Home Education ବନ୍ଦ ହେବ ୧୯୬୩ର ହାଇସ୍କୁଲ

ବନ୍ଦ ହେବ ୧୯୬୩ର ହାଇସ୍କୁଲ

ଭୁବନେଶ୍ୱର : ଶିକ୍ଷା ବିଭାଗର ନିଷ୍ପତ୍ତିଯୋଗୁଁ ଏବେ ରାଜଧାନୀର ସର୍ବପୁରାତନ ବାଳିକା ଉଚ୍ଚବିଦ୍ୟାଳୟ ବନ୍ଦ ହେବାକୁ ବସିଲାଣି । ଛାତ୍ରୀ ଅଭାବରୁ ଆଉ ବର୍ଷେ ଦୁଇବର୍ଷ ଭିତରେ ଏହି ସ୍କୁଲରେ ତାଲା ପଡିବାର ଆଶଙ୍କା କର୍ମଚାରୀମାନେ କରୁଛନ୍ତି ।

୧୯୬୩ ମସିହାରେ ସ୍ଥାନୀୟ ଛଅ ନମ୍ବର ୟୁନିଟ୍‍ରେ ପ୍ରତିଷ୍ଠା ହୋଇଥିଲା ବାଳିକା ଉଚ୍ଚ ବିଦ୍ୟାଳୟ । ଏହାର ଠିକ୍‍ ବର୍ଷକ ପରେ ଅର୍ଥାତ୍‍ ୧୯୬୪ ମସିହାରେ ଏହାର ନିକଟରେ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏଥି ସହିତ ବାଳକ ବିଦ୍ୟାଳୟ ପରିସରରେ ପ୍ରାଥମିକ ବିଦ୍ୟାଳୟ ବି ରହିଥିଲା । ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଉଥିବା ପିଲାଙ୍କ ମଧ୍ୟରୁ ବାଳକମାନେ ସେଠାରେ ଥିବା ହାଇସ୍କୁଲରେ ପଢୁଥିବାବେଳେ ସେଠାରୁ କେଇ ହାତ ଦୂରରେ ଥିବା ବାଳିକା ହାଇସ୍କୁଲକୁ ଝିଅମାନେ ଯାଉଥିଲେ ।

ଏଥିଯୋଗୁଁ ଉଭୟ ବିଦ୍ୟାଳୟରେ ପିଲା ସଂଖ୍ୟାରେ କୌଣସି ସମସ୍ୟା ନଥିଲା । ଯଦିଓ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି ତଥାପି ରାଜଧାନୀର ଏହି ଦୁଇ ପୁରାତନ ବିଦ୍ୟାଳୟରେ ପାଠପଢାର ଗୁଣମାନ ଯୋଗୁଁ ଛାତ୍ରଛାତ୍ରୀ ନାମ ଲେଖାଉଥିଲେ । ଏପରିକି ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇବା ବଦଳରେ ଏଠାରେ ପଢିବାକୁ ଅନେକ ପିଲା ପସନ୍ଦ କରିଥାନ୍ତି ।

ଏହି ଦୁଇ ହାଇସ୍କୁଲରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ଏବେ ରାଜ୍ୟ ତଥା ଦେଶ ବିଦେଶରେ ପ୍ରତିଷ୍ଠିତ । କେତେକ ପୁରାତନ ଛାତ୍ରୀ ତ ଛଅ ନମ୍ବର ବାଳିକା ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ତେବେ କିଛିଦିନ ତଳେ ଖୋରଧା ଜିଲ୍ଲା ଶିକ୍ଷା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଏବେ ବାଳିକା ହାଇସ୍କୁଲର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି ।

ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଛଅ ନମ୍ବର ବାଳକ ହାଇସ୍କୁଲରେ ଏବେ ବାଳିକାଙ୍କୁ ପଢିବାକୁ ଅନୁମତି ଦିଆଯାଇଛି । ଫଳରେ ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ସମେତ ଆବାସିକ ବିଦ୍ୟାଳୟରେ ଯେଉଁ ଛାତ୍ରୀମାନେ ପଢୁଛନ୍ତି ସେମାନେ ଆଉ ବାଳିକା ହାଇସ୍କୁଲକୁ ଆସୁ ନାହାନ୍ତି । ଏପରିକି ସେଠାରୁ ଆସିବାକୁ ଚାହୁଁଥିବା ଛାତ୍ରୀଙ୍କୁ ବି ପିଲାସଂଖ୍ୟା କମିବା ଆଶଙ୍କାରେ ଟିସି ଦିଆଯାଉ ନାହିଁ ।

ଏହା ଫଳରେ ମାତ୍ର କେଇହାତ ଦୂରରେ ଥିବା ବାଳିକା ବିଦ୍ୟାଳୟରେ ଲଗାତାର ଦୁଇବର୍ଷ ଧରି ଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି । ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ଏବେ ପ୍ରତି ଶ୍ରେଣୀରେ ଦୁଇଟି ସେକ୍ସନ ହେବା କଷ୍ଟକର ହୋଇପଡିଲାଣି । ଚଳିତବର୍ଷ ଷଷ୍ଠ ଶ୍ରେଣୀରେ ପାଖାପାଖି ୩୦ଜଣ ପିଲା ନାମ ଲେଖାଇଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି କମିବ ବୋଲି ଆଶଙ୍କା କରାଗଲାଣି ।

ଗୋଟିଏ ପଟେ ବାଳିକା ହାଇସ୍କୁଲର ଫଳାଫଳା ସେଭଳି ଆଶାଜନକ ନହେବା ଓ ଅନ୍ୟପଟେ କେଇହାତ ଦୂରରେ ବାଳକ ହାଇସ୍କୁଲରେ ବାଳିକାଙ୍କୁ ପଢିବାକୁ ଅନୁମତି ଦେବା ଏବେ ଏହି ପୁରାତନ ହାଇସ୍କୁଲର ଅସ୍ଥିତ୍ୱ ଉପରେ ପ୍ରଶ୍ନଚିହ୍ନଟ ଲଗାଇଦେଲାରି । ଶିକ୍ଷା ବିଭାଗ କର୍ତ୍ତୃପକ୍ଷ କିଭଳି ଏହି ନିଷ୍ପତ୍ତି ନେଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଉଲ୍ଲେଖନୀୟ ଯେ ନିକଟରେ ବିଦ୍ୟାଳୟ ଜମି ଆଇଏଏସ୍‍ ଟ୍ରାନ୍‍ଜିଟି ହୋମ୍‍ ପାଇଁ ଦିଆଯିବା ଓ ଏହା ବାତିଲ ହେବାକୁ ନେଇ ଛଅ ନମ୍ବର ବାଳିକା ଉଚ୍ଚ ବିଦ୍ୟାଳୟ ଚର୍ଚ୍ଚାରେ ରହିଥିଲା । (ତଥ୍ୟ)