Home Railway ୨୦ବର୍ଷରେ ୨୩୮୯ଟି ରେଳ ଦୁର୍ଘଟଣା

୨୦ବର୍ଷରେ ୨୩୮୯ଟି ରେଳ ଦୁର୍ଘଟଣା

ଭୁବନେଶ୍ୱର : ଗତ ୨୦ବର୍ଷ ମଧ୍ୟରେ ଦେଶରେ ୨୩୮୯ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୧୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ରେଳ ସୁରକ୍ଷା ପାଇଁ ବର୍ଷକୁ ବର୍ଷ ବ୍ୟୟ ପରିମାଣ ବଢୁଥିବାବେଳେ ଗତ ଦଶବର୍ଷରେ ପୂର୍ବ ତୁଳନାରେ ରେଳ ଦୁର୍ଘଟଣା ହ୍ରାସ ପାଇଛି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ରଖିଥିବା ଉତ୍ତରରୁ ଏହା ଜଣାପଡିଛି । ରେଳମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ୨୦ବର୍ଷ ଅର୍ଥାତ୍‍ ୨୦୦୪-୦୫ ରୁ ୨୦୨୩-୨୪ ବର୍ଷ ମଧ୍ୟରେ ମୋଟ୍‍ ୨୩୮୯ଟି ରେଳ ଦୁର୍ଘଟଣା ଘଟିଛି । ତେବେ ୨୦୦୪-୦୫ ମଧ୍ୟରେ ୧୭୧୧ ଟି ଦୁର୍ଘଟଣା ଘଟିଥିବାବେଳେ ୨୦୧୪-୧୫ ରୁ ୨୦୨୩-୨୪ ମଧ୍ୟରେ ୬୭୮ଟି ଦୁର୍ଘଟଣା ଘଟିଛି । ରେଳ ବିଭାଗର ପଦକ୍ଷେପ ଯୋଗୁଁ ପରବର୍ତ୍ତୀ ୧୦ବର୍ଷରେ ଦୁର୍ଘଟଣାକୁ ବହୁଳ ଭାବେ ରୋକାଯାଇ ପାରିଛି ।

ତେବେ ଯେଉଁ ହାରରେ ଦୁର୍ଘଟଣା ହ୍ରାସ ପାଇଛି ସେହି ହାରରେ ରେଳ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପରିଲକ୍ଷିତ ହୋଇନାହିଁ । ୨୦୦୪-୨୫ ବର୍ଷରେ ଘଟିଥିବା ୧୭୧୧ ରେଳ ଦୁର୍ଘଟଣାରେ ୯୦୪ ଜଣ ପ୍ରାଣ ହରାଇଥିବାବେଳେ ପରବର୍ତ୍ତୀ ଦଶ ବର୍ଷରେ ୬୭୮ଟି ରେଳ ଦୁର୍ଘଟଣାରେ ୭୪୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେହିଭଳି ଆହତଙ୍କ ସଂଖ୍ୟା ଯତାକ୍ରମେ ୩୧୫୫ ଓ ୨୦୮୭ ରହିଛି ।

ରେଳ ଦୁର୍ଘଟଣା ହ୍ରାସ ପାଇଁ ନିଆଯାଉଥିବା ପଦକ୍ଷେପ ବାବଦରେ ଖର୍ଚ୍ଚ ବଢି ବଢି ଚାଲିଛି । ରେଳ ସୁରକ୍ଷାପାଇଁ ୨୦୨୨-୨୩ ବର୍ଷରେ ୮୭,୩୩୬ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ୧,୦୧,୬୬୨ କୋଟି ଟଙ୍କା ଏବଂ ୨୦୨୪-୨୫ ବର୍ଷରେ ୧,୦୮,୭୯୫ କୋଟି ଟଙ୍କା ବ୍ୟୟ ହୋଇଛି । ଏହି ଅର୍ଥରେ ସିଗ୍ନାଲ ବ୍ୟବସ୍ଥା ଠାରୁ ଆରମ୍ଭ କରି ସେତୁ ନିର୍ମାଣ ଆଦି କରାଯାଉଛି ।

ମନ୍ତ୍ରୀ ରଖିଥିବା ଉତ୍ତରରୁ ଜଣାପଡିଛି ଯେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୧,୦୪୮ ଟି ରେଳ ଫାଟକର ଉନ୍ନତିକରଣ କରାଯାଇଥିବାବେଳେ ସମସ୍ତ ବନ୍ଦେ ଭାରତ କୋଚ୍‍ରେ ସିସିଟିଭି ଲଗାଯାଇଛି । ମୋଟ୍‍ ୯୫୭୨ କୋଚ୍‍ରେ ସିସିଟିଭି ଲଗାଯାଇ ସାରିଥିବାବେଳେ ୧୪୫୬ କିଲୋମିଟର ରେଳପଥରେ ‘କବଚ’ ବ୍ୟବସ୍ଥା ଖଞ୍ଜାଯାଇଛି । ସେହିଭଳି ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାୱଡା ମଧ୍ୟରେ ଥିବା ୩୦୦୦ କିଲୋମିଟର ରେଳପଥରେ କବଚ ଲଗାଯିବା କାର୍ଯ୍ୟ ଜାରି ରହିଛି । ରେଳବାଇ ପାଇଁ ୩୬୪ଟି ଟେଲିଫୋନ୍‍ ଟାୱାର ସ୍ଥାପନ ହୋଇଥିବାବେଳେ ୪୨୭୫ କିଲୋମିଟର ଅପ୍ଟିକାଲ ଫାଇବର ବିଛାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)