Home Agriculture ୧୮ ଜିଲ୍ଲାରେ ଚାଲିଛି ଧାନ କିଣା

୧୮ ଜିଲ୍ଲାରେ ଚାଲିଛି ଧାନ କିଣା

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ରାଜ୍ୟରେ ଯାରି ଧାନ କିଣା ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼  ସମେତ ୧୮ଟି ଜିଲ୍ଲା ଧାନ କିଣା ପ୍ରକ୍ରିୟା ଚାଲିଛି ।

ଖୁବଶୀଘ୍ର ଅନ୍ୟ ଜିଲ୍ଲାରେ ଏହି ଧାନ କିଣା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଯାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ଜିଲ୍ଲା ଗୁଡିକରେ ୧୫୯୧ଟି ମଣ୍ଡିରେ ଧାନ କିଣା ଯାରି ରହିଛି ।

ସେହିଭଳି ପ୍ରତ୍ୟେକ ମଣ୍ଡିରେ  ନୋଡାଲ ଅଧିକାରୀ ଧାନ କିଣା ପ୍ରକ୍ରିୟା ଉପରେ ନଜର ରଖିବା ସହ ଧାନ ସଂଗ୍ରହ ପ୍ରକିୟାକୁ ଯାଞ୍ଚ କରୁଛନ୍ତି । ବାହାର ରାଜ୍ୟର ଧାନ ଗାଡି ଏବଂ ଧାନ କିଣା ସମୟରେ ଆବଶ୍ୟକତା ଠାରୁ ଅଧିକ ଧାନ ରଖୁଥିବା ବ୍ୟବସାୟୀଙ୍କ ଉପରେ କଡା ନଜର ରଖାଯାଇଛି । ଏଥିନିମନ୍ତେ ଏହି ସବୁ ଜିଲ୍ଲାରେ ୧୯୦ଜଣ ଇନଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ଅଛନ୍ତି ।

ଏଭଳି ଘଟଣା ଜଣାପଡିବା ପରେ ତ୍ୱରିତ ପଦକ୍ଷେପ ନିଆଯାଉଛି । ଏଥିନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନେ ଦିନରାତି ସେମାନଙ୍କ କାର୍ଯ୍ୟ ତୁଲାଉଛନ୍ତି । ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ରାଶି ସହ ଇନପୁଟ ସହାୟତା ପ୍ରଦାନ କରାଯାଉଛି ।

 ଏଥି ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଧାନ ବିକ୍ରୟ ଅର୍ଥ ରାଶି ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯାଉଛି । ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ  ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କଡୁଛନ୍ତି ।