ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷପାଇଁ ୧୭,୪୪୦ କୋଟି ଟଙ୍କାର ଅତରିକ୍ତ ବଜେଟ୍ ଆଗତ କରିଛନ୍ତି । ଏଥିରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ସର୍ବାଧିକ ୧୩,୭୧୬ ଟଙ୍କାର ବ୍ୟୟବରାଦ ଥିବାବେଳେ ପ୍ରଶାସନିକ ବ୍ୟୟ ପାଇଁ ୩୩୮୯ କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୧୭୧ କୋଟି ଓ ରାଜ୍ୟ ବଜେଟରେ ସ୍ଥାନାନ୍ତର ବାବଦରେ ୧୬୪ କୋଟି ଟଙ୍କା ରହିଛି । ୨୦୨୫-୨୬ ବର୍ଷରେ ମୂଳ ବଜେଟ୍ ୨ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଥିଲା । ଅତିରିକ୍ତ ବଜେଟ୍ ଆଗତ ପରେ ରାଜ୍ୟର ମୋଟ ବଜେଟ ପରିମାଣ ୩ଲକ୍ଷ ୭ ହଜାର କୋଟି ଅତିକ୍ରମ କରିଛି ।
୨୦୩୬ ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଥିବା ଏହି ବିଜେଟରେ ଆଞ୍ଚଳିକ ସମାନତା, ସୁସ୍ଥ ଓଡିଶା, ଅନ୍ନଦାତାଙ୍କ ସୁରକ୍ଷା, ଓଡିଆ ଅସ୍ମିତାର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପାଇଁ ରାଜ୍ୟ ସରକାର ୨୦୨୪-୨୫ ବଜେଟ ଠାରୁ ୨୦୨୫-୨୬ରେ କାର୍ଯକ୍ରମ ବ୍ୟୟ ବାବଦରେ ଅଥିକ ୯.୭ ପ୍ରତିଶତ ବ୍ୟୟବରାଦ କରିଛନ୍ତି। ଚଳିତ ବଜେଟରେ ୩୧,୮୦୦ କୋଟିର ରାଜସ୍ବ ବଳକା ହେବ ବୋଲି ଆକଳନ କରାଯାଇଛି, ଯାହା ମୋଟ ଘରୋଇ ଉତ୍ପାଦର ୩ ପ୍ରତିଶତ। ସେହିଭଳି ଋଣଭାର ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ୧ଲକ୍ଷ ୩୪ହଜାର ୯୧୪ କୋଟିରେ ପହଁଚିଛି।
ବଜେଟରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧିନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଏହି ବଜେଟ୍ ଅଣାଯାଇଛି । ଏଥିରେ ପ୍ରଚଳିତ ରହିଥିବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ନୂତନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ସର୍ବାଧିକ ୪୩୨୯ କୋଟିର ବ୍ୟୟ ବରାଦ କରାଯାଇଥିବା ବେଳେ ଶିକ୍ଷା ପାଇଁ ୨୩୨୭ କୋଟି, ଭିତ୍ତିଭୂମୀ ବିକାଶ ପାଇଁ ୧୯୫୫ କୋଟି, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୫୫୮ କୋଟି, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୧୧୬୪ କୋଟି, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି, ଓଡିଆ ଭାଷା, ସଂସ୍କୃତି, ହସ୍ତତନ୍ତ ଓ ବୟନ ଶିଳ୍ପ ପାଇଁ ୩୬୩ କୋଟିର ବ୍ୟୟ ବରାଦ କରାଯାଇଛି।
ଅତିରିକ୍ତ ବଜେଟରେ ସରକାରୀ କୋଠାଗୁଡିକର ରକ୍ଷଣା ବେକ୍ଷଣ ପାଇଁ ୨୦୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ପ୍ରଦାନ ପାଇଁ ୧୩୨୫ କୋଟି ଟଙ୍କା ରଖାଯାଇଥିବାବେଳେ ଚାଷୀମାନଙ୍କୁ ଇନ୍ପୁାଟ୍ ସହାୟତା ପାଇଁ ୮୫୦ କୋଟି ଟଙ୍କା ରଖାଯାଇଛି । କୁକୁଡା ପାଳନର ବିକାଶ ପାଇଁ ୧୩୭ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୯୧ କୋଟି, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୧୧୭ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।
ଚାଷୀଙ୍କୁ ଋଣ ସୁଧ ଛାଡ ପାଇଁ ସମବାୟ ବ୍ୟାଙ୍କ୍ ଓ ପାକ୍ସ ପାଇଁ ୩୦୦ କୋଟି ଟଙ୍କା ରହିଛି । ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ଥିବାବେଳେ ଅସମ୍ପୂର୍ଣ୍ଣ ଅଙ୍ଗନବାଡି କୋଠାକାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ୨୦୦ କୋଟି ଟଙ୍କା, ମମତା ଯୋଜନା ପାଇଁ ୧୪୨ କୋଟି ଓ ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୪୦୫ କୋଟି ଟଙ୍କା ରହିଛି । ପିଏମ-ପୋଷଣ ଯୋଜନା ପାଇଁ ୯୨ କୋଟି, ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି ଓ ସମଗ୍ର ଶିକ୍ଷା ଯୋଜନାରେ ରାଜ୍ୟ ସହାୟତା ବାବଦକୁ ୨୦୭ କୋଟି । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୨୧୬ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ପାଇଁ ବଜେଟ୍ରେ ୧୪୭ କୋଟି ଟଙ୍କା ରହିଛି ।
ବୃକ୍ଷରୋପଣ କ୍ଷତିପୂରଣ ପାଣ୍ଠି ପାଇଁ ବଜେଟ୍ରେ୍ ୨୪୨ କୋଟି ଟଙ୍କା ରହିଥିବାବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସୌନ୍ଦର୍ଯ୍ୟକରଣ ପାଇଁ ୮୦ କୋଟି ଟଙ୍କା ରହିଛି । ସେହିଭଳି ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟରାଦ ହୋଇଥିବାବେଳେ ଅମୃତ ଯୋଜନା ପାଇଁ ୬୪ କୋଟି ଓ ୱାଟକୋ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଅଧିନରେ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ରବୀନ୍ଦ୍ରମଣ୍ଡପ ଓ କଳାମଣ୍ଡପର ନବୀକରଣ ପାଇଁ ୧୦ କୋଟି ଟଙ୍କା ରହିଛି ।

