Home Administration ୨ଲକ୍ଷ ପଦବୀ ଖାଲି

୨ଲକ୍ଷ ପଦବୀ ଖାଲି

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ବିଭିନ୍ନ ଦପ୍ତର ଲାଗି ବିଭିନ୍ନ ପାହ୍ୟାର ୫,୯୬,୬୪୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୨,୦୫,୨୨୮ଟି ଖାଲି ପଡିଛି । ରାଜ୍ୟରେ ବେକାରୀ ଓ ବେରୋଜଗାରୀ ସହିତ ଦାଦନ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ୨ଲକ୍ଷରୁ ଅଧିକ କର୍ମନିଯୁକ୍ତିର ସୁଯୋଗ ଥାଇ ବି ସରକାର ଅଗ୍ରାଧିକାର ଭିତ୍ତିରେ ଏହି ପଦବୀ ସବୁ ପୂରଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି ।

ସରକାରୀ ତଥ୍ୟ ମୁତାବକ କେବଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୬୩ ହଜାରରୁ ଅଧିକ ପଦବୀ ଖାଲି ପଡିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପାଖାପାଖି ୪୦ ହଜାର ପଦବୀ ଖାଲି ରହିଛି । ଆଇନ୍‍ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଥିବା ଗୃହ ବିଭାଗରେ ପାଖାପାଖି ୨୦ ହଜାର ପଦୀବ ଖାଲି ପଡିଥିବା ବେଳେ ରାଜସ୍ୱ ବିଭାଗରେ ବି ପ୍ରାୟ ୧୨ ହଜାର ପଦବୀ ପୂରଣ ହୋଇପାରୁ ନାହିଁ । ସେହିଭଳି ପଞ୍ଚାୟତିରାଜ ବିଭାଗରେ ପ୍ରାୟ ୭ ହଜାର ପଦବୀ ଖାଲି ପଡିରହିଥିବା ବେଳେ ଜଳସଂପଦ ବିଭାଗରେ ମଧ୍ୟ ୭୫୦୦ରୁ ଅଧିକ ପଦବୀ ଖାଲି । କୃଷି ବିଭାଗରେ ବି ୭ ହଜାରରୁ ଅଧିକ ପଦବୀ ଖାଲି ରହିଛି ।

ପ୍ରାପ୍ତ ସୂଚନା ମୁତାବକ ଉଚ୍ଚଶିକ୍ଷା ବିଭାଗରେ ପାଖାପାଖି ୪ ହଜାର ପଦବୀ ଖାଲି ପଡିଥିବା ବେଳ ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗରେ ବି ୩ ହଜାରରୁ ଅଧିକ ପଦବୀ ଖାଲି ପଡିଛି । ପୂର୍ତ୍ତ ବିଭାଗରେ ପାଖାପାଖି ୪୫୦୦ ଓ ଅର୍ଥ ବିଭାଗରେ ମଧ୍ୟ ୩ ହଜାରରୁ ଅଧିକ ପଦବୀ ଖାଲି ପଡିଥିବା ଜଣାପଡିଛି । ମୋଟାମୋଟି ଭାବେ ରାଜ୍ୟରେ ପ୍ରଥମ ଶ୍ରେଣୀ ପାହ୍ୟାର ପାଖାପାଖି ୨୦ ହଜାର ସରକାରୀ ପଦବୀ ଖାଲି ରହିଥିବା ବେଳେ ଦ୍ୱିତୀୟ ଶ୍ରେଣୀ ପାହ୍ୟାରେ ପାଖାପାଖି ୪୫ ହଜାର ପଦବୀ ଖାଲି । ଏହାଛଡ଼ା ତୃତୀୟ ଶ୍ରେଣୀ ପାହ୍ୟାର ଲକ୍ଷାଧିକ ପଦବୀ ଖାଲି ପଡିଥିବା ବେଳେ ଚତୁର୍ଥ ଶ୍ରେଣୀ ପାହ୍ୟାରେ ବି ପ୍ରାୟ ୩୭ ହଜାର ପଦବୀ ଖାଲି ରହିଛି । ରାଜ୍ୟର ୧୭ଟି ସରକାରୀ ମେଡିକାଲ୍‍ କଲେଜ୍‍ରେ ୮୩ଟି ପ୍ରଫେସର, ୧୮୫ଟି ସହଯୋଗୀ ପ୍ରଫେସର, ୧୪୮ଟି ସହକାରୀ ପ୍ରଫେସର, ୬୮ଟି ଟ୍ୟୁଟର୍‍, ୪୨୯ଟି ସିନିଅର ରେସିଡେଣ୍ଟ ଓ ୬୦ଟି ଜୁନିଅର ରେସିଡେଣ୍ଟ ପଦବୀ ମଧ୍ୟ ଖାଲି ରହିଛି । ଏହାଛଡ଼ା ସରକାରୀ ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ବହୁ ସଂଖ୍ୟକ ଅଣ ଡାକ୍ତରୀ ପଦବୀ ମଧ୍ୟ ଖାଲି ପଡିଛି ।

ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକରେ ଏବେ ବି ବହୁ ସଂଖ୍ୟକ ସ୍ପେଶାଲିଷ୍ଟ, ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲି ପଡିଛି । ରାଜ୍ୟରେ ଥିବା ୭ଟି ହୋମିଓପ୍ୟାଥିକ ଓ ଆୟୁର୍ବେଦିକ କଲେଜ୍‍ଗୁଡ଼ିକରେ ପାଖାପାଖି ଅଧା ପଦବୀ ଖାଲି ପଡିଥିବା ବେଳେ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ସରକାରୀ ଚିକିତ୍ସାଳୟରେ ବି ଡାକ୍ତର ଓ ଅଣ-ଡାକ୍ତର ପଦବୀ ମରୁଡ଼ି ବାରି ହୋଇଯାଉଛି ।

ଓଡ଼ିଶାରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏବେ ପ୍ରାୟ ୧୪୦୦ ଶିକ୍ଷକ ଏବଂ ଅଢ଼େଇ ହଜାରରୁ ଅଧିକ ଅଣ ଶିକ୍ଷକ ପଦବୀ ଖାଲି ପଡିଛି । ଡିଗ୍ରୀ କଲେଜ୍‍ଗୁଡ଼ିକର ଅବସ୍ଥା ଅତି ସାଙ୍ଘାତିକ । ପ୍ରାୟତଃ କୌଣସି ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ୍‍ ଏବଂ ଯୁକ୍ତଦୁଇ ଶିକ୍ଷାନୁଷ୍ଠାନରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ପାଖାପାଖି ଏକ ତୃତୀୟାଂଶ ହାଇସ୍କୁଲ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ନିୟମିତ ପ୍ରଧାନଶିକ୍ଷକ ନଥିବା ଶିକ୍ଷକ ସଂଗଠନଗୁଡ଼ିକ ପକ୍ଷରୁ ଅଭିଯୋଗ ହେଉଛି । ଉନ୍ନତମାନର ତାଲିମପ୍ରାପ୍ତ ଶିକ୍ଷକ ପ୍ରସ୍ତୁତି ପାଇଁ ଥିବା ସରକାରୀ ବିଏଡ୍‍ କଲେଜ୍‍ ଓ ସିଟି ସ୍କୁଲଗୁଡ଼ିକରେ ଶିକ୍ଷକ ମରୁଡ଼ି ସମସ୍ୟା ଅତ୍ୟନ୍ତ ଗୁରୁତର ।

ସରକାରୀ ଇଞ୍ଜିନିୟରିଂ କଲେଜ୍‍, ପଲିଟେକ୍‍ନିକ୍‍, ଇଞ୍ଜିନିୟରିଂ ସ୍କୁଲ, ଆଇଟିଆଇ ଆଦିରେ ବି ଶିକ୍ଷକ ମରୁଡ଼ି ସମସ୍ୟା ସୁଧୁରୁ ନାହିଁ । ଯୋଗ୍ୟ ବେକାରୀ ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ସହ ବିଭିନ୍ନ ସରକାରୀ ସଂସ୍ଥାନ ବିଶେଷକରି ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକୁ ଚଳଚଞ୍ଚଳ କରିବା ପାଇଁ ସୀମିତ ସମୟ ମଧ୍ୟରେ ଯଦି ପଦୋନ୍ନତି ଓ ପ୍ରତ୍ୟକ୍ଷ ନିୟମିତ ନିଯୁକ୍ତି ଭିତ୍ତିରେ ଖାଲି ପଡିଥିବା ୨ଲକ୍ଷରୁ ଅଧିକ ପଦବୀ ପୂରଣ କରାଗଲେ ବହୁ ସମସ୍ୟାର ସମାଧାନ ହୋଇପାରିବ । ତେବେ ଏହିସବୁ ପଦବୀ ପୂରଣ କରାଗଲେ ସରକାରୀ କର୍ମଚାରୀମାନଙ୍କ ବେତନ ଓ ଭତ୍ତା ବାବଦରେ ବର୍ଷକୁ ଯେତେ ଅର୍ଥ ଖର୍ଚ୍ଚ ହେଉଛି ତା’ର ପରିମାଣ ପାଖାପାଖି ୩୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । (ତଥ୍ୟ)