ଭୁବନେଶ୍ୱର : ରାଜ୍ୟର ୧୩ଟି ଜିଲ୍ଲାରେ ଏବେ ସରକାରୀ ମେଡିକାଲ କଲେଜ ଥିବାବେଳେ ଅନ୍ୟ ୧୭ଟି ଜିଲ୍ଲାରେ ଏଥିପାଇଁ ଦାବି ବଢ଼ୁଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ୍ କଲେଜ୍ ଓ ନର୍ସିଂ କଲେଜ୍ ପ୍ରତିଷ୍ଠା କରିବା ଲାଗି ବିଜେପି ଗତ ନିର୍ବାଚନ ସମୟରେ ତାହାର ସଂକଳ୍ପ ପତ୍ରରେ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଯେଉଁ ଜିଲ୍ଲାଗୁଡ଼ିକରେ ସରକାରୀ ମେଡିକାଲ୍ କଲେଜ୍ ନାହିଁ ସେଠାରେ ଏଭଳି ଦାବି ବଢ଼ିବା ସ୍ୱାଭାବିକ ।
ଏବେ କଳାହାଣ୍ଡି, ବାଲେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ,କୋରାପୁଟ, ଯାଜପୁର ଓ ଅନୁଗୁଳ ଜିଲ୍ଲାରେ ମେଡିକାଲ୍ କଲେଜ୍ ଲାଗି ବ୍ୟବସ୍ଥା ଥିବାବେଳେ ନୂଆପଡ଼ା, ସୋନପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ଢେଙ୍କାନାଳ, ଦେବଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ସରକାରୀ ମେଡିକାଲ୍ କଲେଜ୍ ନାହିଁ ।
ନିକଟରେ ଭଦ୍ରକରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏ ପରିପ୍ରେକ୍ଷୀରେ ସରକାରୀ ମେଡିକାଲ୍ କଲେଜ୍ ନଥିବା ଅନ୍ୟ ଜିଲ୍ଲାଗୁଡ଼ିକରେ ବି ଏଥିଲାଗି ଲୋକ ପ୍ରତିନିଧିମାନଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି । କେବଳ ମେଡିକାଲ୍ କଲେଜ୍ ନୁହେଁ, ଯେଉଁସବୁ ଜିଲ୍ଳାରେ ସରକାରୀ ନର୍ସିଂ କଲେଜ୍ ନାହିଁ ସେଠାରେ ବି ନର୍ସିଂ କଲେଜ୍ ଖୋଲିବା ପାଇଁ ଜନମତ ପ୍ରକାଶ ପାଉଛି ।
ଏହାଛଡ଼ା ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (ଏମ୍ସ) ଶାଖା ଖୋଲିବାକୁ ମଧ୍ୟ ପ୍ରୟାସ ଚାଲିଛି । ବିଜେପି ତାହାର ନିର୍ବାଚନୀ ସଂକଳ୍ପ ପତ୍ରରେ ସମ୍ବଲପୁର ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ଓ ଏମ୍ସ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲା । ଭୁବନେଶ୍ୱରରେ ଏମ୍ସ ରହିଥିବାବେଳେ ବାଲେଶ୍ୱରରେ ଏହାର ଏକ ସାଟେଲାଇଟ୍ ଶାଖା ରହିଛି । ତେବେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ଅଭାବରୁ ବାଲେଶ୍ୱରର ଏମ୍ସ ଶାଖାରୁ ଲୋକେ ଯେଭଳି ଚିକିତ୍ସା ସୁବିଧା ନିୟମିତ ପାଇବା କଥା ତାହା ପାଇପାରୁ ନାହାନ୍ତି । ଏ ପରିପ୍ରେକ୍ଷୀରେ ବାଲେଶ୍ୱରରେ ଥିବା ଏମ୍ସ ଶାଖାକୁ ସ୍ୱୟଂ ସଂପୂର୍ଣ୍ଣ କରିବା ପାଇଁ ଦାବି ଉଠୁଛି ।
ମୟୂରଭଞ୍ଜ, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାରେ ମେଡିକାଲ୍ କଲେଜ୍ ରହିଛି । ତେବେ ଚିକିତ୍ସା ସେବାର ଗୁରୁତ୍ୱ ଦୃଷ୍ଟିରୁ ମେଡିକାଲ୍ କଲେଜ୍ ଛଡ଼ା ଏମ୍ସ ଶାଖା ପ୍ରତିଷ୍ଠା କରାଯିବାରେ କିଛି ଅସୁବିଧା ନାହିଁ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଜରୁରୀ ।
ରାଜ୍ୟରେ ଥିବା ସରକାରୀ ମେଡିକାଲ୍ କଲେଜ୍ ଏବଂ ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀ ସେବା ଗୁରୁତର ଭାବେ ବ୍ୟାହତ ହେଉଛି । ଖାଲି ପଡିଥିବା ଡାକ୍ତର ଓ ଅନ୍ୟ ପଦବୀଗୁଡ଼ିକ ପୂରଣ କରାଯିବା ସଂଗେ ସଂଗେ ୧୩ଟି ଯାକ ମେଡିକାଲ୍ କଲେଜ୍ର ଭିତ୍ତିଭୂମି ସୁଦୃଢ଼ିକରଣ ଅତି ଆବଶ୍ୟକ ହୋଇପଡିଛି । ଏହାଛଡ଼ା ରାଜ୍ୟରେ ଥିବା ୭ଟିଯାକ ସରକାରୀ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ମେଡିକାଲ୍ କଲେଜ୍ରେ ମଧ୍ୟ ଡାକ୍ତର ଓ ଅନ୍ୟ କର୍ମଚାରୀ ସଂକଟ ଲାଗି ରହିଛି । ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ବିଜେପି ତାହାର ନିର୍ବାଚନୀ ସଂକଳ୍ପ ପତ୍ରରେ ଯେତେସବୁ ଘୋଷଣା କରିଥିଲା ସେ ସବୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ପ୍ରତି ଜିଲ୍ଲାରେ ସରକାରୀ ମେଡିକାଲ୍ କଲେଜ୍ ସ୍ଥାପନ ଲାଗି କେନ୍ଦ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଆୟୁଷ ମନ୍ତ୍ରାଳୟ ଗଢ଼ାଯାଇଛି । ଓଡ଼ିଶାରେ ଅପପୁଷ୍ଟି, ରକ୍ତହୀନତା ଲାଗି ରହିଥିବାବେଳେ ଶିଶୁ ଓ ମାତୃମୃତ୍ୟୁ ହାରରେ ସାମାନ୍ୟ ଉନ୍ନତି ଆସିଛି । ଅନ୍ୟପକ୍ଷରେ ମଣିଷର ହାରାହାରି ପରମାୟୁ ଦେଶର ବହୁ ରାଜ୍ୟ ତୁଳନାରେ ଓଡ଼ିଶାରେ କମ୍ ଥିବାରୁ ଏଠାରେ ସ୍ୱାସ୍ଥ୍ୟ ସେବାର ବିକାଶ ଅତ୍ୟନ୍ତ ଜରୁରୀ ବୋଲି ଚିକିତ୍ସା ବିଜ୍ଞାନୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)