ଭୁବନେଶ୍ୱର : ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରୟାସ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି l ୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।
ସେହିସବୁ ବ୍ଲକ ଗୁଡିକ ହେଉଛି ଗଜପତିର ଗୁମ୍ମା, ଗଞ୍ଜାମର ଧରକୋଟ, କଳାହାଣ୍ଡିର ଥୁଆମୂଳ-ରାମପୁର, କନ୍ଧମାଳର ଖଜୁରିପଡ଼ା, କୋରାପୁଟର ବନ୍ଧୁଗାଁ, ନାରାୟଣପାଟଣା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୁରଭଞ୍ଜର ତିରିଂ, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷଗୁମୁଡ଼ା, ଝରିଗାଁ, ରାଇଗଡ଼, ରାୟଗଡ଼ାର କାଶିପୁର, ରାମନାଗୁଡ଼ା, ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ, କୁଆଁରମୁଣ୍ଡା ଆଦି ବ୍ଲକରେ ସ୍ନାତକ ମହାବିଦ୍ୟାଳୟ ଖୋଲାଯିବ ।
ଏହିସବୁ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଅନୁରୋଧ କରାଯାଇଛି । ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ ।