ଭୁବନେଶ୍ୱର : ଆସନ୍ତା ୧୮ରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ ଆରମ୍ଭ ହେବ । ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନେ ସାମିଲ ହେବ ।
ରାଜ୍ୟ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିରେ ଜିଲ୍ଲାପାଳମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲାପାଳମାନେ ତୃଣମୂଳସ୍ଥରରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ସମ୍ମିଳନୀରେ ତର୍ଜମା ହେବ।
ସରକାର ଶିଳ୍ପାୟନକୁ ପ୍ରାଥମିକତା ଦେଉଥିବାରୁ ଜମି ଅଧିଗ୍ରହଣରୁ ଆଇନ ଶୃଙ୍ଖଳା ଯାଏ ଯେଭଳି ସୁରୁଖୁରୁରେ ହେବ ତାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଓ ଏସ୍ପିମାନେ କାମ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଶିଳ୍ପ ଓ ମହିଳା ବିକାଶ ଭଳି ପ୍ରସଙ୍ଗରେ ଚଳିତ ଥର ଅଧିକ ଚର୍ଚ୍ଚା ହେବ ବୋଲି ଅନୁମାନ କରାଯାଉଛି। ମୁଖ୍ୟ ଶାସନ ସଚିବଙ୍କ ସହ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, ବିଭାଗୀୟ ସଚିବ ଓ ମନ୍ତ୍ରୀମାନେ ବୈଠକରେ ସାମିଲ ହେବେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ମାଝୀ ଗତ ବର୍ଷ ସେପ୍ଟେମ୍ବର ୨୭ ଓ ୨୮ରେ ଏହି ସମ୍ମିଳନୀ ଡାକିଥିଲେ। ଜିଲ୍ଲାପାଳ ଓ ଏସପିମାନେ ବିନା ଭୟରେ କାମ କରିବାକୁ ପରାମର୍ଶ ଦେଇଥିଲେ । କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବନି ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।

