ୍ୟମରେ ଯେଉଁ ସର୍ବନିମ୍ନ ମଦ ଉଠାଣ ବ୍ୟବସ୍ଥା ରଖିଛନ୍ତି ସେଥିରେ ଅନେକ ମଦ ଦୋକାନୀ ମାସକୁ ମାସ ଉଠାଉଥିବା ମଦ ସେମାନଙ୍କ ଲାଇସେନ୍ସପ୍ରାପ୍ତ ଦୋକାନ ମାଧ୍ୟମରେ ବିକିବା ସମ୍ଭବପର ହେଉନଥିବାରୁ ଲୋକ ଲଗାଇ ସହରର ବସ୍ତିଠାରୁ ଗାଁ ଗହଳ ପର୍ଯ୍ୟନ୍ତ ବିକୁଛନ୍ତି । ଏଥି ସହ ଚୋରା ଓ ନକଲି ମଦର ବି ଚାରିଆଡେ ବନ୍ୟା ପ୍ଲାବିତ ହେଉଛି । ଏମିତିକି ଖୋଦ ରାଜଧାନୀରେ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ବିପୁଳ ପରିମାଣର ଚୋରା ମଦ ନକଲି ବ୍ରାଣ୍ଡ୍‍ରେ ମିଳିବାରୁ ତାହା ଉପରେ ଜେସିବି ଚଢାଇ ନଷ୍ଟ କରାଯାଉଛି ।

ରାସ୍ତାଘାଟ, ଦୋକାନବଜାରା, ଶିକ୍ଷାନୁଷ୍ଠାନ, ପାର୍କ, ଧର୍ମାନୁଷ୍ଠାନ ଆଦି ନିକଟରେ ଖୋଲାଖୋଲି ଭାବେ ଦିନ ରାତି ମଦ ଓ ଅନ୍ୟାନ୍ୟ ନିଶା ସେବନ ଚାଲୁଥିବା ରାଜଧାନୀର ବିଭିନ୍ନ ଅଞ୍ଚଳର ଲୋକେ ବାରମ୍ବାର ଅଭିଯୋଗ କରୁଛନ୍ତି । ଏମିତିକି ଏମଏଲ୍‍ଏ କଲୋନୀ ନିକଟରେ ଥିବା ଚାରିନମ୍ବର ହାଟକୁ ମଦୁଆମାନେ ସେମାନଙ୍କ ବାର୍‍ରେ ପରିଣତ କରିଥିବାଭଳି ମନେ ହେଉଛି । ଆଗରୁ ଅନେକ ମଦଦୋକାନ ଆଗରେ ପିସିଆର ପଇଁତରା ମାରୁଥିଲା । ଏମିତିକି କମିଶନରେଟ ପୁଲିସ୍‍ ପକ୍ଷରୁ ଦିଆଯାଇଥିବା ମାର୍ଗନିର୍ଦ୍ଦେଶିକାରେ ମଧ୍ୟ ମଦଦୋକାନ ପାଖରେ ଚାଖଣା ଦୋକାନ ରହିପାରିବ ନାହିଁ ଏବଂ ରାସ୍ତାଘାଟ ଠାରୁ ଅନ୍ୟ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ନିଷିଦ୍ଧ ବୋଲି କୁହାଯାଇଥିଲା । କିନ୍ତୁ ଏହି ମାର୍ଗନିର୍ଦ୍ଦେଶିକାକୁ ମଧ୍ୟ କଡାକଡି ଭାବେ ପାଳନ କରାଯାଉନାହିଁ ।

ରାଜ୍ୟ ସରକାର ପ୍ରତିବର୍ଷ ମଇ ୩୧ରୁ ଜୁନ୍‍ ୨୬ ପର୍ଯ୍ୟନ୍ତ ନିଶା ବିରୁଦ୍ଧରେ ପ୍ରଚାର ପାଇଁ କୋଟି କୋଟି ଟଙ୍କା ପାଣିରେ ପକାଇ ନଷ୍ଟ କରୁଛନ୍ତି । ମଦ ରାକ୍ଷାସ କବଳରୁ ଯୁବଶକ୍ତିକୁ ରକ୍ଷା କରିବାପାଇଁ ଆଲକହଲମୁକ୍ତ ଗ୍ରାମ ପ୍ରତିଷ୍ଠା ପାଇଁ ରାଜ୍ୟ ଯୁବନୀତିରେ ୧୨ବର୍ଷ ତଳେ ଘୋଷଣା କରାଯାଇଥିଲେ ମଧ୍ୟ ଆଲକହଲମୁକ୍ତ ଗ୍ରାମ ପରିବେର୍ତ୍ତ ଘରେ ଘରେ ନିଶା ପ୍ରସାରଣ ଲାଗି ମଦ ମାଫିଆମାନେ ସକ୍ରିୟ ଉଦ୍ୟମ ଜାରି ରଖିଛନ୍ତି । ଏମିତିକି ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍‍ କରି ଗୁଟ୍‍ଖା, ତମାଖୁ ସେବନ ଓ ଏହାର ପ୍ରସ୍ତୁତି ବିପ୍ପଣନ ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ ମଧ୍ୟ ଏସବୁ ନିଶା ସାମଗ୍ରୀ ବେଧଡକ ଭାବେ ବିକ୍ରି ହେଉଛି । (ତଥ୍ୟ)